
ପେଶୱାର: ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଦୁଇ କିମ୍ବଦନ୍ତୀ ପୁରୁଷ ଦିଲିପ କୁମାର୍ ଓ ସ୍ୱର୍ଗତ୍ ରାଜ କପୁର୍ଙ୍କ ପାକିସ୍ତାନ୍ରେ ଥିବା ପୈତୃକ ସମ୍ପତ୍ତିକୁ ସେଠାକର ପ୍ରାଦେଶିକ ସରକାର କିଣିବେ। ପାକିସ୍ତାନ୍ର ଖୈବର୍ ପାଖ୍ତୁନ୍ଖ୍ୱା ରାଜ୍ୟର ସରକାର ଦେଶ ବିଭାଜନ ପୂର୍ବରୁ ରହିଥିବା ଏହପରି ୨୫ଟି କୋଠାକୁ କିଣିବାର ଯୋଜନା ରଖିଛନ୍ତି, ଯେଉଁଥିରେ ରାଜ୍ କପୁର୍ ଓ ଦିଲିପ କୁମାରଙ୍କ ପୈତୃକ ଘର ଅନ୍ତର୍ଭୁକ୍ତ। ଏହି ସବୁ କୋଠାକୁ ପାକିସ୍ତାନ୍ର ଜାତୀୟ ସମ୍ପତ୍ତି ରୂପେ ଘୋଷଣା କରାଯାଇଛି।
‘କପୁର୍ ହବେଲି’ ରୂରେ ପରିଚିତ ରାଜ୍ କପୁର୍ଙ୍କ ପୈତୃକ ଘର ପେଶୱାର୍ର କ୍ୱିସା ଖ୍ୱାନି ବଜାରରେ ରହିଛି। ଦେଶ ବିଭାଜନ ପୂର୍ବରୁ ଅର୍ଥାତ୍ ବ୍ରିଟିଶ୍ ଶାସନ ବେଳେ ରାଜ୍ କପୁର୍ଙ୍କ ଜେଜେବାପା ଦେୱାନ୍ ବଶେଶ୍ୱରନାଥ କପୁର୍ ୧୯୧୮ରୁ ୧୯୨୨ମସିହା ମଧ୍ୟରେ ଏହି କୋଠାକୁ ତିଆରି କରିଥିଲେ। ଏହି ଘରେ ହିଁ ରାଜ୍ ଓ ତାଙ୍କ ଦାଦା ତ୍ରିଲୋକ କପୁର୍ ଜନ୍ମ ନେଇଥିଲେ।

ସେହିପରି ଖ୍ୟାତନାମା ବଲିଉଡ୍ ଅଭିନେତା ଦିଲିପ କୁମାର୍ଙ୍କ ପାକିସ୍ଥାନରେ ୧୦୦ ବର୍ଷର ପୁରୁଣା ପୈତୃକ ସମ୍ପତ୍ତି ଅଛି। ଏହା ମଧ୍ୟ ସେହି ପେଶୱାର୍ର କ୍ୱିସା ଖ୍ୱାନି ବଜାରରେ ରହିଛି। ଦିଲ୍ଲୀପ କୁମାର୍ଙ୍କର ଏହି ପୈତୃକ ସମ୍ପତ୍ତିକୁ ୨୦୧୪ରେ ନୱାଜ୍ ସରିଫ୍ଙ୍କ ସରକାର ଜାତୀୟ ସମ୍ପତ୍ତି ଘୋଷଣା କରିଥିଲେ।
ଉଭୟ ଦିଲିପ କୁମାର୍ ଓ ରାଜ୍ କପୁର୍ଙ୍କ ଏହି ପୈତୃକ ଘରର ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ରହିଛି। ସେଥିପାଇଁ ଏହି ଦୁଇ ଘରକୁ ମିଶାଇ ଦେଶ ବିଭାଜନ ପୂର୍ବର ସମୁଦାୟ ୨୫ଟି ଘର କିଣିବା ପାଇଁ ପାଖାପାଖି ୬୧ କୋଟି ଟଙ୍କାର ଆବଣ୍ଟନ କରାଯାଇଛି।
ପାକିସ୍ଥାନରେ ପୁରୁଣା ସ୍ମୃତିର ସ୍ମାରକୀ ଭାବେ ଏହିପରି ୭୭ଟି ପୁରୁଣା କୋଠା ରହିଛି, ଯାହାକୁ ପଡ଼ୋଶୀ ଦେଶର ସରକାର ଜାତୀୟ ସମ୍ପତ୍ତି ଭାବେ ଘୋଷଣା କରିଛନ୍ତି।ଏଥିରୁ ୫୨ଟି ସରକାରଙ୍କ ଅଧୀନରେ ଥିବା ବେଳେ ୨୫ଟି ଘର ବ୍ୟକ୍ତିଗତ ମାଲିକାନାରେ ରହିଛି।
from Odisha Reporter http://bit.ly/2LwQoKw
No comments:
Post a Comment