
ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାରେ ନିଜର ଦବଦବା ପ୍ରଦର୍ଶନ କରିଥିବା ଭେଟରାନ୍ ଅଭିନେତା ପ୍ରକାଶ ରାଜ ନୂଆବର୍ଷରେ ବଡ଼ ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରାର୍ଥୀ ହେବେ ବୋଲି ପ୍ରକାଶ ଆଜି ଘୋଷଣା କରିଛନ୍ତି। ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ବିରୋଧ କରୁଥିବା ପ୍ରକାଶ ରାଜ “ଅବ୍ କି ବାର୍ ଜନତା କା ସରକାର୍” ବୋଲି ସ୍ଲୋଗାନ ଦେଇଛନ୍ତି।
ସେ କେଉଁ ଲୋକସଭା ଆସନ ପାଇଁ ଲଢ଼ିବେ, ସେକଥା କହି ନଥିଲେ ହେଁ ସମ୍ଭବତଃ ସେ ନିଜ ରାଜ୍ୟ କର୍ଣ୍ଣାଟକାରୁ ହିଁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ସେହିପରି ସେ କୌଣସି ରାଜନୀତିକ ଦଳ ନୁହେଁ ବରଂ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ସେ କହିଛନ୍ତି, “ ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏକ ନୂଆ ଆରମ୍ଭ ଓ ନୂଆ ଦାୟିତ୍ୱ ଶୁଭାରମ୍ଭ ହେବ। ଆପଣଙ୍କ ସମର୍ଥନ ବଳରେ ମୁଁ ନୂଆ ଆରମ୍ଭ କରିବି। ଆସନ୍ତା ସାଧାରଣ ନିର୍ବାଚନରେ ମୁଁ ପ୍ରାର୍ଥୀ ହେବି। ଏଥିପାଇଁ ମୁଁ ଆପଣମାନଙ୍କ ସମର୍ଥନ ଚାହୁଁଛି। ମୁଁ କୌଣସି ରାଜନୀତିକ ଦଳ ନୁହେଁ, ବରଂ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି। କେଉଁ ନିର୍ବାଚନ ମଣ୍ଡଳୀରୁ ଛିଡ଼ା ହେବି, ତା’ହା ସମୟ ଆସିଲେ କହିବି। କିନ୍ତୁ ଅବ୍ କି ବାର୍ ଜନତା କା ସରକାର୍।”
ପ୍ରକାଶ ରାଜ ଦକ୍ଷିଣ ଭାରତୀୟ ଫିଲ୍ମ ବ୍ୟତୀତ ଏକାଧିକ ବଲିଉଡ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ସର୍ବଦା ବିଜେପି ହିନ୍ଦୁତ୍ୱବାଦକୁ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ କରି ମୋଦି ସରକାରଙ୍କୁ ବିରୋଧ କରିଆସିଛନ୍ତି।
ପୂର୍ବରୁ ରଜନୀକାନ୍ତ ଓ କମଲ ହାସନଙ୍କ ଭଳି ଦକ୍ଷିଣ ଭାରତୀୟ ଅଭିନେତା ରାଜନୀତିରେ ପାଦ ଦେଇଥିଲେ। ଏବେ ସେମାନଙ୍କ ତାଲିକାରେ ପ୍ରକାଶ ରାଜ ଯୋଡ଼ି ହୋଇଯାଇଛନ୍ତି।
from Odisha Reporter http://bit.ly/2VkMWXY
No comments:
Post a Comment