
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏବଂ ତାଙ୍କର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଏକାଠି ହୋଇ ଉତ୍ତରପ୍ରଦେଶର ରାଜନୀତିରେ ନୂଆ ଘର ତୋଳିବା ଯୋଜନା ବାବଦରେ ଘୋଷଣା କରିଛନ୍ତି। କିନ୍ତୁ ଏହାର ଠିକ୍ କିଛିଦିନ ପରେ ହିଁ ବିନା ନିମନ୍ତ୍ରଣରେ ଅତିଥି ଭଳି ପଶିଆସିଛି ସିବିଆଇ ତଦନ୍ତର ଭୟ। ତେବେ ଏହି ଭୟକୁ ସାମ୍ନାକୁ ନଆଣି ସିବିଆଇ ତଦନ୍ତକୁ ସେ ଡରୁ ନଥିବା କହିଛନ୍ତି ଅଖିଲେଶ।
ସେ କହିଛନ୍ତି, “ପୁଣି ଥରେ ମୁଁ ସିବିଆଇକୁ ଭେଟିବାର ସୁଯୋଗ ପାଇବି। କଂଗ୍ରେସ ଅମଳରେ ମଧ୍ୟ ଏମିତି ଥରେ ଘଟିଥିଲା। ସିବିଆଇ ପ୍ରଶ୍ନ କଲେ ଆମେ ଉତ୍ତର ରଖିବୁ, କିନ୍ତୁ ବିଜେପି ପାଇଁ ଜନତା ଉତ୍ତର ରଖିବେ। ଆଉ ରହିଲା ସିବିଆଇର ନିରପେକ୍ଷତା କଥା, ତାହା ତ ଆପଣମାନେ ସମସ୍ତେ ଜାଣନ୍ତି।”
ବହୁକୋଟିର ଖଣି ଦୁର୍ନୀତିରେ ଅଖିଲେଶ ଏବଂ ଦଳର ଅନ୍ୟ ଜଣେ ନେତାଙ୍କୁ ଜେରା ହେବାର ଅଛି। ତାଙ୍କର ଶାସନ କାଳ(୨୦୧୨-୧୬)ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ର ନିର୍ଦ୍ଦେଶକୁ ଅବମାନନା କରି କିଛି ଖଣି କମ୍ପାନୀଙ୍କ ଲାଇସେନ୍ସ ନବୀକରଣ କରାଯାଇଥିବା ଅଭିଯୋଗରେ ଶନିବାର ୧୪ଟି ସ୍ଥାନରେ ଚଢ଼ଉ କରିଥିଲା ସିବିଆଇ। ଏହା ପରେ ଅଖିଲେଶଙ୍କ ପାଳି ପଡ଼ିବ ବୋଲି ଚର୍ଚ୍ଚା ହେଉଛି, କାରଣ ସେହି ସମୟରେ ଖଣି ବିଭାଗ ତାଙ୍କ ଦାୟିତ୍ୱରେ ଥିଲା।
ଅଖିଲେଶ ଆହୁରି ମଧ୍ୟ କହିଥିଲେ, “ଗତ ନିର୍ବାଚନରେ ବିଜେପି ୫ ହଜାର କୋଟି ଖର୍ଚ୍ଚ କରିଥିଲା, ଏତେ ଟଙ୍କା କୋଉଠୁ ଆସିଲା ଏବଂ ସେମାନେ କାହାଠୁ ଏତେ ଟଙ୍କା ଆଣିଲେ? ଏବେ ବିଜେପି ପାଖରେ ସିବିଆଇ ମଧ୍ୟ ଅଛି, ତେଣୁ ତା’ର ଫାଇଦା ଦିଆଯାଉଛି। ବିଜେପି ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛି। ଟଙ୍କା ହେଉ କି ସିବିଆଇ, ବିଜେପି ମନେ ରଖିବା ଦରକାର ସିବିଆଇ ଭୋଟ୍ ଦିଏନି, ଲୋକେ ଭୋଟ୍ ଦିଅନ୍ତି।”
from Odisha Reporter http://bit.ly/2RzsT99
No comments:
Post a Comment