
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ଓ ରୋଜଗାର ପ୍ରଦାନରେ ବିଫଳତା ପ୍ରତିବାଦରେ ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବାକୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ନିଷ୍ପତ୍ତି ନେଇଛି।
ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଆ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବାରେ ବାଧକ ସାଜୁଥିବା ରାଜ୍ୟ ସରକାରଙ୍କ ବିରୁଦ୍ଧରେ, ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଲକ୍ଷାଧିକ ଓଡ଼ଆ ଯୁବକ ଯୁବତୀ ବିଧାନସଭା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିସହ ସେମାନେ ନିଜ ନିଜର ଶିକ୍ଷାଗତ ସାର୍ଟିଫିକେଟ୍ ରାଜ୍ୟ ସରକାରଙ୍କୁ ଫେରାଇଦେବେ। ସମାଜର ସବୁଠାରୁ ବଡ଼ ବର୍ଗ ଯୁବସମାଜକୁ ନବୀନ ସରକାର ଧୋକା ଦେଇଚାଲିଛନ୍ତି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ନାହାନ୍ତି, ସେପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ‘ନିଯୁକ୍ତି ମେଳା’ ନାଁରେ ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଦୀର୍ଘବର୍ଷ ଶାସନ ଗାଦିରେ ବିଜେଡି ରହିବା ପରେ ବି ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିଲେ ନାହିଁ। ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ପଡ଼ିଛି। ସେହିପରି ରାଜ୍ୟ ସରକାର ବିଭିନ୍ନ ଶିଳ୍ପମାନଙ୍କ ସହ ଏମଓୟୁ କରି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେଇନାହାଁନ୍ତି। ଅନ୍ୟପଟେ ରାଜ୍ୟସରକାର ଏନ୍ଟପିିସି, ଜାତୀୟ ରାଜପଥ, ତୈଳଗଚ୍ଛିତ କେନ୍ଦ୍ର ଆଦି ପ୍ରକଳ୍ପକୁ ଆଗକୁ ନେବାରେ ବାଧକ ସାଜିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2RXdK2n
No comments:
Post a Comment