
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ନେଇ, ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ପ୍ରସଙ୍ଗରେ ବିଧାନସଭା ସ୍ୱାଧିକାର କମିଟିରୁ ବିଜେପି ବିଧାୟକଦଳ ନେତା କେଭି ସିଂହଦେଓଙ୍କ ଇସ୍ତଫା ଦେଇଥିବା ବେଳେ, କଂଗ୍ରେସ ବିଧାୟକ ତଥା ସ୍ୱାଧିକାର କମିଟି ସଦସ୍ୟ ପ୍ରଫୁଲ୍ଲ ମାଝୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି।
ପ୍ରଫୁଲ୍ଲ କହିଛନ୍ତି- “ନ୍ୟୁଜ୍ ଦାୟିତ୍ୱ ସମ୍ପାଦକଙ୍କର, ତେଣୁ ସମ୍ପାଦକଙ୍କୁ ଡାକିବା କଥା, ହେଲେ ମାଲିକଙ୍କୁ ସମନ କରାଯାଇଥିବାରୁ ଏଥିରେ ରାଜନୈତିକ ଗନ୍ଧ ଆସୁଛି।” ଏନେଇ ଆଉ ଥରେ ରିଭ୍ୟୁ କରିବା ପରେ ଯାହା କିଛି ନିଷ୍ପତ୍ତି ନେବି ବୋଲି ପ୍ରଫୁଲ୍ଲ କହିଛନ୍ତି।
ସେହିଭଳି କନକବର୍ଦ୍ଧନ ସିଂହଦେଓଙ୍କ ଇସ୍ତଫାର କାରଣ ସତ୍ୟ ହୋଇଥିଲେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଫୁଲ୍ଲ। ଅନ୍ୟପଟେ ବିଜେପି ବିଧାୟକଦଳ ନେତା କେଭି ସିଂହଦେଓ ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ପ୍ରସଙ୍ଗରେ ତାଙ୍କ ଇସ୍ତଫାପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କ ନିକଟକୁ ପଠାଇ ଦେଇଛନ୍ତି।
ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ରାଜନୈତିକ ଉଦ୍ଦେଶ୍ୟରେ ହଇରାଣ ପାଇଁ ଜଗିଙ୍କୁ ଡକାଯାଇଥିଲା। ପୂର୍ବରୁ ଗଣମାଧ୍ୟମ ମାଲିକଙ୍କୁ ଏମିତି ଡକାଯିବାର ନଜିର ନାହିଁ। ଜଗି ମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଶିଳ୍ପୋଦ୍ୟୋଗୀ। ତାଙ୍କୁ ଏମିତି ସର୍ବସାଧାରଣରେ ହଇରାଣ କରାଯିବା, ମହିଳା ବିରୋଧୀ ଆଚରଣ ସମ୍ପର୍କରେ ସୂଚାଉଛି। ଘଟଣା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ବାରି ହେଉଥିବାରୁ ସେ କମିଟିରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି।
from Odisha Reporter http://bit.ly/2Wsn9NX
No comments:
Post a Comment