ନୃତ୍ୟରେ ଆଧ୍ୟାତ୍ମିକତା ଓ ସାମାଜିକ ସଂହତିର ବାର୍ତ୍ତା ଦେଲେ ଶିଳ୍ପୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ନୃତ୍ୟରେ ଆଧ୍ୟାତ୍ମିକତା ଓ ସାମାଜିକ ସଂହତିର ବାର୍ତ୍ତା ଦେଲେ ଶିଳ୍ପୀ

କୋଣାର୍କ (ଓଡ଼ିଶା ରିପୋର୍ଟର): କୋଣାର୍କ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ଆଧ୍ୟାତ୍ମିକ ଭାବ ସହ ସଦ୍ଭାବନା ଓ ସଂହତିର ବାର୍ତ୍ତା ଦେଇ ଦର୍ଶକଙ୍କୁ ଭେଟି ଦେଇଛନ୍ତି ନୃତ୍ୟଶିଳ୍ପୀ। ମୁକ୍ତାକାଶ ମଞ୍ଚରୁ ମନୋରଂଜନ ସହ ସଚେତନତାର ସନ୍ଦେଶ ଦେଇ ଏକ ଅପୂର୍ବ ଭାବାବେଗ ସୃଷ୍ଟି କରିଥିଲେ ଗାନ୍ଧର୍ବ କଳାର ଶିଳ୍ପୀଗଣ।

ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଶାସ୍ତ୍ରୀୟ ସତ୍ତ୍ରିୟା। ବୈଷ୍ଣବ ଚେତନାର ପୃଷ୍ଠଭୂମିରେ ଡ. ଅନ୍ୱେଷା ମହନ୍ତ ଓ ସାଥୀ ଶିଳ୍ପୀଙ୍କ ପ୍ରଥମ ପ୍ରସ୍ତୁତି ଥିଲା ଗାୟନ ବାୟନ। ଯାହା ଏକ ଆଧ୍ୟାତ୍ମିକ ଭାବ ସଂଚାର ପାଇଁ ଅନୁକୂଳ ପରିବେଶ ଆଣି ଦେଇଥିଲା। ଏହାପରେ ଆବାହନୀ ନୃତ୍ୟ ବନ୍ଦନାରେ ଶ୍ରୀ ଜଗନ୍ନାଥ ସ୍ତୃତି ଓ ଶୁଦ୍ଧ ନୃତ୍ୟ ରାମଦାନୀରେ ଲାସ୍ୟ ବିମୋହନର ସମନ୍ୱୟକୁ ପରଷିଥିଲେ ନୃତ୍ୟାଙ୍ଗନା।

ସତ୍ତ୍ରିୟାର ଶେଷ ପରିବେଷଣ ରହିଥିଲା ଭକ୍ତି ତତ୍ତ୍ୱ ଅନ୍ତର୍ଗତ ଭାଗବତ ଦଶ ଲକ୍ଷଣ। ଗୋଲକାଧିପତି ବିଷ୍ଣୁଙ୍କ ଦ୍ୱାରପାଳ ଜୟ-ବିଜୟଙ୍କୁ ଅଭିଶାପ ଓ ସତ୍ୟ ଯୁଗରେ ହିରଣ୍ୟକଶିପୁ ଓ ହରିଣାକ୍ଷ ଭାବେ ଜନ୍ମ ଦେବାର ବୃତ୍ତାନ୍ତକୁ ପୂରାଣ ଆଧାରରେ ଅତି ନିଖୁଣ ଭାବେ ଉପସ୍ଥାପନ କରିଥିଲେ ଶିଳ୍ପୀମାନେ।

ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆର୍ଟ ଭିଜନର ଶିଳ୍ପୀମାନେ ପରିବେଷଣ କରିଥିଲେ ସଚେତନତାଧର୍ମୀ ନୃତ୍ୟ ସଂରଚନା ରିଫ୍ୟୁଜି। ବଦଳିଯାଇଥିବା ପୃଥିବୀରେ ହିଂସା, ଘୃଣା, ବିଦ୍ୱେଷ ଓ ଧର୍ମାନ୍ଧତାର ଶିକାର ହୋଇଥିବା ଅସହାୟ ଓ ନିରୀହ ମଣିଷ ଆଶ୍ରୟ ଖୋଜୁଥିବାର କରୁଣ ଚିତ୍ରକୁ ବାଖ୍ୟା କରିଥିଲା ନୃତ୍ୟ ରଚନା।

ଡ. ଇଲିଆନା ସିତାରିସ୍ତିଙ୍କ ନୃତ୍ୟ ସଂଯୋଜନା, ଗୁରୁ ଲକ୍ଷ୍ମୀକାନ୍ତ ପାଲିତଙ୍କ ସଂଗୀତ ସଂଯୋଜନା, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ବାଦ୍ୟ ରଚନା ଓ କବି ଦେବଦାସ ଛୋଟରାୟଙ୍କ ଆଲେଖ୍ୟକୁ ନେଇ ଆର୍ଟ ଭିଜନ ଶିଳ୍ପୀଙ୍କ ନୃତ୍ୟାଭିନୟ ଖୁବ୍ ମନଛୁଆଁ ଥିଲା। ଡ. ସିତାରିସ୍ତିଙ୍କ ଅନ୍ତିମ ପରିବେଷଣ ଥିଲା ଗଙ୍ଗା ଯମୁନା। ମହାକବି କାଳିଦାସଙ୍କ ରଘୁବଂଶ କାବ୍ୟ ଆଧାରରେ ଗଙ୍ଗା ଯମୁନା ନଦୀର କଳ୍ପିତ ରୂପକୁ ପରଷିଥିଲେ ଶିଳ୍ପୀବୃନ୍ଦ।

ଉତ୍ସବର ଚତୁର୍ଥ ସଂଧ୍ୟାର ଶୁଭାରମ୍ଭ କରିଥିଲେ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ, ରାଜ୍ୟ ଅର୍ଥ କମିଶନର ଅଧକ୍ଷ ଶ୍ରୀଯୁକ୍ତ ରବି ନାରାୟଣ ସେନାପତି ଏବଂ ରାଜ୍ୟ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର। ସେହିପରି ମହିଳା ସଶକ୍ତିକରଣ ଆଧାରିତ ପ୍ରସଂଗକୁ ନେଇ ଆଜି ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ କଳାକୃତି ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

 



from Odisha Reporter https://ift.tt/2rmlUBO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages