ମୋଦିଙ୍କ ହାତରେ ନବୀନଙ୍କ ରିମୋଟ କଣ୍ଟ୍ରୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ମୋଦିଙ୍କ ହାତରେ ନବୀନଙ୍କ ରିମୋଟ କଣ୍ଟ୍ରୋଲ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ରାହୁଲ ଗାନ୍ଧିଙ୍କୁ ଆଜି ପୁରା ଫର୍ମରେ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ବିଶାଳ ଜନସଭାକୁ ପ୍ରାୟ ୩୦ ମିନଟ୍ ଧରି ସମ୍ବୋଧିତ କରି ରାହୁଲ ଉଭୟ ବିଜେପି ଓ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦୁର୍ନୀତିରେ ବୁଡ଼ି ରହି କତିପୟ ଶିଳ୍ପପତିଙ୍କ ପାଇଁ କାମ କରୁଛନ୍ତି ଓ କିଛି ଅମଲାଙ୍କ ଦ୍ୱାରା ଶାସନ ଚାଲିଛି ବୋଲି କହିଛନ୍ତି। ମୋଦିଙ୍କ ହାତରେ ନବୀନଙ୍କ ରିମୋଟ କଣ୍ଟ୍ରୋଲ ରହିଛି ଓ ଏଇଥିପାଇଁ ଦୁର୍ନୀତିଗ୍ରସ୍ତ ନବୀନଙ୍କୁ ସେ ଯେତେବେଳେ ଚାହୁଁଛନ୍ତି ଉଠବସ କରାଇପାରୁଛନ୍ତି । ଏହାସହିତ କଂଗ୍ରେସରେ କ୍ଷମତାକୁ ଆସିଲେ ଓଡ଼ିଶାରେ ୧୦ଦିନ ମଧ୍ୟରେ କୃଷି ଋଣ ଛାଡ଼, ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୨୬୦୦ଟଙ୍କା ଏମଏସପି ଓ ପ୍ରତ୍ୟେକ ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବା ସହ ରାଜ୍ୟରେ ଅମଲା ପରିବର୍ତ୍ତେ ଜନତାଙ୍କ ସରକାର ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରାହୁଲ ଆଜି ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ଉଭୟ ମୋଦି ଓ ନବୀନଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ, ଓଡ଼ିଶାରେ ନିର୍ବାଚନ ପୂର୍ବରୁ ପ୍ରଶାସନିକ ଅଫିସରଙ୍କ ମାଧ୍ୟମରେ କିଛି ଶିଳ୍ପପତିଙ୍କଠୁ ପାଣ୍ଠି ଆଣୁଛନ୍ତି । ଆଉ ନିର୍ବାଚନ ସରିବା ପରେ ସେହି ଶିଳ୍ପପତିମାନଙ୍କ ହାତରେ ଓଡ଼ିଶାର ଜଳ, ଜଙ୍ଗଲ, ଜମି ଓ ପ୍ରାକୃତିକ ସମ୍ପଦକୁ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ହାତରେ ଟେକି ଦିଆଯାଉଛି। ନିଜର ସଂଗଠନ, କର୍ମକର୍ତ୍ତା ଓ ୧୫/୨୦ ଜଣ ଶିଳ୍ପପତିଙ୍କ ବିକାଶ ପାଇଁ ଏହି ସରକାର କାମ କରୁଛି। କେନ୍ଦ୍ରରେ ମଧ୍ୟ ମୋଦି ସରକାର ଅନୁରୂପ ଶୈଳୀରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠିକି ଯାଉଛନ୍ତି ଚାଷୀଙ୍କ ସହ ଅଛନ୍ତି ବୋଲି କହୁଛନ୍ତି। ଏଠି ବି ତାଙ୍କର ଜୁନିୟର ପାଟର୍ନର ନବୀନ ପଟ୍ଟନାୟକ ସମାନ କଥା କହୁଛନ୍ତି। ଉଭୟ ନବୀନ ଓ ମୋଦିଙ୍କ ଚିନ୍ତାଧାରା ସମାନ। ନବୀନ ସରକାର ଗତ ୧୫ବର୍ଷ ଧରି ରାଜ୍ୟରେ କୋତୋଟି ଜଳସେଚନ ପ୍ରକଳ୍ପ କରିଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଚାଷୀ, ବେରୋଜଗାର ଯୁବକ, ଦଳିତ ସମାଜ, ଶିକ୍ଷା କ୍ଷେତ୍ର ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ରାଜ୍ୟର ୬୦ଲକ୍ଷ ଯୁବକ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଛନ୍ତି। ମୋଦି ପ୍ରତିବର୍ଷ ୨କୋଟି ନିଯୁକ୍ତି ସୁଯୋଗ ଓ ନବୀନ ପଟ୍ଟନାୟକ ୨୦୨୦ ମସିହା ସୁଦ୍ଧା ୩୦ଲକ୍ଷ ଯୁବକଯୁବତୀଙ୍କୁ ଚାକିରି ଦେବେ ବୋଲି କହିଥିଲେ, କିନ୍ତୁ କେତେଜଣଙ୍କୁ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କଲେଜଗୁଡ଼ିକରେ ୩ହଜାର ଅଧ୍ୟାପକ ପଦ ଖାଲି ପଡ଼ିଛି। ୨୦ବର୍ଷ ଶାସନ କାଳରେ ନବୀନ ପଟ୍ଟନାୟକ ସରକାର ଓଡ଼ିଶାକୁ ତଳିତଳାନ୍ତ କରିଦେଇଛି। ଓଡ଼ିଶା ଗରିବ ରାଜ୍ୟ ନୁହେଁ କିନ୍ତୁ ଲୋକମାନେ ଗରିବ ହୋଇ ରହିଛନ୍ତି। ଓଡ଼ିଶାରେ ଥିବା ସମ୍ଭାବନାକୁ ଚପାଇ ରଖାଯାଇଛି। ଦାନ ମାଝୀର ଉଦାହରଣ ଦେଇ ରାହୁଲ କହିଛନ୍ତି ଯେ ଆଦିବାସୀ ବ୍ୟକ୍ତିଙ୍କୁ ନିଜର ପତ୍ନୀର ଶବକୁ ୧୦କିିମି କାନ୍ଧରେ ବୋହି ନେବାକୁ ପଡ଼ୁଛି। ଏଥିରୁ ନବୀନ ପଟ୍ଟନାୟକ ସରକାରର ସ୍ୱାସ୍ଥ୍ୟସେବାର ବାସ୍ତବତା ଜଣାପଡ଼ୁଛି।

ମୋଦିଙ୍କୁ ଚୌକିଦାର-ଚୋର ଓ ନବୀନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରି ରାହୁଲ କହିଛନ୍ତି ଯେ ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଏହି କାରଣରୁ ନବୀନଙ୍କ ରିମୋଟ୍ କଣ୍ଟ୍ରୋଲ ମୋଦିଙ୍କ ହାତରେ ରହିଛି। ଯେତେବେଳେ କୌଣସି ବିଲ୍ ପାସ ହେଉ ଅବା ନୋଟବନ୍ଦୀ କିମ୍ବା ଗବର ସିଂ ଟ୍ୟାକ୍ସ(ଜିଏସଟି) ଯୋଗୁ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଏବଂ ମଧ୍ୟବିତ୍ତ ବର୍ଗ ପ୍ରଭାବିତ ହେଉଥିବା ଜାଣି ମଧ୍ୟ ମୋଦିଙ୍କ ରିମୋଟ୍ କଣ୍ଟ୍ରୋଲ ଯୋଗୁ ନବୀନ ଏସବୁ କାର୍ଯ୍ୟରେ ସହଯୋଗ କରିବାକୁ ଆଗେଇ ଆସିଥାନ୍ତି। ମୋଦି ରିମୋଟ୍ ଚିପିବା ମାତ୍ରେ ନବୀନ ସବୁଥରେ ହଁ ମାରିଥାନ୍ତି। ନବୀନ ପଟ୍ଟନାୟକ ଏଠି ଅମଲାଙ୍କ ସରକାର ଚଳାଉଛନ୍ତି। ଲୋକଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ କଥା ଶୁଣି ସରକାର ଚଳଇବ। ଦଳିତ,ଆଦିବାସୀ ଓ ସମାଜର ସବୁ ବର୍ଗ ଓ ଜାତି ଓ ଧର୍ମର ଲୋକଙ୍କ କଥା ଶୁଣି ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ , ରୋଜଗାର ଦେଇ ଭଲପାଇବା ସହ ସରକାରକୁ ଆଗେଇ ନେବ।

ଚାଷ ଓ ଚାଷୀଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇ ରାହୁଲ କହିଛନ୍ତି ଯେ ଏଠାକାର ରାଜ୍ୟ ସରକାର ଚାଷ ଓ ଚାଷୀକୁ ବୋଝ ବୋଲି ଭାବୁଛି। ଚାଷୀଙ୍କୁ ଭରସା ଦେଇପାରୁନି। ଚାଷୀଙ୍କ ସମସ୍ୟାକୁ ଚପାଇ ଦିଆଯାଉଛି। ସହାୟତା ଦିଆଯାଉନି। କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରିବ। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଯେଭଳି ଚାଷୀଙ୍କ ପାଇଁ ପଦକ୍ଷେପ ନେଇଛି ସେହିପରି କାର୍ଯ୍ୟ ଓଡ଼ିଶାରେ କରିବ। ଏସବୁ ରାଜ୍ୟରେ ଚାଷୀଙ୍କୁ କଂଗ୍ରେସ ଉପହାର ଦେଇନି। ଅନ୍ନଦାତାଙ୍କୁ ସେମାନଙ୍କ ହକ ଦେଇଛି। କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ କୃଷି ଋଣ ଛାଡ଼ କରିବା ଓ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୨୬୦୦ଟଙ୍କା ଏମଏସପି ପ୍ରଦାନ ସହ ପ୍ରତ୍ୟେକ ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବା ଓ ଶୀତଳ ଭଣ୍ଡାର ସ୍ଥାପନ କରି ଚାଷୀର ଉତ୍ପାଦନ ସାମଗ୍ରୀକୁ ଦେଶବିଦେଶରେ ବିକ୍ରି କରିବାର ସୁବିଧା ସୃଷ୍ଟି କରିବ। ରାଜ୍ୟରେ ଦଳର ସଂଗଠନର କାର୍ଯ୍ୟକୁ ପ୍ରଶଂସା କରିବା ସହ ଏବେ ଓଡ଼ିଶାରେ କଂଗ୍ରେସ ଏକ ଫାଇଟିଂ ଫୋର୍ସ ପାଲଟିଛି ବୋଲି ରାହୁଲ କହିଛନ୍ତି।

ଓଡ଼ିଶାର ଯୁବକଙ୍କୁ ରୋଜଗାର ଓ ଚାଷୀଙ୍କୁ ସ୍ୱାର୍ଥ ରକ୍ଷା ଦିଗରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ସରକାରକୁ ପରାଜିତ କରିବା ପାଇଁ ରାହୁଲ ଆହ୍ୱାନ ଦେଇଛନ୍ତି।

ଏହାସହିତ ବିଜେପିର ମୂଳ ସଂଗଠନ ଆରଏସଏସ ଦ୍ୱାରା ଦେଶରେ ଘୃଣା ସୃଷ୍ଟିର ରାଜନୀତି କରାଯାଉଛି ବୋଲି ରାହୁଲ ଅଭିଯୋଗ କରିବା ସହ ଓଡ଼ିଶାର ଇତିହାସକୁ ସ୍ମରଣ କରିଛନ୍ତି। ସେ କହିଥିଲେ ଯେ, ହଜାର ହଜାର ବର୍ଷ ଧରି ସମଗ୍ର ଦେଶକୁ ଓଡ଼ିଶା ମାର୍ଗ ଦେଖାଇଛି। ରାଜା ଅଶୋକ ଏହି ଓଡ଼ିଶା ମାଟିରେ ଅହିଂସା ଶିକ୍ଷା ଲାଭ କରିଥିଲା,ଯାହା ସମଗ୍ର ଦେଶକୁ ନୂଆ ଦିଗଦର୍ଶନ ଦେଇଥିଲା। ରାଫେଲ ଦୁର୍ନୀତି ପ୍ରସଙ୍ଗ ଉଠାଇ ସେ ମୋଦି ସରକାରକୁ ଦୁର୍ନୀତି ପ୍ରସଙ୍ଗରେ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ। ଏହି ସଭାରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସମେତ ପ୍ରାୟ ୩୦ହଜାର କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।



from Odisha Reporter http://bit.ly/2S4m1AS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages