ଚାଷୀ ଆନ୍ଦୋଳନ: ଅସଲି ବନାମ ନକଲି, ଗ୍ଲାମର୍ ବନାମ ଦେଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଚାଷୀ ଆନ୍ଦୋଳନ: ଅସଲି ବନାମ ନକଲି, ଗ୍ଲାମର୍ ବନାମ ଦେଶୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଓଡ଼ିଶାରେ କଥାଟିଏ ଅଛି- ଚାଷ କାମ ଯାହାର, କି ଆନନ୍ଦ ତାହାର। ଏବେ କିନ୍ତୁ ଓଡ଼ିଶା ରାଜନୀତିକୁ ଦେଖିଲେ ସେଇ କବି ତାଙ୍କ ପଦଟିକୁ ବଦଳେଇ ଦେଇ କହିଥାନ୍ତେ- ଚାଷ ନାହିଁ ଯାହାର, ରାଜନୀତି ତାହାର। ଓଡ଼ିଶାରେ ଚାଷ ଓ ଚାଷୀଙ୍କୁ ନେଇ ଯେଉଁ ହୋହଲ୍ଲା ଚାଲିଛି, ଏଥିରେ ଖୁସି ଏତିକି ଯେ, ବହୁଦିନ ପରେ ଚାଷୀ ଓ ଚାଷକୁ ନେଇ ଟିକେ ଆଲୋଚନା ହେଲା। ଏବେ ଦେଖିବାର କଥା, ଏଥିରୁ କିଛି ଲାଭ ମିଳିବ କି ନାହିଁ।

ମୁଖ୍ୟ ପ୍ରସଙ୍ଗକୁ ଆସିବା। ଚାଷୀ ଟ୍ୟାଗ୍‌ ହାତେଇବାକୁ ଏବେ ସବୁ ରାଜନୈତିକ ଦଳ ବିକଳ। ଚାଷୀଙ୍କର ଏକ ବହୁଦିନର ଦାବିକୁ ନେଇ ବିଜେଡି ଏବେ ଦିଲ୍ଲୀ ଦରବାରକୁ ଯାଇଛି। ଦଳ ସୂଚେଇ ଦେବାକୁ ଚାହିଁଛି ଯେ, ଯଦି ଚାଷୀଙ୍କ ପାଇଁ କିଏ କାନ୍ଦୁଛି ତାହା କେବଳ ବିଜେଡି। ଖୁସିର କଥା। କିନ୍ତୁ ଆପଣଙ୍କର ମନେଥିବ, ଯେତେବେଳେ ରାଜ୍ୟର ପ୍ରମୁଖ ଚାଷୀ ସଂଗଠନ ‘ନବନିର୍ମାଣ କୃଷକ ସଂଗଠନ’ର ଚାଷୀମାନେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ଭୁବନେଶ୍ୱର ଆସୁଥିଲେ, ସେତେବେଳେ ଏହି ବିଜେଡି ସରକାର ହିଁ ସେମାନଙ୍କୁ ରାଜଧାନୀ ଭିତରେ ପଶିବାକୁ ଦେଇନଥିଲା। କିଛି ଜାଗାରେ ପୁଲିସ୍ ଲଗେଇ ବାଡ଼ାପିଟା କରିଥିଲା। ଚାଷୀ ଲହୁଲୁହାଣ ହୋଇଥିଲେ। ଏହାର ଅର୍ଥ, ଚାଷ ପାଇଁ ନିଜେ ଚାଷୀ ମଧ୍ୟ କାନ୍ଦି ପାରିବେ ନାହିଁ। ଯଦି କାନ୍ଦିବ କେବଳ ବିଜେଡି।

ଦିଲ୍ଲୀ ଦରବାରରେ ଓଡ଼ିଶା ଚାଷୀଙ୍କ କଥା କହିବାକୁ ବିଜେଡି କର୍ମୀଙ୍କୁ ଚାଷୀ ବେଶ ଧାରଣ କରିବାକୁ ପଡିଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜେଡିର ସାର୍ ଓ ମ୍ୟାଡାମ୍ ମାନେ ଦିଲ୍ଲୀ ଗଲେ। ହାତରେ ବିଦେଶୀ ଫଳ ଧରି ଶୀତତାପ ନିୟନ୍ତ୍ରିତ ରେଳବଗିରୁ ବିଜେଡିର ମ୍ୟାଡାମ୍ ମାନେ ସେଲ୍‌ଫି ଛାଡ଼ିଲେ। ନିଜର ସୋଶାଲ୍ ମିଡିଆ ଆକାଉଣ୍ଟରେ ଷ୍ଟାଟସ୍ ଅପ୍‌ଡେଟ୍ କଲେ। କିନ୍ତୁ ଅସଲ ଚାଷୀ ଏଠି ବିଚରା ନିଜ ଦାବି ଉପସ୍ଥାପନ ପାଇଁ ଶୀତ କାକରରେ ରାଜଭବନ ଆଗରେ ପଡ଼ିଛନ୍ତି।

