
ଭୁବନେଶ୍ୱର: ବିଶ୍ୱକପ୍ ହକିର ଆଉ ଏକ ରୋମାଞ୍ଚକର ମ୍ୟାଚ୍ ୧-୧ରେ ଡ୍ର ରହିଛି। ବିଶ୍ୱର ୮ ନଂ ଦଳ ସ୍ପେନ୍ ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଫ୍ରାନ୍ସଠାରୁ ହାରୁହାରୁ ଅଳ୍ପକେ ରକ୍ଷା ପାଇଯାଇଛି। ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍ ହକି ଖେଳୁଥିବା ଫ୍ରାନ୍ସ ମ୍ୟାଚ୍ ଆରମ୍ଭରୁ ନିଜଠାରୁ ଶକ୍ତିଶାଳୀ ସ୍ପେନ୍ ଉପରେ ଚାପ ସୃଷ୍ଟି କରିଥିଲା। ବର୍ତ୍ତମାନ ବିଶ୍ୱର ୨୦ ନଂ ସ୍ଥାନରେ ଥିବା ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଥିବାରୁ ସ୍ପେନ୍ ବିପକ୍ଷ ମ୍ୟାଚ୍ଟି କର ବା ମର ପରିସ୍ଥିତି ଭାବେ ଉଭା ହୋଇଥିଲା। ତେଣୁ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ମ୍ୟାଚ୍ର ୬ ମିନିଟ୍ରେ ଟିମୋଥି କ୍ଲେମେଣ୍ଟ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଫିଲ୍ଡ୍ ଗୋଲ୍ କରିଥିଲେ। ଫଳରେ ଦଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଶକ୍ତିଶାଳୀ ସ୍ପେନ୍ ବିପକ୍ଷରେ ୧-୦ରେ ଆଗୁଆ ହୋଇଯାଇଥିଲା।
ସ୍ପେନ୍କୁ ପ୍ରଥମ କ୍ୱାର୍ଟରରେ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା। ଫଳରେ ପ୍ରଥମ କ୍ୱାର୍ଟରରେ ଫ୍ରାନ୍ସ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରେ ମଧ୍ୟ ସ୍ପେନ୍ ଘନଘନ ଆକ୍ରମଣ କରିଥିଲା। କିନ୍ତୁ କୌଣସି ସୁଫଳ ପାଇ ନଥିଲା। ମ୍ୟାଚ୍ର ହାଫଟାଇମ୍ ଯାଏ ସ୍କୋର ୧-୦ରେ ଫ୍ରାନ୍ସ ସପକ୍ଷରେ ରହିଥିଲା। ତୃତୀୟ କ୍ୱାର୍ଟରରେ ଫ୍ରାନ୍ସ ଆଟାକିଙ୍ଗ ଖେଳ ପ୍ରଦର୍ଶନ କରିଥିଲା। ଫଳରେ ଦଳକୁ ମ୍ୟାଚ୍ର ୪୨ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ଭିକ୍ଟର ଚାର୍ଲଲେଟ୍ ଗୋଲରେ ପରିଣତ କରିପାରି ନଥିଲେ। ସ୍ପେନ୍ ତୃତୀୟ କ୍ୱାର୍ଟରରେ ଗୋଲ କରିବାର କୌଣସି ସୁଯୋଗ ପାଇ ନଥିଲା।
୪ର୍ଥ କ୍ୱାର୍ଟର ଆରମ୍ଭରୁ ସ୍ପେନ୍ ରଣନୀତି ବଦଳାଇଥିଲା। ଫଳରେ ଦଳ ମ୍ୟାଚ୍ର ୪୮ତମ ମିନିଟ୍ରେ ଗୋଲ କରି ସ୍ଥିତି ବରାବର କରିଥିଲା। ଏହି ଗୋଲ୍ଟିକୁ ଦଳ ପକ୍ଷରୁ ଆଲଭୋରା ଲିଗ୍ଲେସିଆସ୍ ସ୍କୋର କରିଥିଲେ। ୫୧ତମ ମିନିଟ୍ରେ ଫ୍ରାନ୍ସକୁ ଗୋଲ କରିବାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ସ୍ପେନ୍ ଗୋଲକିପର୍ ଅଟକାଇ ଫ୍ରାନ୍ସର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ। ଶେଷରେ ମ୍ୟାଚ୍ଟି ୧-୧ରେ ଡ୍ର ରହିଥିଲା।
ସ୍ପେନ୍ ତା’ର ପ୍ରଥମ ମ୍ୟାଚ୍ରେ ଆର୍ଜେଣ୍ଟିନାଠାରୁ ୪-୩ ଗୋଲରେ ପରାସ୍ତ ହୋଇଥିଲା।
from Odisha Reporter https://ift.tt/2rk4fdG
No comments:
Post a Comment