
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷ ଆସିବାକୁ ରହିଛି ମାତ୍ର ଗୋଟିଏ ଦିନ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ୍ ସେଲେବ୍ରେସନ ଲାଗି ହୋଟେଲରୁ କ୍ଲବ୍, ସବୁଠି ବିଶେଷ ଆୟୋଜନ। ତେଣେ ସୁରକ୍ଷା ଦୃଷ୍ଟିରୁ ପୁଲିସ ଓ ଅଗ୍ନିଶମ ବାହିନୀ ବି ସବୁଠି ସଜାଗ।
ଦିନକ ପରେ ବଦଳିଯିବ କ୍ୟାଲେଣ୍ଡର। ବିଦାୟ ନେବ ୨୦୧୮ ଓ ୨୦୧୯କୁ ମନଖୋଲି ସ୍ୱାଗତ କରିବ ସାରା ବିଶ୍ୱ। ତେଣୁ ଜିରୋ ନାଇଟ୍ ସେଲେବ୍ରେସନ୍ ପାଇଁ ସବୁଠି ଉତ୍ସାହ। ଏଥିଲାଗି ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ ଓ କ୍ଲବମାନଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି।
ସେଲେବ୍ରେସନ୍ର ଜୋଶ୍ ଭରିବାକୁ କେଉଁଠି ବଲିଉଡ୍ କଳାକାରଙ୍କୁ ନେଇ ଷ୍ଟାର୍ ନାଇଟ୍ ଆୟୋଜନ ହେଉଛି ତ ପୁଣି କେଉଁଠି ପାଶ୍ଟାତ୍ୟ ଶୈଳୀରେ ନୃତ୍ୟ ସଂଗୀତର ଆସର। କେବଳ କଟକ କି ଭୁବନେଶ୍ୱର ନୁହେଁ, ବ୍ରହ୍ମପୁରରେ ଜିରୋ ନାଇଟ୍କୁ ଅଧିକ ରଙ୍ଗୀନ କରିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ଏପଟେ ଜିରୋ ନାଇଟ୍ ସମୟରେ ମଦ୍ୟପ ଓ ବେପରୁଆ ଗାଡ଼ି ଚାଳକଙ୍କ ଉପରେ ଲଗାମ୍ ଲଗାଇବାକୁ ପ୍ରସ୍ତୁତ ହୋଇ ରହିଛି ପୁଲିସ। ଚାରିଆଡେ ବ୍ଲକିଂ ଓ ଚେକିଂ ଜୋରଦାର ଚାଲିଛି। ସୁରକ୍ଷା ଦୃଷ୍ଟିରୁ ସବୁ ହୋଟେଲ୍ ସିସିଟିଭିର ନଜରରେ ରଖାଯାଇଥିବାବେଳେ ଅଗ୍ନିଶମ ବିଭାଗ ମଧ୍ୟ ସେଗୁଡ଼ିକର ଏନ୍ଓସି ଯାଞ୍ଚ କରୁଛି।
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିସେମ୍ବର ୩୧ ତାରିଖ ରାତି ୧୧ଟା ୫୫ରୁ ସାଢେ ୧୨ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ରହିଛି।
ସେପଟେ ପର୍ଯ୍ୟଟନ ସହର ପୁରୀରେ ନୂଆବର୍ଷ ଅବସରରେ ପ୍ରାୟ ୬ ଲକ୍ଷ ଶ୍ରଦ୍ଧାଳୁଙ୍କ ସମ୍ଭାବ୍ୟ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ବେଳାଭୂମିରେ ସୁରକ୍ଷାକୁ ଗୁରୁତ୍ୱ ଦେଉଛି ପୁଲିସ୍।
from Odisha Reporter http://bit.ly/2BMKHUr
No comments:
Post a Comment