‘ନବ ନିର୍ମାଣ କୃଷକ ସଂଗଠନ’ର ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ କିଛିଦିନ ଧରି ରାଜଭବନ ଆଗରେ ଆନ୍ଦୋଳନ ଜାରି ରହିଛି। ବିଜେଡିର ଯଦି ଏତେ ଦରଦ ଥିଲା ଚାଷୀଙ୍କ ପ୍ରତି, ଏହି ଚାଷୀଙ୍କୁ ଖର୍ଚ୍ଚ କରି ଦିଲ୍ଲୀ ପଠେଇ ପାରିଥାନ୍ତା। ତାଙ୍କୁ ଆଗରେ ରଖି ଆନ୍ଦୋଳନକୁ ଆଗକୁ ବଢେଇଥାନ୍ତା। ସେଥିରେ ଅସୁବିଧା କୋଉଠି ଥିଲା? ସବୁରି ମୂଳରେ କେବଳ ଭୋଟ୍। ‘ନବ ନିର୍ମାଣ କୃଷକ ସଂଗଠନ’ ସହ ମିଶିଲେ ଭୋଟ୍ ଭାଙ୍ଗିଯିବାର ଭୟ। କାଳେ ଚାଷୀଟ୍ୟାଗ୍ ଅନ୍ୟତ୍ର ଖସିଯିବ।

ଆମ ସମୟର ଜଣାଶୁଣା କବି ଭାରତ ମାଝୀଙ୍କର ‘ସର୍କାର’ ନାଁରେ ଏକ କବିତା ବେଶ୍ ଲୋକପ୍ରିୟ। ଏହାର ଶେଷଧାଡ଼ିଟି ଏଠାରେ ପ୍ରଣିଧାନଯୋଗ୍ୟ। ସେ ଲେଖିଛନ୍ତି- ‘କହ ତ ସର୍କାର, ତତେ ଡରୁନଥିବା ଲୋକକୁ ତୋର କାଇଁ ଏତେ ଡର?’ ଯିଏ ସରକାରକୁ କେବେ ଡରେନି, ତାକୁ ହିଁ ସର୍କାର ବେଶୀ ଡରୁଛି। ଯୋଉଁ ଚାଷୀ ତା ବିଲମୁଣ୍ଡରେ ନିଜର ସମଗ୍ର ଜୀବନ ସାରିଦିଏ, ସେଇ ଚାଷୀକୁ ସରକାରଙ୍କର ପ୍ରାଣେ ଭୟ। ଆଜି ପରିସ୍ଥିତି ଯାହା ହୋଇଛି, ଚାଷୀଙ୍କୁ ଯାହାକିଛି ଦେଲେ ବି, ଆଉ ଚାଷକାମ ବଞ୍ଚିବା ସମ୍ଭବ ନୁହେଁ। ଏହାର କିଛି ପଏଣ୍ଟ ପଢ଼ନ୍ତୁ।

୧. ଚାଷୀଙ୍କ ପାଇଁ ପ୍ରୋତ୍ସାହନ ନାହିଁ। ଏକ ସର୍ଭେରୁ ଜଣାଯାଇଛି, ୪୦ ବର୍ଷ ପରେ ଅନ୍ୟନ୍ୟ ‍କ୍ଷେତ୍ରର ବିକାଶ ଦୁଇଶହରୁ ଅଧିକ ଗୁଣ ବୃଦ୍ଧି ପାଇଥିବା ବେଳେ ଚାଷର ମୂଲ୍ୟ ବଢ଼ିଛି ମାତ୍ର ୨୦ ପ୍ରତିଶତ।

୨. ଚାଷୀ ଯଦି ଫସଲ ଫଳେଇଲା, ତାକୁ ବିକିବାକୁ ବଜାର ନାହିଁ। ସବୁଠି ସେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛି।

୩. ସରକାର ଟଙ୍କିକିଆ ଚାଉଳ ଖୋଇ ଲୋକଙ୍କୁ ଏତେ ଅଳସୁଆ କରିଦେଇଛନ୍ତି ଯେ, ଚାଷକାମ ପାଇଁ ଲୋକ ମିଳୁ ନାହାନ୍ତି।

୪. ଚାଷ କରୁଥିବା ଲୋକଟିଏ ଆମ ସମାଜରେ ସବୁଠାରୁ ଇତର ଲୋକ ବୋଲି ଗଣତି ହେଉଛି। ତା’ର ସମ୍ମାନ ବୋଲି କିଛି ନାହିଁ। କଥା ପ୍ରସଙ୍ଗରେ ଲୋକେ କହୁଛନ୍ତି- ପାଠ ନ ପଢ଼ିଲେ ତୁ ଚାଷ କରିବୁ।

୫. ଅନ୍ୟପକ୍ଷରେ ଚାଷ କରି ସଫଳତା ପାଉଥିବା ଲୋକ ପାଇଁ ସେମିତି କିଛି ବଡ଼ ପ୍ରୋତ୍ସାହନ ନାହିଁ।

ଆଶା କରୁଛୁ, ଚାଷୀଙ୍କୁ ନେଇ ଏ ଯେଉଁ ହୋହଲ୍ଲା ଚାଲିଛି, ଏଥିରୁ ଚାଷୀଙ୍କ ପାଇଁ ସତରେ କିଛି ଲାଭ ମିଳୁ। କେବଳ ଭୋଟ୍ ଫଳେଇବାକୁ ଏ ଆନ୍ଦୋଳନ ନହେଉ। ଚାଷୀଙ୍କ ସମସ୍ତ ସମସ୍ୟାର ସମାଧାନ ଯାହା ହାତରେ ଅଛି କିମ୍ବା ଯିଏ ଜାଣିଛି, ତା ହାତରେ ସରକାର ଦାୟିତ୍ୱ ଅର୍ପଣ କରନ୍ତୁ। ନହେଲେ ଚାଷୀମାନେ ଏକଜୁଟ ହୋଇ କହନ୍ତୁ- ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ନାହିଁ ତ, ଭୋଟ୍ ନାହିଁ।



from Odisha Reporter http://bit.ly/2CXWrVC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages