
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ହକି ବିଶ୍ୱକପ୍ରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି। ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଆର୍ଜେଣ୍ଟିନାକୁ କ୍ରସଓଭର୍ ମ୍ୟାଚ୍ ଖେଳି କ୍ୱାର୍ଟର ଫାଇନାଲ୍ ଯାଇଥିବା ଅପେକ୍ଷାକୃତ ଦୁର୍ବଳ ଟିମ ଇଂଲଣ୍ଡ ପରାସ୍ତ କରିଦେଇଛି। ଇଂଲଣ୍ଡ ୩-୨ରେ ମ୍ୟାଚ୍ ଜିତିବାରୁ ସିଧାସଳଖ ସେମି ଫାଇନାଲ୍ରେ ପହଞ୍ଚି ଯାଇଛି। ସେହିପରି ଆର୍ଜେଣ୍ଟିନାର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି।
ଆଜି ବିଶ୍ୱକପ୍ର ପ୍ରଥମ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ଇଂଲଣ୍ଡ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍ ଆରମ୍ଭରୁ ଇଂଲଣ୍ଡ ପ୍ରତିପକ୍ଷ ଆର୍ଜେଣ୍ଟିନା ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା।
ମ୍ୟାଚ୍ର ୧୧ତମ ମିନିଟ୍ରେ ଇଂଲଣ୍ଡକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ଦଳ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ଆର୍ଜେଣ୍ଟିନା ଏହି କ୍ୱାର୍ଟରରେ ଗୋଲ କରିବାର କୌଣସି ସୁଯୋଗ ପାଇ ନଥିଲା। ଫଳରେ ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଆକ୍ରମଣ କରିଥିଲା। ଦଳକୁ ୧୭ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗଞ୍ଜାଲୋ ପିଏଲେଟ୍ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ହେବାକୁ ୩ ମିନିଟ୍ ବାକି ଥିବା ବେଳେ ଇଂଲଣ୍ଡ ପକ୍ଷରୁ ମିଡିଲ୍ଟନ୍ ଗୋଲ ସ୍କୋର କରି ସ୍ଥିତି ବରାବର କରି ଦେଇଥିଲେ।

ହାଫଟାଇମ୍ ପରେ ୧-୧ରୁ ଖେଳ ଆରମ୍ଭ ହୋଇଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରୁ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତୃତୀୟ କ୍ୱାର୍ଟରର ଶେଷ ମିନିଟ୍ରେ ଇଂଲଣ୍ଡ ପକ୍ଷରୁ ୱିଲ କାଲନନ୍ ଫିଲ୍ଡ ଗୋଲ ଦେଇ ମ୍ୟାଚ୍ରେ ପ୍ରଥମ ଥର ପାଇଁ ଦଳକୁ ଅଗ୍ରଣୀ କରି ଦେଇଥିଲେ।
୪ର୍ଥ କ୍ୱାର୍ଟରରେ ଆର୍ଜେଣ୍ଟିନା ସ୍ଥିତି ବରାବର କରିବାକୁ ଜୋରଦାର ଉଦ୍ୟମ କରିଥିଲା। ଦଳକୁ ୪୮ତମ ମିନିଟ୍ରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଗଞ୍ଜାଲୋ ଗୋଲରେ ପରିଣତ କରି ସ୍ଥିତି ୨-୨ରେ ବରାବର କରିଥିଲେ। ଏହାର ଗୋଟିଏ ମିନିଟ୍ ପରେ ଇଂଲଣ୍ଡ ପକ୍ଷରୁ ମାର୍ଟିନ ଗୋଲ କରି ପୁଣି ଦଳକୁ ୩-୨ରେ ଆଗୁଆ କରି ଦେଇଥିଲେ।
ଆର୍ଜେଣ୍ଟିନା ଶେଷ ୫ମିନିଟ୍ରେ କମ୍ବ୍ୟାକ୍ କରିବାକୁ ଉଦ୍ୟମ କରିଥିଲେ ହେଁ ଇଂଲଣ୍ଡର ଡିଫେନ୍ସ ସବୁ ଉଦ୍ୟମକୁ ନିଷ୍ଫଳ କରି ଦେଇଥିଲା।
from Odisha Reporter https://ift.tt/2ruRihq
No comments:
Post a Comment