
ମୁମ୍ବାଇ: କାଠଗଡ଼ାକୁ ଟଣା ହେବେ ବଲିଉଡ୍ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ। କେବଳ ସେ ଏକା ନୁହନ୍ତି ତାଙ୍କ ସହ ଭଉଣୀ ଶମିତା ସେଟ୍ଟୀ ଓ ତାଙ୍କ ମା’ ସୁନନ୍ଦା ସେଟ୍ଟୀ ମଧ୍ୟ କୋର୍ଟରେ ହାଜର ହେବେ। ଏକ ଋଣ ଠକେଇ ମାମଲାରେ ଏମାନେ କୋର୍ଟରେ ହାଜର ହେବେ। ଏନେଇ ମୁମ୍ବାଇର ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଆସନ୍ତା ଜାନୁଆରୀ ୨୯ ତାରିଖରେ ଶିଲ୍ପାଙ୍କ ସହ ଅନ୍ୟ ୨ ଜଣ କୋର୍ଟରେ ହାଜର ହେବାକୁ ନୋଟିସ୍ ହୋଇଛି।
ପରହାଦ୍ ଆମ୍ର ନାମକ ଜଣେ ଅଟୋମୋବାଇଲ ବ୍ୟବସାୟୀ ଉପରୋକ୍ତ ଋଣ ଠକେଇ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ବଞ୍ଚିଥିଲା ବେଳେ ଶିଲ୍ପାଙ୍କ ବାପା ସୁରେନ୍ଦ୍ର ସେଟ୍ଟୀଙ୍କ ସହ ପରହାଦ୍ଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। ୨୦୧୫ ମସିହାରେ ପରହାଦ୍ଙ୍କ ଠାରୁ ନିଜର ବ୍ୟବସାୟ ପାଇଁ ଶିଲ୍ପାଙ୍କ ବାପା ସୁରେନ୍ଦ୍ର ୨୧ ଲକ୍ଷ ଟଙ୍କା ଋଣ ଆଣିଥିଲେ। କିନ୍ତୁ ୨୦୧୬ରେ ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଋଣ ବିଷୟରେ କିଛି ଜାଣି ନଥିବା କହି ସୁଝି ନଥିଲେ। ତେବେ ବ୍ୟବସାୟୀ ପରହାଦ୍ଙ୍କ କହିବା ଅନୁଯାୟୀ ବାପାଙ୍କ ବ୍ୟବସାୟରେ ତାଙ୍କ ପରିବାର ସଦସ୍ୟ ତଥା ଶିଲ୍ପା ସେଟ୍ଟୀ, ଭଉଣୀ ଶମିତା ସେଟ୍ଟୀ ଓ ତାଙ୍କ ମା’ ସୁନନ୍ଦା ସେଟ୍ଟୀ ପାର୍ଟନର ଥିଲେ।
ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିଲ୍ପା। ‘ମିଡ୍ ଡେ’କୁ ଦେଇଥିବା ଏକ ସାକ୍ଷାତକାରରେ ଶିଲ୍ପା କହିଛନ୍ତି ଯେ, ମୁଁ ମୋ ବାପାଙ୍କ ବ୍ୟବସାୟରେ ଆଦୌ ମୁଣ୍ଡ ଖେଳାଏ ନାହିଁ। କମ୍ପାନୀର ଫାଇନାନ୍ସ ବିଷୟରେ ମୋର କୌଣସି ଧାରଣା ନାହିଁ। ସମ୍ପୃକ୍ତ ଭଦ୍ର ବ୍ୟକ୍ତି ଜଣକ ଗଣମାଧ୍ୟମର ସାହାଯ୍ୟ ନେଇ ଆମ ପରିବାରକୁ ବଦ୍ନାମ୍ କରିବାକୁ ଚାହୁଁଛନ୍ତି ବୋଲି ଶିଲ୍ପା ପାଲଟା ଅଭିଯୋଗ ଆଣିଛନ୍ତି।
from Odisha Reporter http://bit.ly/2CFeWgs
No comments:
Post a Comment