
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାରେ କେନ୍ଦ୍ରର ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସୁପ୍ରିମ୍କୋର୍ଟରେ ଏକ ଆବେଦନ କରି ଅଯୋଧ୍ୟାରେ ବିବାଦୀୟ ସ୍ଥଳୀକୁ ଛାଡ଼ି ଅନ୍ୟ ଜାଗା ଅର୍ଥାତ୍ ଯାହା ବିବାଦୀୟ ନୁହେଁ ଅଥଚ ତା’ଉପରେ ସ୍ଥିତାବସ୍ଥା ଜାରି ରହିଛି, ତାହାକୁ ରାମ ଜନ୍ମଭୂମି ନ୍ୟାସ ବା ହିନ୍ଦୁ ପକ୍ଷଙ୍କୁ ପ୍ରଦାନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।
୧୯୯୨ ମସିହାରେ ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା। ତେବେ ତା’ ପୂର୍ବରୁ ଷୋଡ଼ଶ ଶତାବ୍ଦୀର ଏହି ମସଜିଦ ଯେଉଁ ସ୍ଥାନରେ ରହିଛି ସେଠାରେ ସୁପ୍ରିମ୍କୋର୍ଟ ସ୍ଥିତାବସ୍ଥା ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ବିବାଦୀୟ ସ୍ଥଳୀ ନିକଟରେ ଯେଉଁ ନିର୍ବିବାଦୀୟ ଜାଗା ରହିଛି, ସେଗୁଡ଼ିକୁ ଛାଡ଼ି ଦେବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି।
ସରକାର ୨୫ ବର୍ଷ ତଳେ ସେଠାରେ ୬୭ ଏକର ଜାଗା ଅଧିଗ୍ରହଣ କରିଥିଲେ, ଯାହା ଉପରେ କୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ସେହି ୬୭ ଏକରର ୨.୭ ଏକର ଜମି ହେଉଛି ବିବାଦୀୟ।
ଅଯୋଧ୍ୟା ମାମଲାରେ ଆଜି ଶୁଣାଣି ହେବାର ଥିଲା। ତେବେ ସ୍ୱାସ୍ଥ୍ୟଗତ କାରଣରୁ ଜଷ୍ଟିସ୍ ଏସ୍.ଏ ବୋବ୍ଡେ ଅନୁପସ୍ଥିତ ରହିବାରୁ ଏହାକୁ ବାତିଲ କରି ଦିଆଯାଇଥିଲା। ତେବେ ସରକାର ଆଜି ଏପରି ଏକ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ କରିଛନ୍ତି।
ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ ଆଉ ବିଳମ୍ବ ନ କରି ମନ୍ଦିର-ମସଜିଦ ବିବାଦର ଶୁଣାଣି କୋର୍ଟରେ ହେବା ଦରକାର। ୭୦ ବର୍ଷ ହେଲାଣି ଏହି ମାମଲା କୋର୍ଟରେ ପଡ଼ିରହିଛି। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ମନ୍ଦିର ତୋଳିବା ସପକ୍ଷରେ ରାୟ ଦେଇଥିଲେ। ତେବେ ତାହା ବର୍ତ୍ତମାନ ସୁପ୍ରିମ୍କୋର୍ଟରେ ଝୁଲି ରହିଛି। ଆମେ ସୁପ୍ରିମ୍କୋର୍ଟ ସମ୍ମାନ କରୁ ଓ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଆମର ବିଶ୍ୱାସ ରହିଛି।
from Odisha Reporter http://bit.ly/2G7KPBt
No comments:
Post a Comment