
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଦୁଇଦିନ ତଳେ ବିଜେପି ନେତା ଶ୍ରୀ ରାମ ମାଧବ, ବିଜେପିର ପ୍ଳାନ ‘ବି’ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ନିର୍ବାଚନ ପରେ ପୂର୍ବ ଭାରତରେ ବିଜେଡି ସହିତ ବିଜେପିର ମେଣ୍ଟ ହେବ। ଏହି ପଟ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓଡିଶା ଗସ୍ତ ସମୟରେ ସେ ନବୀନ ପଟ୍ଟନାୟକଙ୍କ ଉପରେ ଅତ୍ୟନ୍ତ କୋମଳ ସମାଲୋଚନା କରିବାଟା ଅସ୍ୱାଭାବିକ ନଥିଲା। ବିଜେପି ଦଳ ଆସନ୍ନ ପରାଜୟର ଆଶଙ୍କାରେ ଜର୍ଜରିତ ହୋଇ ରାମ ମନ୍ଦିର ନିର୍ମାଣ ପାଇଁ ପାର୍ଲାମେଣ୍ଟର ଏକ ଅର୍ଡିନାନ୍ସ ଆଣିବାକୁ କହିବା ଏକ ଆର୍ତ୍ତ ଚିତ୍କାର ଛଡା ଆଉ କ’ଣ ହୋଇପାରେ ବୋଲି ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଏକ ପ୍ରେସ ବିବୃତିରେ କହିଛନ୍ତି।
ସେ କହିଛନ୍ତି, ସିପିଏମର ରାଜ୍ୟ କମିଟି ବୈଠକରେ ଗୃହୀତ ପ୍ରସ୍ତାବରେ କୁହାଯାଇଛି ଯେ ଓଡିଶା ମୁଖ୍ୟମନ୍ତ୍ରୀ ୧୯ ବର୍ଷର ଶାସନର ସମାପ୍ତିରୁ ରକ୍ଷା ପାଇବା ପାଇଁ ଆର୍ଥିକ ସ୍ୱତନ୍ତ୍ରତାର ସ୍ଳୋଗାନ୍ ଉଠାଇଛନ୍ତି। ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି – ‘ମୋତେ ଆର୍ଥିକ ସ୍ୱତନ୍ତ୍ରତା ଦିଅ ମୁଁ ଓଡିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢ଼ି ତୋଳିବି ।’ ଏଭଳି ବାହାସ୍ଫୋଟ ବିଜୁ ପଟ୍ଟନାୟକ ମଧ୍ୟ କରିଥିଲେ ଓ ଯୁକ୍ତି ବାଢ଼ିଥିଲେ ଯେ ଓଡିଶାରେ ଯେଉଁ ଖଣିଜ ସମ୍ପଦ, ପ୍ରାକୃତିକ ସମ୍ପଦ ରହିଛି ସେଥିରୁ କିଛି ମାତ୍ରାରେ ବିକ୍ରି କଲେ ଓଡ଼ିଶାର ସବୁ ସମସ୍ୟାର ସମାଧାନ ହୋଇ ପାରିବ। ଆମକୁ କେନ୍ଦ୍ର ପାଖରେ ହାତ ପତେଇବାକୁ ପଡ଼ିବ ନାହିଁ। ବର୍ତ୍ତମାନ ନବ୍ୟ ଉଦାରବାଦୀ ଯୁଗରେ ନବୀନ ବାବୁ ଏହି କଥା ଉଠାଇବା ଏବଂ ୧୯ ବର୍ଷର ଶାସନର ଶେଷ ମୁହୁର୍ତ୍ତରେ କେନ୍ଦ୍ର ସରକାର ଓଡ଼ିଶାକୁ ଏହି ଅଧିକାର ଦିଅନ୍ତୁ ବୋଲି ଦାବି କରିବା ଏକ ରାଜନୈତିକ ଚାଲ ଛଡା ଆଉ କିଛି ନୁହେଁ ବୋଲି ଶ୍ରୀ ପତି ଦର୍ଶାଇଛନ୍ତି।
ଆସନ୍ତା ଜାନୁଆରୀ ୮ ଓ ୯ ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ଋଣମୁକ୍ତ କରିବା, ଏମ୍ଏସପିରେ ଝାରଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ ଭଳି ଓଡ଼ିଶାର ଚାଷୀଙ୍କୁ ବୋନସ୍ ପ୍ରଦାନ କରିବା ସହ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରୀ ୬୦୦ ଟଙ୍କା କରିବା, ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରିବା, ବେକାର ଯୁବକମାନଙ୍କୁ ବେକାରୀ ଭତ୍ତା, କୃଷକମାନଙ୍କ ପାଇଁ ପେନସନ ବ୍ୟବସ୍ଥା, ଠିକା ଶ୍ରମିକ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ଇତ୍ୟାଦି ଦାବିଗୁଡ଼ିକ ଉପରେ ବ୍ୟାପକ ପ୍ରଚାର ଅଭିଯାନ ଚଳାଇବା ପାଇଁ ସିପିଏମ ଆହ୍ୱାନ ଦେଇଛି। ତା ସହିତ କେନ୍ଦ୍ରର ମୋଦି ସରକାରର ଜନବିରୋଧୀ ନୀତି ବିରୋଧରେ ବ୍ୟାପକ ଏକତା ଓ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଦଳ ସମସ୍ତଙ୍କୁ ନିବେଦନ କରିଛି।
ଆଗାମୀ ୮ ଓ ୯ ତାରିଖ ଧର୍ମଘଟ ଜରିଆରେ ଦେଶର ଶ୍ରମିକ ଓ କୃଷକମାନେ ନରେନ୍ଦ୍ର ମୋଦି ସରକାରଙ୍କୁ ଚେତାବନୀ ଦେବେ। ତା ସତ୍ତ୍ୱେ ଯଦି କେନ୍ଦ୍ର ସରକାର ଜନ ବିରୋଧୀ ନୀତି ଗୁଡିକ ପ୍ରତ୍ୟାହାର ନକରେ, ତେବେ ଆଗାମୀ ନିର୍ବାଚନରେ ମୋଦି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସିପିଏମ ଚେତାବନୀ ଦେଇଛି।
from Odisha Reporter http://bit.ly/2CDWbuY
No comments:
Post a Comment