
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଜୋର୍ ଧରିଛି ଛକାପଞ୍ଝା ରାଜନୀତି। କୌଣସି ଗୋଟିଏ ଦଳ ନିଜ ରାଜନୀତିକ କାର୍ଯ୍ୟକ୍ରମ ଘୋଷଣା କରିବା ମାତ୍ରେ ପ୍ରତିଦ୍ୱନ୍ଦ୍ୱୀ ଦଳ ବି ସମାନ ଢଙ୍ଗରେ ନିଜସ୍ୱ କାର୍ଯ୍ୟକ୍ରମ ଘୋଷଣା କରୁଛନ୍ତି। ଏପରିକି ସମାନ ଦିନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ବି କରାଯାଉଛି।
ଗତ ୨୬ ତାରିଖରେ ଯେଭଳି ୩ଟି ଦଳର କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଲା, ଆସନ୍ତା ୫ ଓ ୮ ତାରିଖରେ ବି ସମାନ ସ୍ଥିତି ଉପୁଜିବାକୁ ଯାଉଛି। ଯାହା ଆସନ୍ତା ସାଧାରଣ ନିର୍ବାଚନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ଆଭାସ ଦେଲାଣି।
ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କଲା। ଠିକ୍ ସେହିଦିନ କଂଗ୍ରେସ୍ ନେତା ପାଳିଲେ କଳା ଦିବସ। ଆଉ ବିଜେପି ଆୟୋଜନ କଲା ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ। ଗୋଟିଏ ଦିନରେ ତିନି ଦଳର ଏଭଳି କାର୍ଯ୍ୟକ୍ରମକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି।
ସମାନ ଏପିସୋଡ୍ ରିପିଟ୍ ହେବାକୁ ଯାଉଛି ଆସନ୍ତା ୫ ଓ ୮ ତାରିଖରେ। ୫ତାରିଖରେ ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ସହ ରହିଛି ବିଜେପିର ସ୍ୱାଭିମାନ ସମାବେଶ। ଏପଟେସେହିଦିନ ପୁରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସରକାରୀ ସ୍ତରରେ ହେବ ସମାବେଶ। ମୁଖ୍ୟମନ୍ତ୍ରୀ, ପ୍ରତି ଗ୍ରୁପ୍କୁ ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦେବା ସହ ସ୍ମାର୍ଟ ଫୋନ୍ ବାବଦକୁ ଆଉ ୩ ହଜାର ଲେଖାଏ ଟଙ୍କା ଦେବେ।
ଏହାର ଦୁଇଦିନ ପରେ ଅର୍ଥାତ୍ ୮ ତାରିଖରେ ଚାଷୀ ପ୍ରସଙ୍ଗକୁ ନେଇ ନିଜ ନିଜର ଦମ୍ ଦେଖାଇବେ ସବୁ ଦଳ। ବିଜେଡି ଦିଲ୍ଲୀ ଦରବାରରେ ଗର୍ଜନ କରିବ। ଏପଟେ ବିଜେପି ସଚିବାଳୟ ଘେରିବାକୁ ଯୋଜନା କରିଥିବା ବେଳେ କଂଗ୍ରେସ୍ ବି ଜିଲ୍ଲାସ୍ତରରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି।
ପ୍ରଶ୍ନ ଉଠୁଛି, କ’ଣ ପାଇଁ ଜୋର୍ ଧରିଛି ଏଭଳି ଛକାପଞ୍ଝା ରଜାନୀତି ? କୌଣସି ଦଳ କାଳେ ପଲିଟିକାଲ୍ ମାଇଲେଜ୍ ନେଇଯିବ, ସେଥିପାଇଁ ଏଭଳି ପ୍ରତିଦ୍ୱନ୍ଦ୍ୱିତା କି ? ଗୋଟିଏ ଦଳ କୌଣସି କାର୍ଯ୍ୟକ୍ରମ କଲେ, ଅନ୍ୟ ଦଳ ସଙ୍ଗେ ସଙ୍ଗେ ଅନ୍ୟ ଏକ କାର୍ଯ୍ୟକ୍ରମ କରି ତା’ର ଜବାବ ଦେଉଛି। ବର୍ଷ ଆରମ୍ଭରୁ ସବୁ ଦଳର ଏଭଳି ଆଟାକିଂ ଆଭିମୁଖ୍ୟ ସଙ୍କେତ ଦେଉଛି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାକୁ ଯାଉଛି।
ରାଜ୍ୟରେ ୧୮ ବର୍ଷ ଧରି କ୍ଷମତାରେ ରହିଛି ବିଜେଡି। ହେଲେ ପ୍ରଥମ ଥର ସରକାର ବିରୋଧୀ ହାଓ୍ୱାକୁ ସାମ୍ନା କରୁଛି ଦଳ। ଅନ୍ୟ ନିର୍ବାଚନଗୁଡ଼ିକ ତୁଳନାରେ ଏଥର ବିରୋଧୀ ଅଧିକ ସକ୍ରିୟ ହୋଇଛନ୍ତି। ତେଣୁ ପ୍ରତିଯୋଗିତା ତୀବ୍ର ହେଉଛି। ଖାସ୍ ସେଥିପାଇଁ ଭୋଟରଙ୍କ ମୁଡ୍ କେଉଁ ଦଳ ସପକ୍ଷରେ ରହିଛି ତାହା ବି ଜଣାପଡୁନାହିଁ।
from Odisha Reporter http://bit.ly/2AqIkqa
No comments:
Post a Comment