
ଜାକର୍ତ୍ତା:ସୁନାମିର ଭୟଙ୍କର ତାଣ୍ଡବରେ ଦକ୍ଷିଣ ଏସିଆର ଜାଭା, ସୁମାତ୍ରା ଏବଂ ଇଣ୍ଡୋନେଆର ୧୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୪୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏପରି ଘଟିବା ପୂର୍ବରୁ କାହାପାଖରେ ମଧ୍ୟ ସତର୍କ ସୂଚନା ନଥିଲା। ଆଗ୍ନେୟ ଉଦ୍ଗୀରଣ ଯୋଗୁ ସମୁଦ୍ରର ତଳଭାଗରେ ହୋଇଥିବା ଭୂସ୍ଖଳନ ଏପରି ସୁନାମିର କାରଣ ହୋଇଥାଇପାରେ ବୋଲି ଦେଶର ପାଣିପାଗ, ଜଳବାୟୁ ଏବଂ ଭୂତତ୍ତ୍ୱ ସଂସ୍ଥାମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଦକ୍ଷିଣ ସୁମାତ୍ରା ଏବଂ ପଶ୍ଚିମ ଜାଭା ଅଞ୍ଚଳରେ ରାତି ୯.୩୦ରେ ମାଡ଼ ହୋଇଥିବା ସୁନାମି ପ୍ରଭାବରେ ଶହଶହ କୋଠା ଧ୍ୱଂସ ହୋଇଯାଇଛି।
ଉଦ୍ଧାରକାରୀ ଦଳ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ୧୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୪୫ ଜଣ ଆହତ ହୋଇଥିବା ଏହି ଉଦ୍ଧାରକାର୍ଯ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ୩୦ ଜଣ ବର୍ତ୍ତମାନ ମଧ୍ୟ ନିଖୋଜ ଅଛନ୍ତି।
ଏକ ଭିଡିଓରୁ ଜଣାପଡ଼ୁଛି ପାଣିର ଏକ କାନ୍ଥ ମାଡ଼ି ଆସୁଛି ଏବଂ ସୁନାମି ମାଡ଼ହେବା ବେଳକୁ ‘ସେଭେଣ୍ଟିନ୍’ ନାମକ ଏକ ବ୍ୟାଣ୍ଡ୍ ତାର ପ୍ରଦର୍ଶନ ଜାରି ରଖିଥିଲା। ଏହି ବ୍ୟାଣ୍ଡ୍ର ଜଣେ ସଦସ୍ୟଙ୍କର ଏଥିରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଅନ୍ୟ ସଦସ୍ୟମାନଙ୍କୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରିନାହିଁ।
ସମୁଦ୍ରକୂଳର କୋଠାସବୁ ଭୂଲୁଣ୍ଠିତ ହୋଇଥିବା ବେଳେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ିଯାଇଛି। ଜଣେ ୨୩ ବର୍ଷୟ ଯୁବକଙ୍କ କହିବା ଅନୁଯାୟୀ ସେ ବାଇକ୍ ଷ୍ଟାର୍ଟ ନକରିପାରିବାରୁ ବାଇକ୍ ଛାଡ଼ି ଦେଇ ଆଖିବୁଜି ଦୌଡ଼ିଯିବାରୁ ବଞ୍ଚିଯାଇଥିଲେ। ତେବେ ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ମେରୁଦଣ୍ଡ ଭାଙ୍ଗିଯିବା କାରଣରୁ ହୋଇଛି ବୋଲି ମୃତଦେହ ଏବଂ ଆହତମାନଙ୍କୁ ଉଦ୍ଧାର କରୁଥିବା ଏକ ସ୍ୱେଚ୍ଛାସେବୀ ଦଳର ସଦସ୍ୟ ଅବୁ ସଲିମ୍ କହିଛନ୍ତି।
ଇଣ୍ଡୋନେସିଆ ଆଗ୍ନେୟଗିରି ବହୁଳ ଅଞ୍ଚଳ ହୋଇଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି। ଏହି ଅଞ୍ଚଳକୁ ପ୍ରଶାନ୍ତ ମହାସାଗର ‘ରିଙ୍ଗ୍ ଅଫ୍ ଫାୟାର’ ବୋଲି କୁହାଯାଉଛି।
୨୦୦୪ ମସିହା ଡିସେମ୍ବର ୨୬ରେ ୯.୩ ତୀବ୍ରତାର ଏକ ଭୂକମ୍ପ କାରଣରୁ ସଂଘଟିତ ସୁନାମିରେ ୨,୨୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ କେବଳ ଇଣ୍ଡୋନେସିଆରେ ୧,୬୮,୦୦୦ ଜଣ ମୃତ୍ୟୁବରଣ କରିଥିଲେ।
from Odisha Reporter http://bit.ly/2Si7vlI
No comments:
Post a Comment