
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ମାଆ ଦୁନିଆର ସବୁଠୁ ସୁନ୍ଦରୀ ମହିଳା। ଯିଏ ମୋତେ ସବୁଠୁ ଅଧିକ ଭଲ ପାଆନ୍ତି। ମୋ ବାପା ରିଅଲ୍ ସିଂଘମ୍। ସବୁଠାରୁ ହାଣ୍ଡସମ୍ ଓ ପ୍ରେରଣାର ବିଶାଳ ଉତ୍ସ। ମୋ ଭଉଣୀ ମୋତେ କେବେ ବି ଏକୁଟିଆ ହେବାକୁ ଦିଏନି। ଆଉ ମୁଁ ଯାହାକୁ ବିବାହ କରିବି, ସେ କେତେ ସୁନ୍ଦର ତାହା ମୋତେ ଜଣାନାହିଁ।” ଦୁଇଦିନ ତଳେ ଏମିତି ଇଂରାଜୀ ଭାଷାରେ ଲେଖିଛନ୍ତି ଆତ୍ମହତ୍ୟା କରିଥିବା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ ଏସ୍ସିପି ସଂଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନ୍।
ଦୁଇଦିନ ତଳେ ଆୟୁଷ୍ମାନ ଆତ୍ମହତ୍ୟା କରିଥିଲେ। ଏ ଯାଏଁ ଆତ୍ମହତ୍ୟା ପଛର କାରଣ ଖୋଜି ପାଉନାହାନ୍ତି ପରିବାର ଲୋକେ। ଏଥିପାଇଁ ପୂରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ଆୟୁଷ୍ମାନଙ୍କ ଡାଏରୀରୁ ମିଳିଛି ଏଭଳି ହୃଦୟସ୍ପର୍ଶୀ ଲେଖା। ଆୟୁଷ୍ମାନଙ୍କ ବାପା ସଞ୍ଜୀବ ଶତପଥୀ ଏ କଥା କିଛି ସହଯୋଗୀ ଓ ପରିଜନଙ୍କୁ କହିବା ପରେ ତାହା ଗଣମାଧ୍ୟମକୁ ଆସିଛି।
ଏଠାରେ ପ୍ରଶ୍ନ ଉଠୁଛି ନିଜ ପରିବାରକୁ ଏତେ ଭଲ ପାଉଥିବା କୋମଳମତି ଆୟୁଷ୍ମାନକୁ ଆତ୍ମହତ୍ୟା ପାଇଁ କେଉଁ କାରଣ ବାଧ୍ୟ କଲା? ବାପା, ମାଆ ଓ ଭଉଣୀର ଅଜସ୍ର ସ୍ନେହ ବନ୍ଧନରେ ଥାଇ ବି କଣ ପାଇଁ ନେଲା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ? ମୋବାଇଲ୍ ଫୋନରେ ଖେଳୁଥିବା ବେଳେ ମାଆଙ୍କ ତାଗିଦକୁ ଅଭିମାନ ନା ମାରାତ୍ମକ ମୋବାଇଲ ଗେମ୍ର ପ୍ରଭାବ? ତାହା ଏବେ ବି ସମସ୍ତଙ୍କୁ ସନ୍ଦେହରେ ରଖିଛି। ଏପଟେ ଆୟୁଷ୍ମାନର ମୃତ୍ୟୁ ଦୁର୍ଘଟଣାଜନିତ ଓ ଏହା ପଛରେ ଆଉ କୌଣସି କାରଣ ନଥିବାରୁ ଏହାକୁ ନେଇ ଭୁଲ ତଥ୍ୟ ପ୍ରଚାର ନକରିବାକୁ ସୋଶାଲ ମିଡିଆରେ ନିବେଦନ କରିଛନ୍ତି ଆୟୁଷ୍ମାନଙ୍କ ବାପା ଏସିପି ସଞ୍ଜୀବ ଶତପଥୀ।
ସେ କହିଛନ୍ତି-“ମୋ ପୁଅର ମୃତ୍ୟୁ ଏକ ଦୁର୍ଘଟଣା। ପୁଅ ଜଣେ ଭଲ ଟେନିସ ଖେଳାଳି ଓ ବହୁତ ଭଲ ପଢ଼େ। ସେ ଅନେକ ସମୟରେ ମଜାଳିଆ ହରକତ କରିଥାଏ। ଘଟଣା ଦିନ ରାତି ୧୨ଟା ୩୦ଯାଏ ପୋଷା କୁକୁର ସହ ଖେଳିଥିଲା। ଏହାକୁ ନେଇ ତା ମାଆ ରାଗିବା ସହ ତାକୁ ତାଗିଦ କରିଥିଲା। ଏଥିରେ ମ୍ରିୟମାଣ ହୋଇ ବେକରେ ଏକ ଜିନ୍ ପ୍ୟାଣ୍ଟ ଗୁଡ଼ାଇ ଥିଲା। ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥିବାରୁ ତର୍କତର୍ଜମା ନକରିବାକୁ ଅନୁରୋଧ କରୁଛି। ମୃତ୍ୟୁ ଭିଡିଓ ଗେମ୍ ପ୍ରଭାବ ଜନିତ ନୁହଁ।”
ସପ୍ତମ ଶ୍ରେଣୀର ପାଠ ପଢୁଥିବା ଜଣେ ଛାତ୍ର ନିଜ ଭିତରେ ଏଭଳି ଭାବାବେଗ ରଖୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଏହା କ’ଣ ଆତ୍ମହତ୍ୟା ନା ଦୁର୍ଘଟଣା, ତାହା ଏବେ ବି ରହସ୍ୟ ଭିତରେ ରହିଛି।
from Odisha Reporter http://bit.ly/2sgKXGB
No comments:
Post a Comment