ମହାରଥୀଙ୍କୁ ଇସ୍ତଫା ଦେବାକୁ ଏତେ ଡେରିରେ କାହିଁକି କହିଲେ ମୁଖ୍ୟମନ୍ତ୍ରୀ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ମହାରଥୀଙ୍କୁ ଇସ୍ତଫା ଦେବାକୁ ଏତେ ଡେରିରେ କାହିଁକି କହିଲେ ମୁଖ୍ୟମନ୍ତ୍ରୀ 

np

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀ ଦଳର କ୍ରମାଗତ ଚାପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶ୍ରୀ ମହାରଥୀ ଆଜି ପୂର୍ବାହ୍ନରେ ନିଜର ଇସ୍ତଫା ପତ୍ର ନବୀନ ନିବାସ ପଠାଇ ଦେଇଥିବା ଜଣାପଡ଼ିଛି। ପିପିଲି ଗଣଦୁଷ୍କର୍ମ ମାମଲାରେ ମହାରଥୀଙ୍କୁ ଗତ ୬ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଉପରେ ମନ୍ତ୍ରୀ ମହାରଥୀ ଦେଇଥିବା ଦାୟିତ୍ୱହୀନ ତଥା ମହିଳାବିରୋଧୀ ବୟାନକୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗତ ଏକ ସପ୍ତାହ ଧରି ଉଭୟ ଦଳ ପକ୍ଷରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରାଯିବା ସହ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଚାପ ପଡ଼ିଥିଲା। କିନ୍ତୁ ପୁରୀରେ ମହିଳା ଏସଏଚଜି ସମାବେଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଏଡ଼ାଇ ଚାଲିଥିଲେ। ଯଦିଓ ବିଜେପି ମହିଳା ମୋର୍ଚ୍ଚା ଏହି ଘଟଣାରେ ୨ଥର ନବୀନ ନିବାସ ଓ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ  ଘେରାଉ କରିବା ସହ ରାଜ୍ୟବ୍ୟାପୀ ନାଲି ଚୁଡ଼ି ସଂଗ୍ରହ ପ୍ରକିୟା କରି ଚାପ ବଜାୟ ରଖିଥିଲା। କଂଗ୍ରେସ ମଧ୍ୟ ଏହି ଘଟଣାରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲା। କିନ୍ତୁ ଗତକାଲି ବାରିପଦା ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲି ଗଣଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେବାପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ଅଧିକ ବଢ଼ିଥିଲା।

ଦଳର ‘କୃଷକ ଅଧିକାର ଯାତ୍ରା’କୁ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବାକୁ ଯିବା ପୂର୍ବରୁ ହିଁ ଶ୍ରୀ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଦଳର ସେହି କାର୍ଯ୍ୟକ୍ରମରେ ସାମିଲ ନହେବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ନିଜେ ଟେଲିଫୋନ୍ ଯୋଗେ ଶ୍ରୀ ମହାରଥୀଙ୍କୁ ଏହି ସୂଚନା ଦେଇଥିବା ଜଣାପଡ଼ିଛି।

ତେବେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଶ୍ରୀ ମହାରଥୀ ନିଜର ଇସ୍ତଫା ପତ୍ର ନବୀନ ନିବାସ ପଠାଇବା ପରେ ହିଁ ଏ ସମ୍ପର୍କରେ ଖବରକୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ଅନ୍ୟ ଏକ ଅସମର୍ଥିତ ସୂତ୍ର ଅନୁସାରେ, ଶ୍ରୀ ମହାରଥୀ ନିଜର ମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ଗତକାଲି ରାତିତମାମ ପ୍ରୟାସ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ମଧ୍ୟ ଆଜି ନବୀନ ନିବାସ ଯାଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ ସେ ଇସ୍ତଫା ପତ୍ର କାହିଁକି ପଠାଇ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ତା’ପରେ ହିଁ ଶ୍ରୀ ମହାରଥୀଙ୍କ ଇସ୍ତଫା ପତ୍ର ତାଙ୍କର ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ନବୀନ ନିବାସକୁ ଆସିଥିବା ସୂଚନା ମିଳିଛି।

ଆହୁରି ମଧ୍ୟ କୁହାଯାଉଛି ଯେ, ଦିଲ୍ଲୀରେ ୮ ତାରିଖରେ ବିଜେଡିର ପ୍ରସ୍ତାବିତ ଏମଏସପି ସମ୍ପର୍କିତ ଚାଷୀ ସମାବେଶରେ ଯୋଗ ଦେବାକୁ ନବୀନ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯାଉଥିବାରୁ ଜାତୀୟ ଗଣମାଧ୍ୟମ ତାଙ୍କୁ ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ମନ୍ତ୍ରୀ ମହାରଥୀଙ୍କ ବୟାନକୁ ନେଇ ପ୍ରଶ୍ନ କରିବା ସହ ବିରୋଧୀ ଦଳ ପକ୍ଷରୁ ତାଙ୍କର ଗସ୍ତକୁ ବିରୋଧ କରାଯିବାର ଗୁଇନ୍ଦା ରିପୋର୍ଟ ମିଳିଥିଲା। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇବା ପରେ ନବୀନ ଚାପଗ୍ରସ୍ତ ହୋଇଥିଲେ ଓ ମହାରଥୀଙ୍କ ଇସ୍ତଫା ଚାହିଁଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପିପିଲି ଗଣଦୁଷ୍କର୍ମ ମାମଲାରେ ରାଜ୍ୟର ବିରୋଧୀ ଦଳର ଚାପ ଓ କଂଗ୍ରେସ ପକ୍ଷରୁ ନବୀନଙ୍କୁ ଦିଲ୍ଲୀରେ ବିରୋଧ ହେବାପରେ ୨୦୧୨ ଜୁନ୍ ୨୦ତାରିଖରେ ଶ୍ରୀ ମହାରଥୀଙ୍କୁ  ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତ ୨୦୧୭ ଡିସେମ୍ବର ୨୨ତାରିଖରେ ମନ୍ତ୍ରିପଦରୁ ବହିଷ୍କୃତ ହେବାପରେ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱରେ ଶ୍ରୀ ମହାରଥୀ ରହିଥିଲେ। ମହାରଥୀଙ୍କ ପାଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ କୃଷି ଓ କୃଷକ କଲ୍ୟାଣ ବିଭାଗ ରହିଥିଲା।

ଆହୁରି ପଢ଼ନ୍ତୁ: ମନ୍ତ୍ରୀପଦରୁ ଇସ୍ତଫା ଦେଇପାରନ୍ତି ମହାରଥୀ!



from Odisha Reporter http://bit.ly/2Ra3hjH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages