
ଖୋର୍ଦ୍ଧା (ବଳରାମ ଲେଙ୍କା): ଭୁବନେଶ୍ୱର ଏମ୍ସର ୬ ମହଲା କୋଠାରୁ ଖସି ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସତ୍ୟଜିତ୍ ମହାନ୍ତି (୩୨)। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜକରା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଗତକାଲି ରାତି ପ୍ରାୟ ୧୨ଟାରୁ ଗୋଟାଏ ଭିତରେ ଏ ଘଟଣା ଘଟିଛି।
ଗତ ୧୭ ତାରିଖ ଦିନ ଅତ୍ୟଧିକ ମଦ୍ୟପାନ ଯୋଗୁ ସତ୍ୟଜିତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।
ଏମ୍ସରେ ସତ୍ୟଜିତ୍ଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଅବସ୍ଥା ସ୍ୱାଭାବିକ ହୋଇ ଆସିଥିଲାଣି। ତେବେ ସେ ବାହାରକୁ ଯିବାକୁ ଜିଦ୍ କରୁଥିଲେ।
ଏଣୁ ଆଶଙ୍କା କରାଯାଉଛି ଯେ ବାହାରକୁ ବାହାରିବା ପାଇଁ ବା ମାନସିକ ସନ୍ତୁଳନ ହରାଇ ସେ ଏମିତି ପଦକ୍ଷେପ ନେଇ ଥାଇପାରନ୍ତି। ତେବେ ସେ କେମିତି ହସ୍ପିଟାଲ୍ର ଝରକାର କାଚ ଭାଙ୍ଗି ତଳେ ପଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।
ଅନ୍ୟପକ୍ଷରେ ସତ୍ୟଜିତ୍ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମୃତଦେହକୁ ନେଇଯିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି। ଶବ ବ୍ୟବଚ୍ଛେଦ ନ କରି କିପରି ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ନେଇଯିବାକୁ କହୁଛନ୍ତି, ସେ ନେଇ ତାଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟଜିତ୍ କେଉଁ ପରିସ୍ଥିତିରେ ଡାକ୍ତରଖାନାର ଝରକା କାଚ ଭାଙ୍ଗି ୬ ମହଲାରୁ ତଳେ ପଡ଼ିଲେ, ତାହା ସଠିକ୍ ଜଣା ନ ପଡ଼ିବା ପର୍ଯ୍ୟନ୍ତ ସେମାନେ ମୃତଦେହ ନେବେ ନାହିଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
from Odisha Reporter http://bit.ly/2sAVs7S
No comments:
Post a Comment