ଆକ୍ସନ ମୋଡରେ କଂଗ୍ରେସ, ସୁଧୁରିବ ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଆକ୍ସନ ମୋଡରେ କଂଗ୍ରେସ, ସୁଧୁରିବ ସ୍ଥିତି

niranjan2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବାବେଳେ ବିଶୃଙ୍ଖଳିତ ବରିଷ୍ଠ ନେତାମାନଙ୍କ ବିରୁଦ୍ଧରେ କଂଗ୍ରେସ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମାତ୍ର ସପ୍ତାହକ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ, ବିଧାୟକ ଯୋଗେଶ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ କଂଗ୍ରେସ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏହାସହିତ ବିଶୃଙ୍ଖଳିତ ନେତାଙ୍କ ପ୍ରତି କଂଗ୍ରେସର ଏଭଳି କଠୋର ଆଭିମୁଖ୍ୟ ମଧ୍ୟ ଦଳକୁ ରାଜ୍ୟରେ ସାଧାରଣ ଲୋକ ଓ କର୍ମୀଙ୍କ ମଧ୍ୟରେ ଆସ୍ଥାଭାଜନ କରାଇବାରେ ସହାୟକ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦୀର୍ଘ ଦଶନ୍ଧି ଧରି ଏଭଳି ବିଶୃଙ୍ଖଳିତ ଗତିବିଧି ଓ ବ୍ଲାକମେଲ୍ ରାଜନୀତି କରୁଥିବା ନେତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି କଂଗ୍ରେସ ରାଜ୍ୟରେ ନିଜର ସଂଗଠନକୁ ସଙ୍କଟରେ ପକାଇଥିଲା। ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧି ଧରି କେନ୍ଦ୍ରରେ କ୍ଷମତାରେ ରହିବା ନିମନ୍ତେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଓଡ଼ିଶାରେ ବାଧ୍ୟବାଧକତା ରାଜନୀତିକୁ ଆପଣାଇଥିଲା। ଆଉ ରାଜ୍ୟରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇ ମଧ୍ୟ କଂଗ୍ରେସ ନିଜର ସ୍ୱରକୁ ଶାଣିତ କରିପାରିନଥିଲା। ଯେଉଁଥିପାଇଁ କଂଗ୍ରେସର ରାଜ୍ୟ ସଂଗଠନ ପ୍ରତି ସଙ୍କଟ ସୃଷ୍ଟି ହେବାସହ ଅସ୍ତିତ୍ୱ ରକ୍ଷା କରିବା ମଧ୍ୟ ଦଳ ନିମନ୍ତେ ଏକ ମୁଖ୍ୟ ଚ୍ୟାଲେଞ୍ଜ ହୋଇଥିଲା। ଏପରିକି ଓଡ଼ିଶାରେ କିଏ ପିସିସି ସଭାପତି ହେବ ତାହା ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ସର୍ବସାଧାରଣରେ କହିବାକୁ ପଛାଇଲେ ନାହିଁ।

ବାରମ୍ବାର ପିସିସି ସଭାପତି ପରିବର୍ତ୍ତନ ଓ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ହେବା ସତ୍ତ୍ୱେ ପଞ୍ଚାୟତ ନିର୍ବାଚନରେ ଦଳକୁ ସୁଫଳ ନମିଳିବାରୁ କଂଗ୍ରେସ ପ୍ରତି ଆସ୍ଥା ସୃଷ୍ଟି ନିମନ୍ତେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ମଙ୍ଗୁଆଳ ଦାୟିତ୍ୱ ମିଳିଥିଲା। ପ୍ରସାଦଙ୍କ ସମୟରେ କଂଗ୍ରେସରୁ ନେତାମାନେ ଅନ୍ୟ ଦଳକୁ ଡିଆଁ ମାରିବା ପ୍ରକ୍ରିୟା ଜୋରସୋରରେ ଚାଲିଥିବାବେଳେ ନିରଞ୍ଜନ ଦାୟିତ୍ୱ ନେବାପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

କିନ୍ତୁ ଦୀର୍ଘଦିନ ନିରବତା ପରେ ଦଳର କର୍ତ୍ତୃପକ୍ଷଙ୍କୁ ଅନ୍ଧାରରେ ରଖି କୃଷ୍ଣଚନ୍ଦ୍ର ଶଗରିଆ ଅଚାନକ ବିଧାୟକ ପଦରୁ ଇସ୍ତଫା ଦେବା, ଖଣି ଦୁର୍ନୀତି ଆଳରେ ନିରଞ୍ଜନଙ୍କୁ ଖୋଲାଖୋଲି ଭାବେ ଶ୍ରୀକାନ୍ତ ଜେନା ଟାର୍ଗେଟ୍ କରିବା, ନବ ଦାସ ଓ ଯୋଗେଶ ସିଂ ଦଳ ଛାଡ଼ି ବିଜେଡିରେ ମିଶିବା ପାଇଁ ସଜବାଜ ହେବା ଘଟଣା କଂଗ୍ରେସକୁ ତାର ପୁରୁଣା ରୋଗ,ଗୋଷ୍ଠୀକନ୍ଦଳ ଭିତରକୁ ଠେଲି ଦେଇଥିଲା। ଏପରିକି ନିରଞ୍ଜନଙ୍କ କାର୍ଯ୍ୟଦକ୍ଷତା ଓ କଂଗ୍ରେସ ପ୍ରତି ଆନୁଗତ୍ୟ ଉପରେ ସୋଶାଲ ମିଡିଆରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନିର୍ବାଚନ ପାଇଁ ସାଂଗଠନିକ ପ୍ରସ୍ତୁତି ମଧ୍ୟରେ ବରିଷ୍ଠ ନେତାମାନଙ୍କ ଏଭଳି ବୟାନବାଜି ଓ ଦଳ ଡିଆଁ ନିରଞ୍ଜନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଥିଲା।

ତେବେ ଏଆଇସିସି ରାଜ୍ୟରେ ଦଳର ସ୍ଥିତିକୁ ପରଖି ନିରଞ୍ଜନଙ୍କ ଉପରେ ଭରସା କରି ଏଭଳି ହେଭିୱେଟ୍ ନେତାମାନଙ୍କୁ ବାହାରର ରାସ୍ତା ଦେଖାଇଛି। ଯାହାକି କଂଗ୍ରେସ କର୍ମୀଙ୍କ ମନରେ ଏକ ନୂଆ ଆଶା ସଞ୍ଚାର କରିଛି। ବିଶୃଙ୍ଖଳା ଓ ଗୋଡ଼ଟଣା ନୀତିର ମୂଳ ମନ୍ତ୍ର ଜପୁଥିବା ରାଜ୍ୟ କଂଗ୍ରେସରେ ଏବେ ବିଶୃଙ୍ଖଳା ସାମାନ୍ୟତମ ବରଦାସ୍ତ କରାଯାଉନି ବୋଲି ସନ୍ଦେଶ ମଧ୍ୟ କର୍ମୀଙ୍କ ନିକଟରେ ପହଞ୍ଚିବାରେ ଲାଗିଛି। ଯାହା କଂଗ୍ରେସ ପାଇଁ ବରଦାନ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି।

ରାଜ୍ୟରେ କଂଗ୍ରେସ ନେତୃତ୍ୱଙ୍କ ଦକ୍ଷତା ଓ ନିୟନ୍ତ୍ରଣକୁ ନେଇ ବାରମ୍ବାର ଉଠୁଥିବା ପ୍ରଶ୍ନ ଓ ଅବିଶ୍ୱାସର ବାତାବରଣରେ ଏହି ସଦ୍ୟ କାର୍ଯ୍ୟାନୁଷ୍ଠାନ ହିଁ ପୂର୍ଣ୍ଣଚ୍ଛେଦ ପକାଇପାରିଛି। ଅବଶ୍ୟ ପୂର୍ବରୁ ହେଉଥିବା ଚର୍ଚ୍ଚା ଅନୁସାରେ ଦଳର ଉପକୂଳ ଜିଲ୍ଲାର ଅନ୍ୟଜଣେ ବିଧାୟକ ଖୁବଶୀଘ୍ର ବିଜେଡିକୁ ଡିଆଁ ମାରିବାକୁ ସଜବାଜ ହେଉଛନ୍ତି। କିନ୍ତୁ ଏହାର ପ୍ରଭାବ ତୃଣମୂଳସ୍ତରରେ ସେଭଳି ଅନୁଭବ ହେବନି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ଦଳରେ ବିଶୃଙ୍ଖଳାକାରୀଙ୍କ ପ୍ରତି ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରି ହିଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇପାରିଥିଲେ। ଏବେ ସେହି ମାର୍ଗରେ କଂଗ୍ରେସ ଯାଉଥିବାରୁ ଦଳ ପ୍ରତି ଆସ୍ଥା ବଢ଼ିବାର ସମ୍ଭାବନା ରହିଛି।



from Odisha Reporter http://bit.ly/2CBgKam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages