
ବାଲିଗୁଡା (ଅଜିତ କୁମାର ନାୟକ): ଘର ଭିତରେ ସ୍ୱାମୀଙ୍କୁ ପିଟି ହତ୍ୟା କଲେ। ସ୍ୱାମୀର ମୃତଦେହ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ କଲେ ଦୁଇ ଯୌନ ରାକ୍ଷସ। ଚିତ୍କାର ଶୁଣି ପିଲା ଓ ପଡ଼ୋଶୀମାନେ ଉଠି ପଡ଼ିବାରୁ ଜୀବନ ବଞ୍ଚାଇବା ପାଇଁ ଦୁଇ ଅଭିଯୁକ୍ତ ଜଣଙ୍କ ଘରେ ପଶି ଯାଇଥିଲେ। ଘର ଭିତରେ ଜଣେ ବିଧବା ମହିଳା ଜଣକଙ୍କୁ ଏକୁଟିଆ ପାଇ ଦୁଇ ଅଭିଯୁକ୍ତ ତାଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲେ। କନ୍ଧମାଳ ଜିଲ୍ଲାରେ ଏପରି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତ ୨୬ ତାରିଖରେ ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲା। ତା’ପୂର୍ବ ରାତିରେ ବାଲିଗୁଡ଼ା ନୂଆସାହିରେ ଘଟିଯାଇଥିଲା ଏହି ଜଘନ୍ୟ କାଣ୍ଡ। ରୁଜିତ ବେହେରା ଓ ଅର୍ଜୁନ ବାଘ ନାମକ ଦୁଇ ମଦ୍ୟପ ସେହି ରାତିରେ ସାଗର (ଛଦ୍ମନାମ)ଙ୍କ ଘରକୁ ଯାଇ ଗଣ୍ଡଗୋଳ କରିଥିଲେ। ପରେ ଏକ କାଠ ଫାଳିଆରେ ସାଗରଙ୍କୁ ପିଟି ଥିଲେ। ଫଳରେ ଘଟଣା ସ୍ଥଳରେ ସାଗରଙ୍କ ମୃତ୍ୟୁ ଘଟିଥିଲା। ସାଗରଙ୍କ ମୃତ୍ୟୁ ପରେ ନିଶାରେ ଚୁର୍ ଥିବା ଦୁଇ ଅଭିଯୁକ୍ତଙ୍କ ନଜର ତାଙ୍କ ପତ୍ନୀଙ୍କ ଉପରେ ପଡ଼ିଥିଲା। ସ୍ୱାମୀଙ୍କ ମୃତଦେହ ଆଗରେ ସ୍ତ୍ରୀକୁ ଦୁଇ ଯୌନ ରାକ୍ଷସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଚିତ୍କାର ଶୁଣି ପିଲାମାନେ ଓ ପଡ଼ୋଶୀମାନେ ଉଠି ପଡିବାରୁ ରୁଜିତ ଓ ଅର୍ଜୁନ ସେଠାରୁ ଚମ୍ପଟ ମାରିଥିଲେ।
ଜୀବନ ବିକଳରେ ଦୌଡ଼ୁଥିବା ବେଳେ ଗାଁ ଲୋକଙ୍କ କବଳରୁ ବଞ୍ଚିବା ପାଇଁ ଜଣେ ବିଧବାଙ୍କ ଘରର କବାଟ ଭାଙ୍ଗି ଘରେ ପଶି ଯାଇଥିଲେ। ଘରେ ବିଧବା ଜଣକ ଏକା ଥିବାର ସୁଯୋଗ ନେଇ ଦୁଇ ଅଭିଯୁକ୍ତ ତାଙ୍କୁ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସାଗରଙ୍କ ମାଆ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ବିଧବା ଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ଅଭିଯୋଗକୁ ଭିତ୍ତିକରି ପୃଥକ୍ ମାମଲା ରୁଜୁ କରି ରୁଜିତ ବେହେରା ଓ ଅର୍ଜୁନ ବାଘଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
from Odisha Reporter http://bit.ly/2WpL9Bj
No comments:
Post a Comment