
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା କଂଗ୍ରେସ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ ଖୁବଶୀଘ୍ର ବିଜେଡିରେ ସାମିଲ ହେବେ। ସେ ଗତକାଲି ନିଜ ସମର୍ଥକଙ୍କ ସହ ଏନେଇ ବିଚାରବିମର୍ଶ କରିଥିବାବେଳେ ଆଜି ବିଜେଡିର ବରିଷ୍ଠ ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହା ସ୍ପଷ୍ଟ କରିଛନ୍ତି।
ଶ୍ରୀ ପାତ୍ର କହିଛନ୍ତି ଯେ, କେବଳ ନବ ଦାସ ଏକାକୀ ନୁହଁନ୍ତି ଅନେକ କଂଗ୍ରେସ ବିଧାୟକ ଏବେ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱ , ବିଜେଡି ଓ ଶଙ୍ଖ ଦଳକୁ ଯିଏ ଗ୍ରହଣ କରିବ ଏବଂ ତାକୁ ଯଦି ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ ତା’ହେଲେ ସେଥିରେ ଦଳର କାହାର କିଛି ଆପତ୍ତି ନାହିଁ। କେସ୍ ଟୁ କେସ୍ ଷ୍ଟଡି କରି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି ବୋଲି ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶନିବାର ବିଧାୟକ ନବ ଦାସ ନିଜର ସମର୍ଥକମାନଙ୍କ ଏକ ବୈଠକ ଡାକି ସେମାନଙ୍କ ସହ ଦଳ ଛାଡ଼ିବା ପ୍ରସଙ୍ଗରେ ବିଚାରବିମର୍ଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ାର ରଘୁନାଥପାଲି ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କୋଲବିରା ବ୍ଳକର ସୋଢ଼ାମାଲ, କୋଲାବିରା, ପୋଖରା ସାଲେ ଆଦି ପଞ୍ଚାୟତ ଓ ବ୍ଲକସ୍ତରୀୟ କର୍ମୀମାନଙ୍କୁ ଡାକି ଶ୍ରୀ ଦାସ ଦଳ ଛାଡ଼ିବା ପ୍ରସଙ୍ଗରେ ମତାମତ ଜାଣିବାକୁ ଚାହିଁଥିଲେ। ସେଠାରେ ଉପସ୍ଥିତ ପ୍ରାୟ ୩୦୦ କର୍ମୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଯଦି ସେ ଅନ୍ୟ ଦଳକୁ ଯିବେ ତାଙ୍କୁ କର୍ମୀମାନେ ସମର୍ଥନ କରିବେ କି ବୋଲି ପ୍ରଶ୍ନର ଉତ୍ତରରେ ସମସ୍ତେ ନବଙ୍କୁ ସମର୍ଥନ ଜଣାଇବାର ପ୍ରତିଶ୍ରୁତି ଦେଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଅନ୍ୟ ଅଞ୍ଚଳରେ ଖୁବଶୀଘ୍ର ସେ ଏଭଳି ବୈଠକ କରି କର୍ମୀଙ୍କ ମତାମତ ଜାଣିବାକୁ ଚେଷ୍ଟା କରିବେ ବୋଲି କହିଥିବା ଜଣାପଡ଼ିଛି।
ତେବେ ଏ ସମ୍ପର୍କରେ ଶ୍ରୀ ଦାସଙ୍କୁ ପଚରାଯିବାରୁ ସେ ଦଳ ଛାଡ଼ିବା ଖବରକୁ ଖଣ୍ଡନ ନକରି କହିଛନ୍ତି ଯେ ଝାରସୁଗୁଡ଼ାବାସୀ ହେଉଛନ୍ତି ତାଙ୍କ ଦଳ। ସେମାନେ ଯାହା କହିବେ ସେ ତାହା କରିବେ।ଯଦି ଝାରସୁଗୁଡ଼ାବାସୀ ଚାହିଁବେ ନବ ଦାସ ଦଳ ପରିବର୍ତ୍ତନ କଲେ ଭଲ, ତେବେ ସେ ତାହା କରିବେ।
ସୂଚନାଯୋଗ୍ୟ, ଶ୍ରୀ ଦାସ ଦୀର୍ଘଦିନ ଧରି ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କଂଗ୍ରେସ ପକ୍ଷରୁ ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି କରାଯିବା ପରେ ଏଥିରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ବିଜେଡିର ପ୍ରତିଷ୍ଠା ଦିବସରେ ସେ ଦଳରେ ସାମିଲ ହେବାର ସମ୍ଭାବନା ରହିଛି। ବିଜେଡିର ଜଣେ ପ୍ରଭାବଶାଳୀ ଯୁବନେତା ଏବେ ନବ ଦାସଙ୍କ ସହ ଯୋଗସୂତ୍ରରେ ଅଛନ୍ତି ଓ ତାଙ୍କୁ ଭବିଷ୍ୟତରେ ମନ୍ତ୍ରୀ କରାଯିବାର ପ୍ରତିଶ୍ରୁତି ମିଳିଥିବା ଜଣାପଡ଼ିଛି।
from Odisha Reporter https://ift.tt/2Pgpmay
No comments:
Post a Comment