ଓଡ଼ିଶାବାସୀଙ୍କୁ ନିଜ ଉଚ୍ଚତା ଜଣେଇଦେଲେ ସୌମ୍ୟବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଓଡ଼ିଶାବାସୀଙ୍କୁ ନିଜ ଉଚ୍ଚତା ଜଣେଇଦେଲେ ସୌମ୍ୟବାବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ କଥାଟିଏ ଅଛି- ପୁଅଙ୍କ ଦରମା ଓ ଝିଅଙ୍କ ବୟସ କୁହାଯାଏନି। ଏବେ ଅବଶ୍ୟ ସ୍ଥିତି ବଦଳି ଯାଇଛି। ପୁଅମାନେ ନିଜ ବାର୍ଷିକ ପ୍ୟାକେଜ୍ କହି ଗର୍ବ ଅନୁଭବ କରୁଛନ୍ତି ଏବଂ ଝିଅମାନେ ନିଜ ବୟସ ଲୁଚେଇବାଟା ଗୋଟେ ପୁରୁଣାକାଳିଆ ଚିନ୍ତାଧାରା ବୋଲି ବିଚାର କରୁଛନ୍ତି।

ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଓଡ଼ିଆ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ତଥା ବିଜେଡିର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ଉଚ୍ଚତା କିନ୍ତୁ ଓଡ଼ିଶାବାସୀଙ୍କୁ କହିଦେଲେ। ବହୁଦିନ ଧରି ଯାହାକୁ ମାନଇଜ୍ଜତ କହି ଲୁଚେଇଥିଲେ, ହଠାତ୍ ତାକୁ ପଦାରେ ପକାଇ ଦେଲେ। ମାତ୍ର ଗୋଟିଏ ଝଟ୍‌କା ସହିପାରିଲେନି। କଥାଟା ଟିକିଏ ଅବୁଝା ରହୁଛି ବୋଧେ? ତେବେ ଖୋଲିକି କୁହାଯାଉ।

ଗତ ୨୪ ତାରିଖରେ ସୌମ୍ୟବାବୁ ନିଜ ସମ୍ପାଦିତ ଖବରକାଗଜ ‘ସମ୍ବାଦ’ରେ ତାଙ୍କ ନିୟମିତ ଅଗ୍ରଲେଖ ‘ଆମ ଘରର ହାଲ୍‌ଚାଲ୍‌’ ଲେଖିଥିଲେ। ‘ମୋଦିଜୀଙ୍କ ଉଚ୍ଚତା କେତେ’ ଶୀର୍ଷକରେ ପ୍ରକାଶିତ ଏହି ଲେଖାର ସାମଗ୍ରିକ ଭାବବସ୍ତୁ ଥିଲା, କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦି ଆକ୍ରୋଶମୂଳକ ଭାବରେ ‘ସମ୍ବାଦ’କୁ କିଛି ନିର୍ଦ୍ଦିଷ୍ଟ ବିଜ୍ଞାପନରୁ ବଞ୍ଚିତ କରିଛନ୍ତି।

ଲେଖାଟି ମୋଦିଙ୍କ ଓଡ଼ିଶା ଗସ୍ତ ଦିନ ହିଁ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା। ଏଥିରେ ସୌମ୍ୟବାବୁ ବୁଲେଇ ବଙ୍କେଇ ମୋଦିଙ୍କ କାର୍ଯ୍ୟଧାରା ବିଷୟରେ ବହୁ କଥା କହିଛନ୍ତି, ହେଲେ ଲାଗୁଥିଲା ବିଜ୍ଞାପନ କଥାଟି କହିବାକୁ ସେ ଅଯଥାରେ ଏତେଗୁଡ଼ାଏ କଥା କହିଛନ୍ତି।

ଓଡ଼ିଆ ସାମ୍ବାଦିକତାରେ ସୌମ୍ୟବାବୁଙ୍କ ଉଚ୍ଚତା ବହୁ ଉପରେ। ରାଜ୍ୟର ଗଣମାଧ୍ୟମ ଇତିହାସରେ ସେ ଗୁଡ଼ାଏ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଭାଷା ଓ ଚାଷୀ ଆନ୍ଦୋଳନ ସହ ଜଡ଼ିତ ହୋଇ ନିଜର ଉଚ୍ଚତାକୁ ସେ ଆହୁରି ବଢ଼େଇଥିଲେ। କିନ୍ତୁ ‘ଆଜୀବନ ରାଜନୈତିକ ବିଫଳତା’ ତାଙ୍କୁ ଏତେ ବାଧିଲା ଯେ, ଶେଷରେ ସେ ପରିଣତ ବୟସରେ ନିଜର ସମସ୍ତ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ, ଯେଉଁ ବିଜେଡି ଓ ନବୀନଙ୍କୁ ସେ ଓଡ଼ିଶାର ପରମଶତ୍ରୁ ବୋଲି ବଡ଼ପାଟିରେ କହୁଥିଲେ, ଶେଷରେ ତାଙ୍କ କୋଳକୁ ଚାଲିଗଲେ ଓ ତାଙ୍କର ଗୁଣଗାନ କଲେ। ଏଥିରେ ତାଙ୍କର ଉଚ୍ଚତା ବଢ଼ିଲା ନା କମିଲା ସେ ନିଜେ ଜାଣିଥିବେ।

ସୌମ୍ୟବାବୁ ସବୁବେଳେ କହନ୍ତି, ଖବରକାଗଜର ସମ୍ପାଦକ ଯଦି କୌଣସି ରାଜନୈତିକ ଦଳର ଆଦର୍ଶରେ ଅନୁପ୍ରାଣିତ, ତେବେ ସେ କାଗଜରେ ସମ୍ପାଦକଙ୍କ ସେହି ରାଜନୈତିକ ଆଦର୍ଶ ପ୍ରତିଫଳିତ ହେବା ଏକ ପାପ ନୁହେଁ। ଏହି ସ୍ପଷ୍ଟୋକ୍ତି ପାଇଁ ସୌମ୍ୟବାବୁ ବାରିହୋଇ ପଡ଼ନ୍ତି। କିନ୍ତୁ ଯଦି ସେ ନିଜ ଖବରକାଗଜ ଓ ରାଜନୀତିକୁ ଗୋଟିଏ ଭାବରେ ଦେଖୁଛନ୍ତି, ତେବେ ତାଙ୍କ ‘ବିଜେଡି’ କାଗଜକୁ ‘ବିଜେପି ସରକାରର ବିଜ୍ଞାପନ’ କାହିଁକି ମିଳିବ?

ତା ପରେ ସରକାର-ବିରୋଧୀ ଖବରକାଗଜ ଓ ଟିଭିକୁ ବିଜ୍ଞାପନ ବନ୍ଦ କରି ତାଙ୍କରି ‘ବିଜେଡି’ ତ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଛି। ସୌମ୍ୟବାବୁ ବିଜେଡି ସରକାରଠାରୁ ‘ସମ୍ବାଦ’ ପାଇଁ ପୃଷ୍ଠା ପୃଷ୍ଠା ରଙ୍ଗୀନ ବିଜ୍ଞାପନ ନେଲାବେଳେ, କେବେ ତ ଭାବି ନାହାନ୍ତି, ରାଜ୍ୟର କିଛି ଟିଭି ଓ ଖବରକାଗଜକୁ ତାଙ୍କରି ସରକାର ବାସନ୍ଦ କରି କେବଳ ବିଜ୍ଞାପନ ବନ୍ଦ କରିନାହାନ୍ତି, ସେ ସବୁ ସଂସ୍ଥାକୁ ବନ୍ଦ କରିବାକୁ ନାନା ଷଡ଼ଯନ୍ତ୍ର ବି ରଚିଛନ୍ତି, ଆଉ ସୌମ୍ୟବାବୁ ସେହିସବୁ ଖବରକୁ ମହାଆନନ୍ଦରେ ପ୍ରଥମ ପୃଷ୍ଠାରେ ଛାପି ସରକାରଙ୍କ ‘ଗଣମାଧ୍ୟମ-ବିରୋଧୀ ଷଡ଼ଯନ୍ତ୍ର’ରେ ସାମିଲ୍ ହୋଇଛନ୍ତି। ତେଣୁ ସେ ନିଜେ ଯେଉଁ ଫାସ ତିଆରି କରିଥିଲେ ସେଇ ଫାସରେ ନିଜେ ପଡ଼ିଲା ବେଳକୁ ସୌମ୍ୟବାବୁ କାହିଁକି ‘ମୋଦିଙ୍କ ଉଚ୍ଚତା’ ମାପୁଛନ୍ତି?

ଆଉଏକ କଥା ହେଲା, ‘ସମ୍ବାଦ’ ଖବରକାଗଜ ବର୍ଷସାରା କେନ୍ଦ୍ର ସରକାରଙ୍କ ବିଜ୍ଞାପନ ପାଇଛି। ବିଜେଡିରେ ଥାଇ ମଧ୍ୟ ସୌମ୍ୟବାବୁ ବିଜେପି ସରକାରଙ୍କଠାରୁ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି, ମାଲାମାଲ୍ ହୋଇଛନ୍ତି। ତାଙ୍କର ଏହି ଚର୍ଚ୍ଚିତ ଅଗ୍ରଲେଖ ପ୍ରକାଶ ପାଇବାର ପରଦିନ, ଅର୍ଥାତ ଆଜି ମଧ୍ୟ ‘ସମ୍ବାଦ’ କେନ୍ଦ୍ର ସରକାରଙ୍କର ଦୁଇଟି ରଙ୍ଗୀନ ବିଜ୍ଞାପନ ପାଇଛି। ତାହେଲେ କେବଳ ଯୋଡ଼ିଏ ବିଜ୍ଞାପନ ପାଇଁ ସୌମ୍ୟବାବୁ ନିଜର କାଙ୍ଗାଳୀ ମନୋବୃତ୍ତିକୁ ଓଡ଼ିଶାବାସୀଙ୍କ ଆଗରେ ପ୍ରକାଶ କରି, ନିଜର ଉଚ୍ଚତା ବଢ଼େଇଲେ ନା କମେଇଲେ ତାହା ସେ ନିଜେ ହିଁ ଚିନ୍ତା କରନ୍ତୁ। ‘ସମ୍ବାଦ’ ଖବରକାଗଜର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ନୁହେଁ ଯେ, ଏହି ଗୋଟିଏ ଯୋଡ଼ିଏ ବିଜ୍ଞାପନ ନପାଇଲେ ଏହା ବନ୍ଦ ହୋଇଯିବ। ଫଳ କେବଳ ଏତିକି ହେଲା, ସୌମ୍ୟବାବୁଙ୍କ ଉଚ୍ଚତା ସଂପର୍କରେ ଓଡ଼ିଶାବାସୀ ଜାଣିଗଲେ।



from Odisha Reporter http://bit.ly/2GF3eaG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages