
ରାଉରକେଲା (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ୪ ବର୍ଷ ବିତିଗଲାଣି କିନ୍ତୁ ଏବେ ମଧ୍ୟ କିଛି ବ୍ୟକ୍ତିଙ୍କର ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଅହେତୁକ ଦୁର୍ବଳତା ରହିବା ଆଶ୍ଚର୍ଯ୍ୟର ବିଷୟ ନିଶ୍ଚୟ। ଏଭଳି ଏକ ଘଟଣା ଘଟିଛି ଇସ୍ପାତନଗରୀ ରାଉରକେଲାର ସେକ୍ଟର-୧୩ ପଡ଼ିଆରେ ଆୟୋଜିତ ‘ସାଇକ୍ଲୋଥନ୍’ କାର୍ଯ୍ୟକ୍ରମରେ।
ବିଭିନ୍ନ କମ୍ପାନୀ ଓ ସଂସ୍ଥାର ସହଯୋଗରେ ରୋଟାରୀ କ୍ଲବ୍ ରୟାଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କିନ୍ତୁ ଏହି ଅବସରରେ ପ୍ରସ୍ତୁତ କରାଯାଇଥିବା ମଞ୍ଚ ଏବଂ ଅନ୍ୟାନ୍ୟ ପ୍ରଚାର ସାମଗ୍ରୀରେ ଓଡ଼ିଆ ଅକ୍ଷର ବା ଶବ୍ଦର ଚିହ୍ନବର୍ଣ୍ଣ ନଥିଲା।
ଏପରିକି ଓଡ଼ିଶାର ଜଣେ ଖ୍ୟାତନାମା ତଥା ଅର୍ଜୁନ ବିଜୟିନୀ ଏବଂ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଅତିଥି କରାଯାଇ ବୃହତ୍ ଆୟୋଜନ କରାଯାଇଥିଲେ ମଧ୍ୟ ଓଡ଼ିଆର ଆବଶ୍ୟକତା କାହାର ମନକୁ ଆସିଲାନି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କାର୍ଯ୍ୟକ୍ରମର ଉଭୟ ଅତିଥି ସମାଜର ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଏବଂ ଓଡ଼ିଆ ହୋଇ ମଧ୍ୟ ଇଂରାଜୀ ଏବଂ ହନ୍ଦୀରେ ବକ୍ତବ୍ୟ ରଖିଥିଲେ।
ନାମଫଳକ ଏବଂ ଅନ୍ୟାନ୍ୟ ବିଶେଷ ସ୍ଥାନରେ ଓଡ଼ିଆ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ପ୍ରସଙ୍ଗରେ ରାଉରକେଲାର କିଛି ବୁଦ୍ଧିଜିବୀ ଓଡ଼ିଆ ଭାଷାକୁ ଉପେକ୍ଷା କରାଯାଇଥିବା ନେଇ ମତ ରଖିଛନ୍ତି। ରାଉରକେଲାର ଓଡ଼ିଶା ଭାଷା ବିକାଶ ମଞ୍ଚ ଆବାହକ ଆର୍ତ୍ତତ୍ରାଣ ମହାପାତ୍ର କହିଛନ୍ତି, “କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ଉପେକ୍ଷା କରାଯିବାକୁ ମୁଁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ଓଡ଼ିଆ ଭାଷା ପ୍ରତି ହୀନମନ୍ୟତା ପ୍ରଦର୍ଶନ କରିଥିବା ଆୟୋଜକ ଓ ଅତିଥିମାନଙ୍କ ବକ୍ତବ୍ୟକୁ ମଧ୍ୟ ନିନ୍ଦା କରୁଛି। ଏଭଳି ଘଟଣାକୁ ସମସ୍ତେ ମିଳିତ ଭାବରେ ବିରୋଧ କରିବାକୁ ଆହ୍ୱାନ କରୁଛି। ଓଡ଼ିଆ ଲୋକ ହୋଇ ନିଜ ଭାଷାକୁ ହତାଦର କରିବା ନିନ୍ଦନୀୟ।”
ସେହିଭଳି ବିଶିଷ୍ଟ ସଂଗଠକ ତଥା ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଉପସଭାପତି କୁଞ୍ଜ ବିହାରୀ ରାଉତ କହିଛନ୍ତି, “ରାଉରକେଲାର ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ନେଇ ଆୟୋଜିତ ସାଇକେଲିଂ ପ୍ରତିଯୋଗିତାରେ ଓଡ଼ିଆ ଭାଷାକୁ ହତାଦର କରାଯିବା ସମ୍ପୂର୍ଣ୍ଣ ରୂପେ ଅଗ୍ରହଣୀୟ। ବିଶେଷ କରି ଦୁଇ ଅତିଥି ଓଡ଼ିଆରେ ଭାଷଣ ନଦେବା ଘଟଣାକୁ ମୁଁ ନିନ୍ଦା କରୁଛି।”
from Odisha Reporter http://bit.ly/2SexgDD
No comments:
Post a Comment