
ଥିରୁଅନନ୍ତପୁରମ: ‘ଲଭ୍ ଜିହାଦ’ ବିବାଦର ପ୍ରତୀକ ୨୬ ବର୍ଷୀୟ କେରଳୀ ମହିଳା ହାଦିୟାଙ୍କ ବାପା ଆଜି ବିଜେପିରେ ମିଶିଛନ୍ତି। ଏଥିସହ ସୁପ୍ରିମକୋର୍ଟ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଦେଇଥିବା ରାୟକୁ ବିଜେପି ପରି ହାଦିୟାଙ୍କ ବାପା ମଧ୍ୟ ବିରୋଧ କରିଛନ୍ତି।
ହାଦିୟା ଜଣେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତିଙ୍କୁ ବାହା ହେବେ ବୋଲି ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏହାକୁ ତାଙ୍କ ପରିବାର ଲୋକ ଜୋରଦାର ବିରୋଧ କରିଥିଲେ। ଏପରି କି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
ହାଦିୟାଙ୍କ ବାପା କେଏମ ଅଶୋକନଙ୍କୁ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ବି ଗୋପାଲ କ୍ରିଷ୍ଣନ୍ ପାର୍ଟିର ସଦସ୍ୟତା ପାଇଁ ଆବଶ୍ୟକ ଟୋକନ ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଅଶୋକନ କହିଛନ୍ତି, “ ବିଜେପି ଦେଶର ଏକମାତ୍ର ଦଳ ଯିଏ ହିନ୍ଦୁ ଧର୍ମକୁ ସୁରକ୍ଷା ଦେଇପାରୁଛି। ପିଲାଟି ବେଳୁ ମୁଁ ବାମପନ୍ଥୀ ଦଳକୁ ସମର୍ଥନ କରୁଥିଲି। କିନ୍ତୁ ଏବେ ବାମପନ୍ଥୀ ଦଳ ଭୋଟ ବ୍ୟାଙ୍କ ରାଜନୀତି ଆରମ୍ଭ କରିଛି। ମୁଁ ବୁଝିପାରୁନି ଯଦି ଜଣେ ହିନ୍ଦୁତ୍ୱବାଦ କଥା କହୁଛି, ସେ କେମିତି ଏକ ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରୁଛି ବୋଲି କୁହାଯାଉଛି?”
ହାଦିୟାଙ୍କ ଇସଲାମ ଧର୍ମ ଗ୍ରହଣ କରିବା ପୂର୍ବରୁ ତାଙ୍କ ନାଁ ଅକିଲା ଅଶୋକନ ରହିଥିଲା। ତେବେ ହୋମିଓପ୍ୟାଥୀ ଡାକ୍ତର ଅକିଲା ଇସଲାମ ଧର୍ମ ଗ୍ରହଣ କରିବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପ୍ରଥମେ ହାଇକୋର୍ଟ ହାଦିୟାଙ୍କ ବାହାଘରକୁ ଖାରଜ କରିବା ସହ ତାଙ୍କୁ ବାପା ମା’ଙ୍କ ପାଖକୁ ପଠାଇ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରି ଦେଇଥିଲେ।
from Odisha Reporter https://ift.tt/2R139lM
No comments:
Post a Comment