
ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ନେଇ ପୁରୀ ଶ୍ରୀମନ୍ଦିର ଚର୍ଚ୍ଚାରେ ରହିଥିଲା ବେଳେ ଆଜି ମନ୍ଦିର ଭିତରେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବାହାରକାଠ ନିକଟରେ ଜଣେ ପୁଲିସ୍ କର୍ମଚାରୀ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ନାବାଳିକାଙ୍କ ବାପାମା’ ଅଭିଯୋଗ କରିଛନ୍ତି।
ନାବାଳିକା ଜଣକ ତାଙ୍କ ବାପା ଓ ମାଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିଲେ। ବାହାରକାଠ ନିକଟରେ ସେ ଦର୍ଶନ କରୁଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ନାବାଳିକା ଜଣଙ୍କ କହିଛନ୍ତି,“ବାହାରକାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ସମୟରେ ବ୍ଲାକ୍ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବା ଜଣେ ପୁଲିସ୍ କର୍ମଚାରୀ ମୋତେ ଟଚ୍ କରିଥିଲେ। ସେହି ସମୟରେ ମୁଁ ତାଙ୍କୁ ମାରିଥିଲି। ମୁଁ ପାଟି କରିବାରୁ ସେ ସେହି ସ୍ଥାନରୁ ପଳାଇ ଯାଇଥିଲେ। ମୁଁ ସେହି ପୁଲିସ୍ କର୍ମଚାରୀଙ୍କୁ ଚିହ୍ନିଛି, ଦେଖିଲେ ଜାଣିପାରିବି।”
ପୁଲିସ୍ ଜଣେ ସେବାୟତଙ୍କୁ ମାଡ଼ ମାରିବା ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହେବାରୁ ଗତକାଲି ୧୦ ଘଣ୍ଟା ଧରି ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ଥିଲା। ଅପରାହ୍ଣ ୪ଟାରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ଦୂରଦୂରାନ୍ତୂ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ଦୀର୍ଘ ସମୟ ଧରି ସିଂହଦ୍ୱାର ଆଗରେ ଅପେକ୍ଷା କରି ରହିବା ପରେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଥିଲେ। ଅବଶ୍ୟ ପରେ ସ୍ଥିତିରେ ସୁଧାର ଆସିଥିଲା। ବିବାଦର ସମାଧାନ ହୋଇ ମନ୍ଦିର ଖୋଲିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
from Odisha Reporter http://bit.ly/2Srjqh8
No comments:
Post a Comment