
କେନ୍ଦୁଝର(ପ୍ରଣୟ ପାଣି): ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍ ୧୩ ତାରିଖରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବରଦାପାଳ ପଞ୍ଚାୟତର ରୁଗୁଡ଼ିସାହିର ୨୫ଟି ପରିବାରର ୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଚେଙ୍କ ଦିଆଯାଇଥିଲା। ମକର ସଂକ୍ରାନ୍ତି ଦିନ ପିଠା ଖାଇଲେ କାଳେ ପିଲାମାନଙ୍କ ପେଟ ଖରାପ ହେବ, ସେହି ଭୟରେ ସେମାନଙ୍କୁ ଚେଙ୍କ ଦିଆଯାଇଥିଲା। ସମସ୍ତଙ୍କ ପେଟରେ ଚେଙ୍କ ଦିଆଯାଇଥିଲା।
ଚେଙ୍କ ଦେଲେ ଯେ ପେଟ ଖରାପ ହେବନି, ତାହା ଚିକିତ୍ସା ଶାସ୍ତ୍ରରେ କେଉଁଠି ବି ଲେଖାଯାଇନି। ତେଣୁ ଏହା ଯେ ଏକ ଅନ୍ଧବିଶ୍ୱାସ, ସେଥିରେ ଆଦୌ ଅତ୍ୟୁକ୍ତି ନାହିଁ। ତେବେ କେବଳ ଅନ୍ଧବିଶ୍ୱାସ ପାଇଁ ଲୋକେ ଏମିତି କରୁ ନାହାନ୍ତି, ବିକାଶ ବି ସେଠାରେ ଅପହଞ୍ଚ ହୋଇ ରହିଛି। ସେମାନେ ସଚେତନ ବି ହୋଇନାହାନ୍ତି। ସେଥିପାଇଁ ସେମାନେ ଏଭଳି କରୁଛନ୍ତି। ଜଣେ ଗ୍ରାମବାସୀ ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଯାଉଛି।
ଏହି ଗ୍ରାମବାସୀ ଜଣଙ୍କ କହିଛନ୍ତି,“ମକର ସଂକ୍ରାନ୍ତିରେ ଘରେ ପିଠାପଣା ହୋଇଥାଏ। ପିଲାମାନେ ପିଠାପଣା ଖାଇଥାନ୍ତି। ପିଠାପଣା ଖାଇ ପିଲାଙ୍କ ପେଟ ଯେମିତି ଖରାପ ନ ହେବ, ସେଥିପାଇଁ ଦିନକ ପୂର୍ବରୁ ଆମେ ପିଲାମାନଙ୍କୁ ଚେଙ୍କ ଦେଇଥାଉ।”
ସେ ଆହୁରି କହିଛନ୍ତି,“ପିଲାଙ୍କ ପେଟ ଖରାପ ହେଲେ ଡାକ୍ତରଖାନା ନେବାକୁ ଭଲ ରାସ୍ତାଟିଏ ନାହିଁ। ଡାକ୍ତରଖାନା ଗଲେ ପଇସା ଦରକାର। ଆମ ପାଖରେ ପଇସା ନାହିଁ। ଏଥିପାଇଁ ପିଲାମାନଙ୍କୁ ଚେଙ୍କ ଦେଇଥାଉ।”
ଏଣୁ ଏ ଗାଁ ଲୋକଙ୍କୁ ଖାଲି ଅନ୍ଧବିଶ୍ୱାସୀ କହି ହାତ ଟେକି ଦେଲେ କିଛି ହେବ ନାହିଁ। ଗାଁକୁ ରାସ୍ତା ହେବା ଦରକାର। ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ଓ ପ୍ରଶାସନ ଅଣ୍ଟା ଭିଡ଼ିବା ଦରକାର। ତା’ସହିତ ସେମାନଙ୍କୁ ସଚେତନ କରିବା ନେଇ ପଦକ୍ଷେପ ନିଆଯିବା ଦରକାର।
from Odisha Reporter http://bit.ly/2VVBTol
No comments:
Post a Comment