ତ୍ରିମୂର୍ତ୍ତିକୁ ଚେକ୍ ଦେବା ପାଇଁ ଏହା ବିଜେଡିର ଗେମ୍‌ପ୍ଲାନ୍ ନୁହେଁ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ତ୍ରିମୂର୍ତ୍ତିକୁ ଚେକ୍ ଦେବା ପାଇଁ ଏହା ବିଜେଡିର ଗେମ୍‌ପ୍ଲାନ୍ ନୁହେଁ ତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ରାଜନୀତିରେ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରଭାବ ବିସ୍ତାର କରିଆସିଥିବା ତ୍ରିମୂର୍ତ୍ତି (୩ ଯୁବନେତା) ଏବେ ଚିଟ୍‌ଫଣ୍ଡ ଦୁର୍ନୀତିର ବିବାଦ ଘେରକୁ ଆସିଛନ୍ତି। ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବା ବେଳେ, ଏହି ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ୨ ଜଣଙ୍କୁ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ସିବିଆଇ ନୋଟିସ ପଠାଇବା, ରାଜ୍ୟ ରାଜନୀତିକୁ ସରଗରମ କରିଛି।

ତେବେ ଚିଟଫଣ୍ଡ କେଳେଙ୍କାରୀରେ ପୂର୍ବରୁ ଯୁବନେତା ସଞ୍ଜୟ ଦାସବର୍ମାଙ୍କୁ ନୋଟିସ୍ ଜାରି କରି, ତାଙ୍କ ଭୂମିକା ବିବାଦୀୟ ବୋଲି ସିବିଆଇ ସନ୍ଦେଶ ଦେଇଥିବା ବେଳେ, ଦୀର୍ଘ ୬ ବର୍ଷର ନିରବତା ପରେ ଅଚାନକ ବିଜେଡିର ଅନ୍ୟ ଦୁଇ ପ୍ରଭାବଶାଳୀ ଯୁବନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ କାହିଁକି ନୋଟିସ ପଠାଇଲା, ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଯଦିଓ ଏହି ନୋଟିସ୍ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ବିଜେଡି ଆନୁଷ୍ଠାନିକ ଭାବେ ଏହାକୁ ‘ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ସେଭଳି କୌଣସି ସିବିଆଇ ନୋଟିସ୍ ମିଳିନି’ ବୋଲି ସଫେଇ ଦେଇଛି, ତଥାପି ଆଗାମୀ ନିର୍ବାଚନରେ ଚିଟଫଣ୍ଡ ଲିଙ୍କ୍ ଅଭିଯୋଗ ଉଠାଇ ଏହି ହେଭିୱେଟ୍ ତ୍ରିମୂର୍ତ୍ତିଙ୍କ ରାଜନୀତିକ ପତିଆରା ହ୍ରାସ ପାଇଁ ଏଭଳି ନୋଟିସ୍‌କୁ ଅସ୍ତ୍ର କରାଯାଇଥିବା ଚର୍ଚ୍ଚା ହେଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପିର ଜାତୀୟ ଶୀର୍ଷ ନେତୃତ୍ୱ ଓ ବିଜେଡି ନେତୃତ୍ୱଙ୍କ ମଧ୍ୟରେ କେଉଁଠି ନା କେଉଁଠି ଗୋପନ ବୁଝାମଣା ବା ସମ୍ପର୍କ ରହିଛି। ପରସ୍ପରର ସ୍ୱାର୍ଥ ପାଇଁ ଏହା ଉଭୟ ଦଳର ନେତୃତ୍ୱଙ୍କ ନିମନ୍ତେ ଏକପ୍ରକାରର ‘ରାଜନୀତିକ ବାଧ୍ୟବାଧକତା’ର ସମ୍ପର୍କ ବୋଲି କୁହାଯାଇପାରେ।

ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରକୁ ଗତ ସାଢ଼େ ୪ ବର୍ଷ ଧରି ‘ପ୍ରସଙ୍ଗଭିତ୍ତିକ ସମର୍ଥନ’ର ଆଳ ହେଉ ଅବା ନିର୍ବାଚନୀ ବର୍ଷରେ ୩ଥର ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକ କିମ୍ବା ବିଜେଡି ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦି ମୁହଁ ନଖୋଲିବା ମାଧ୍ୟମରେ ହେଉ, ଏହାର ପ୍ରମାଣ ମିଳିସାରିଛି। ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ରାଜ୍ୟରେ ବିଜେପିର ନେତାମାନେ ଯେତେ କଣ୍ଠ ଫଟାଇ ଚିତ୍କାର କଲେ ମଧ୍ୟ, ତାହାଯେ କେବଳ ରାଜନୀତିକ ବୟାନବାଜି, ଏହା ସାଧାରଣରେ ଆଉ ଅବୁଝା ହୋଇ ରହିନାହିଁ।

୨୦୧୮ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁସ୍ତକ ଭେଟି ଦେବା ଆଳରେ, ନବୀନଙ୍କ ସାକ୍ଷାତ କାର୍ଯ୍ୟକ୍ରମ ହେଉ ଅବା ଗୀତା ମେହେଟ୍ଟା ଓ ତାଙ୍କ ପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିବା ପ୍ରସଙ୍ଗର ସାମାନ୍ୟ ଟେର୍ ରାଜ୍ୟ ବିଜେପି ନେତୃତ୍ୱ ପାଇନଥିଲେ। ତେଣୁ ଏସବୁ ଘଟଣାରୁ ବିଜେଡି ଓ ବିଜେପି ନେତୃତ୍ୱଙ୍କ ମଧ୍ୟରେ ଥିବା ଉତ୍ତମ ବୁଝାମଣାର ସ୍ପଷ୍ଟ ସନ୍ଦେଶ ମିଳୁଛି।

ରାଜନୀତିକ ତଥ୍ୟାଭିଜ୍ଞଙ୍କ ମତରେ, ଗତବର୍ଷ ଫେବୃୟାରୀ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ଅତ୍ୟନ୍ତ ଗୋପନ ଭାବେ ସ୍ଥିର ହୋଇଥିଲା। ଏପରିକି ଓଡ଼ିଶାର ନେତାମାନେ ତା’ର କୌଣସି ଟେର୍ ପାଇନଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସେହି ଗସ୍ତ ପରେ ହିଁ ରାଜ୍ୟରେ ଚିଟଫଣ୍ଡ ମାମଲା ଓ ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିବା ସିବିଆଇ ହଠାତ୍ ନରମ ପଡ଼ିଯାଇଥିଲା। ସେବେଠୁ ନିରବ ଥିବା ସିବିଆଇ ଏବେ ନିର୍ବାଚନ ପୂର୍ବରୁ ଅଚାନକ ସକ୍ରିୟ ହୋଇ ଦଳର ଦୁଇ ହେଭିୱେଟ୍ ଯୁବନେତାଙ୍କୁ ସମନ ପଠାଇଛି ବୋଲି ଗଣମାଧ୍ୟମରେ ପ୍ରଚାରିତ ହେଉଛି।

ଯଦିଓ ବିଜେଡି ପକ୍ଷରୁ ଏଭଳି ସମନ ଆସିନଥିବା କୁହାଯାଉଛି। ତଥାପି ରାଜନୀତିକ ବାଧ୍ୟବାଧକତା ପାଇଁ ଓଡ଼ିଶା ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା, ରାଜ୍ୟରେ ବିଜେପି ପାଇଁ ‘ପଲିଟିକାଲ ଡେଥ୍’ ସଦୃଶ ହୋଇଥିବା ବେଳେ, ବିଜେଡି ନିମନ୍ତେ ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ସଞ୍ଜିବନୀ ପାଲଟିଛି। ନିର୍ବାଚନୀ ବର୍ଷରେ ରାଜ୍ୟରେ ବିଜେପି କର୍ମୀଙ୍କ ମନୋବଳ ବୃଦ୍ଧି ଓ ବିଜେଡି ସହ ଗୋପନ ବୁଝାମଣା ନଥିବାର ସନ୍ଦେଶ ଦେବା ପାଇଁ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଅରୁଣ ଓ ଅତନୁଙ୍କୁ ସିବିଆଇ ନୋଟିସ୍ କରିଥିବା ଚର୍ଚ୍ଚା ହେଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ରାଜନୀତିରେ ସବୁକିଛି ସମ୍ଭବ। କ୍ଷମତା ରାଜନୀତିରେ ତିଷ୍ଠି ରହିବା ପାଇଁ, ରାଜା ନିଜର ଘୋଡ଼ା ଓ ହାତୀଙ୍କୁ ରାଜନୀତିକ ପଶାପାଲିରେ ବାଜି ଲଗାଇଥାନ୍ତି। ଅତୀତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ ଗୋଟିଚାଳନାରୁ ଅନେକଥର ଏହାର ଆଭାସ ମିଳିଛି। ସୁବିଧାବାଦୀ ରାଜନୀତି ଓ ଦଳୀୟ ନେତାଙ୍କୁ ଚେକ୍ ଦେବାରେ ନବୀନ ବେଶ୍ ଧୂରନ୍ଧର। ସୁବିଧାବାଦୀ ରାଜନୀତିର କାର୍ଡ ଖେଳି ଉଭୟ ୟୁପିଏ ଓ ଏନ୍‌ଡିଏ ସରକାରରେ ପ୍ରିୟ ହୋଇପାରିଥିବା ନବୀନ, ଅନେକ ସମୟରେ ଦଳୀୟ ନେତାମାନଙ୍କୁ ଚେକ୍ ଦେଇ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି।

୨୦୧୭ ଅଗଷ୍ଟ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ମଧ୍ୟ ନବୀନ ଏହାର ଆଭାସ ଦେଇଥିଲେ। ଏପର୍ଯ୍ୟନ୍ତ ‘ସମଦୂରତ୍ୱ’ କାର୍ଡ ଖେଳି ସେ ପରୋକ୍ଷରେ ଜାତୀୟ ରାଜନୀତିରେ ବିଜେପିକୁ ସୁହାଇବା ଭଳି ପଦକ୍ଷେପ ନେଇ ଆସୁଛନ୍ତି। ତେଣୁ ବିଜେପି ଶୀର୍ଷ ନେତୃତ୍ୱଙ୍କ ଭରସାଯୋଗ୍ୟ ସହଯୋଗୀ ଭାବେ ନବୀନଙ୍କ ସ୍ୱତନ୍ତ୍ର ଆକର୍ଷଣ ରହିଛି। ଯାହାର ଫାଇଦା ବି ନବୀନ ନିଜ ଦଳର ନେତା ହୁଅନ୍ତୁ ଅବା ବିରୋଧୀଙ୍କୁ ନିୟନ୍ତ୍ରଣ କରିବାରେ ଉଠାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଏସବୁ ଦୃଷ୍ଟିରୁ ଦେଖିଲେ, ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ହୁଏତ ସଞ୍ଜୟ, ଅରୁଣ ଓ ଅତନୁଙ୍କ ଭଳି ‘ତ୍ରିମୂର୍ତ୍ତି’କୁ ଚେକ୍ ଦେବା ନିମନ୍ତେ ବିଜେଡି ରଣନୀତିକାର ଏଭଳି ଗୋଟିଚାଳନା କରିଥାଇପାରନ୍ତି। ସିବିଆଇ ନୋଟିସ୍‌ର ଆଳ ଦେଖାଇ ଏହି ୩ ପ୍ରଭାବଶାଳୀ ନେତାଙ୍କର ଭବିଷ୍ୟତରେ ଟିକେଟ୍ କିମ୍ବା ମନ୍ତ୍ରିପଦ ଦାବିଦାରୀର ବାଟକୁ ବନ୍ଦ କରିବାର ଏକ ନୂଆ ଚାଲ୍ ବିଜେଡି ରଣନୀତିକାର ଖେଳିଥାଇ ପାରନ୍ତି। ଦଳୀୟ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ଏହି ୩ ଯୁବନେତା ନିଜ ନିଜର ସହଯୋଗୀଙ୍କ ଟିକେଟ ପକ୍କା କରିବାକୁ ଯେଉଁ ଚାପ ସୃଷ୍ଟି କରିବେ ହୁଏତ ତାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବ ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2G9x4Cy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages