ଓଡ଼ିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଟଳଙ୍କ ଦାନ ଅତୁଳନୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଓଡ଼ିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଟଳଙ୍କ ଦାନ ଅତୁଳନୀୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୯୨୪ ମସିହା ଡିସେମ୍ୱର ୨୫ ଦିନ ମଧ୍ୟପ୍ରଦେଶର ଗ୍ୱାଲିୟର୍‌ରେ ହୋଇଥିଲା। ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଥିବା ଅଚଳ ବିହାରୀ ବାଜପେୟୀ କେବଳ ଜଣେ ରାଜନେତା ନ ଥିଲେ, ଏକାଧାରରେ ସେ ଥିଲେ ଜଣେ କବି, ପତ୍ରକାର ଓ ପ୍ରଖର ବକ୍ତା। ଏପରି ଜଣେ ମହାନ୍ ରାଷ୍ଟ୍ରନାୟକ, ଜନନାୟକ ଓ ଦାର୍ଶନିକଙ୍କୁ ହରାଇବା ପରେ ଆଜି ସାରା ଦେଶ ତାଙ୍କୁ ମନେ ପକାଉଛି।

ରାଜନୀତିରେ ବାଜପେୟୀଙ୍କର ପ୍ରବେଶ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସେ ସାମିଲ୍‌ ହେବା ପରେ ହୋଇଥିଲା।

ବାଚପେୟୀ ଥିଲେ ଭାରତର ୧୦ମ ପ୍ରଧାନମନ୍ତ୍ରୀ। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୧୯୯୬, ୧୯୯୮, ୧୯୯୯ରେ ସେ ତିନିଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ସେ ୧୯୯୯ରୁ ସେ ୨୦୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ପ୍ରଧାନମନ୍ତ୍ରୀ ରହିଥିବା ସମୟରେ ଅଟଳ ବିହାରୀ ବାଜପେୟୀ ଦେଶ ପାଇଁ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପ୍ରତି ଥିଲା ବିଶେଷ ଦୃଷ୍ଟି। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ରାଜ୍ୟର ଗମନାଗମନ ଠାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିଥିଲା ବୈପ୍ଳବିକ ପରିବର୍ତ୍ତନ। ଓଡ଼ିଶାର ଆର୍ଥିକ ବିକାଶ ଲାଗି ବାଜପେୟୀ ସର୍ବଦା ଚିନ୍ତା କରୁଥିଲେ। ସେଥିପାଇଁ ଓଡ଼ିଶାରେ ତୈଳ ବିଶୋଧନାଗାର, ଭୁବନେଶ୍ୱର ଏମ୍ସ ଏବଂ ଇଷ୍ଟ କୋଷ୍ଟ ରେଲଓ୍ୱେ ଜୋନ୍‌ର ସ୍ଥାପନା ସମ୍ଭବ ହୋଇପାରିଥିଲା।

୧୯୯୯ ମସିହା ମହାବାତ୍ୟା କଥା ମନେପଡ଼ିଲେ ଆଜି ବି ଛାତିରେ ଭୟରେ ଥରିଉଠେ। ଏହି ସମୟରେ ଓଡ଼ିଶାରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହେବା ସହିତ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।

ମହାବାତ୍ୟା ବିପଦ ସମୟରେ ଓଡ଼ିଶାବାସୀଙ୍କ ପଛରେ ପାଚେରୀ ଭଳି ଠିଆ ହୋଇଥିଲେ ଅଟଳ। ଏହି ସମୟରେ ବାଚପେୟୀ ଓଡ଼ିଶା ଆସିଥିଲେ ଏବଂ ସେହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଗିରିଧର ଗମାଙ୍ଗ। ପ୍ରଧାନମନ୍ତ୍ରୀ ବାଜପେୟୀ ମହାବାତ୍ୟା ପରେ ଓଡ଼ିଶାର ୭ ଲକ୍ଷ ପରିବାରକୁ କେନ୍ଦ୍ରୀୟ ଆବାସ ଯୋଜନାରେ ୨୫୦ କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରି ସରକାରରେ ଥିବା ଅନେକ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ସେହିପରି ପାରାଦୀପରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍‌ର ତେଲ ରିଫାଇନାରୀ ହେଉଛି ବାଜପେୟୀଙ୍କର ଓଡ଼ିଶାକୁ ଅନ୍ୟ ଏକ ଦାନ। ୨୦୦୦ ମସିହା ମେ’୨୪ରେ ସେ ପାରାଦୀପ ରିଫାଇନାରୀର ଶିଳାନ୍ୟାସ କରିଥିଲେ। ୨୦୦୦ମସିହାରେ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ୩୪ ହଜାର ୫୫୫ କୋଟି ପୁଞ୍ଜି ନିବେଶରେ ପାରାଦୀପ ତୈଳ ବିଶୋଧାନାଗାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ୭ ଫେବୃଆରୀ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍‌ଘାଟନ କରିଥିଲେ ଏବଂ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା।

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବାଜପେୟୀଙ୍କ ରହିଛି ମହତ୍ୱପୂର୍ଣ୍ଣ ଅବଦାନ। ଭୁବନେଶ୍ୱର ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ) ପ୍ରତିଷ୍ଠା କରିଥିଲେ ବାଜପେୟୀ। ୨୦୦୩ ମସିହାରେ ଭୁବନେଶ୍ୱରରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ।

ସେହିପରି ଓଡ଼ିଶାର ଦୀର୍ଘ ବର୍ଷର ଦାବି ସ୍ୱତନ୍ତ୍ର ରେଲଓ୍ୱେ ଜୋନ୍ ପ୍ରତିଷ୍ଠାକୁ ଗ୍ରହଣ କରିଥିଲେ ବାଜପେୟୀ। ସେଥିପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦିନ ହିଁ ୨୦୦୩ ଉତ୍କଳ ଦିବସରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ରେଲଓ୍ୱେ ଜୋନ୍।

୨୦୦୦ ମସିହାରେ ବାଜପେୟୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଶୁଭାରମ୍ଭ କରିଥିଲେ। ଫଳରେ ଓଡ଼ିଶାରେ ଯାତାୟାତ ସହଜ ହୋଇଥିଲା। ଗାଁ ଗାଁକୁ ସଂଯୋଗ ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା। ଏହି ଯୋଜନାରେ ଓଡ଼ିଶାରେ ୩୫ ହଜାର ୧୯ କିଲୋମିଟର ରାସ୍ତାର ନବୀକରଣ କରାଯାଇଥିଲା। ସେହିଭଳି ସେ ଗରିବ ଲୋକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପରି ବହୁ ଜନହିତକାରୀ ଯୋଜନା ଆରମ୍ଭ କରିଥିଲେ। ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶାରେ ବାଚପେୟୀ ଅନ୍ନପୂର୍ଣ୍ଣା ଯୋଜନା ଓ ଅନ୍ତୋଦୟ ଅନ୍ନ ଯୋଜନା ଆଣିଥିଲେ। ଏହା ସହିତ ଆଦିବାସୀଙ୍କ ବିକାଶ କରିବା ପାଇଁ ବାଜପେୟୀ ଅଲଗା ଏକ ମନ୍ତ୍ରଣାଳୟ ତିଆରି କରିବା ସହିତ ଓଡ଼ିଶାର ଜୁଏଲ୍‌ ଓରାମ୍‌ଙ୍କୁ ଏହାର ଦାୟିତ୍ୱ ଦେଇଥିଲେ।

ତାଙ୍କ ଅମଳରେ ଓଡ଼ିଶାରେ ଜାତୀୟ ରାଜପଥ କ୍ଷେତ୍ରରେ ମଧ୍ୟ ବିରାଟ ପରିବର୍ତ୍ତନ ଆସିଥିଲା। ବାଜପେୟୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଓଡିଶା ବିଶେଷ ଲାଭାନ୍ୱିତ ହୋଇଥିଲା। ବାଜପେୟୀ କରିଥିବା ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ଜରିଆରେ ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇ, କୋଲକାତାକୁ ସହଜରେ ଯାତ୍ରା କରିବା ପାଇଁ ଓଡ଼ିଶାର ବାଲେଶ୍ୱର ଓ ବରହମ୍‌ପୁର୍‌ ଦେଇ ୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ବାଜପେୟୀ ଏର ନୂତନ ରାସ୍ତା ପ୍ରଦାନ କରିଥିଲେ। ସେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ National Institute of Science Education and Research (NISER)ବାଜପେୟୀ ସରକାରଙ୍କ ସମୟରେ ହିଁ ସମ୍ଭବ ହୋଇପାରିଥିଲା।

ଆହୁରି ମଧ୍ୟ ଓଡ଼ିଶାରେ ଅଟଳ ବିହାରୀ ବାଜପେୟୀଙ୍କ ବିଚକ୍ଷଣ କୂଟନୀତିର ଝଲକ ଦେଖିବାକୁ ମିଳିଛି। ଆଡଭାନୀଙ୍କ ସହ ମନ୍ତ୍ରଣା କରି ଓଡ଼ିଶାରେ ବିଜେପି କିପରି ଶାସନ ଗାଦିକୁ ଆସିବ ତାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଅଟଳ। ସେଥିପାଇଁ ପ୍ରମୋଦ ମହାଜନଙ୍କୁ କାର୍ଯ୍ୟରେ ଲଗାଇ ୨୬ ଡିସେମ୍ବର ୧୯୯୭ରେ ଓଡ଼ିଶାରେ ବିଜୁ ଜନତା ଦଳ ସୃଷ୍ଟିର ନିଅଁ ପକାଇଥିଲେ। ବାଜପେୟୀଙ୍କ ନେତୃତ୍ୱକୁ ଓଡ଼ିଶାବାସୀ ଗ୍ରହଣ କରିଥିଲେ। ଫଳରେ ୨୦୦୦ରେ ପ୍ରଥମ ଥର ଲାଗି ଓଡ଼ିଶାରେ ବିଜେଡି-ବିଜେପି ସରକାର କ୍ଷମତାକୁ ଆସିଥିଲା।



from Odisha Reporter http://bit.ly/2V8kit6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages