
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ପେତାଇ’। ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଆଜି ଅପରାହ୍ଣରେ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ୍ ଓ କାକିନାଡ଼ା ମଝିରେ ‘ପେତାଇ’ ସ୍ଥଳଭାଗ ଛୁଇଁବ।
ପ୍ରତିକୂଳ ପରିବେଶ ଥିବାରୁ ସ୍ଥଳଭାଗ ଛୁଇଁବା ପୂର୍ବରୁ ‘ପେତାଇ’ ସାମାନ୍ୟ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ। ତେବେ ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଚା ପ୍ରତି ୭୦ରୁ ୯୦ କିଲୋମିଟର ରହିବ। ଏହାର ପ୍ରଭାବରେ ଉପକୂଳ ଆନ୍ଧ୍ରରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼, ତାମିଲନାଡୁର ଉତ୍ତର ଭାଗ ଏବଂ ପୁଡୁଚେରୀର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ସମେତ ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
‘ପେତାଇ’ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ଆନ୍ଧ୍ର ପ୍ରଦେଶ ଉପକୂଳ ଓ ପୁଡୁଚେରୀର ୟାନମ ଜିଲ୍ଲା କ୍ଷତିଗ୍ରସ୍ତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
‘ପେତାଇ’କୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଖଳା ଓ ମଣ୍ଡିରେ ଥିବା ଧାନ ଗୁଡ଼ିକର ସୁରକ୍ଷା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡେପୁଟି ରିଲିଫ୍ କମିଶନର।
from Odisha Reporter https://ift.tt/2rEQxmb
No comments:
Post a Comment