
ପୁରୀ (ଓଡ଼ିଶା ରିପୋର୍ଟର): ‘କାଳିଆ’ ପାଇଁ ଅଧାରାସ୍ତାରେ ବେପରୁଆ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁ ଆଜି ଏକ ଆମ୍ୱୁଲାନ୍ସକୁ ଅଟକି ରହିବାକୁ ପଡ଼ିଥିଲା। ଆଜି ଏମିତି ସ୍ଥିତି ପୁରୀକୁ ଯାଇଥିବା ଏନ୍ଏଚ୍ର ମାଳତିପାଟପୁରରେ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ପାଇଁ ଏନ୍ଏଚ୍ରେ ପ୍ରବଳ ଭିଡ଼ ହୋଇଥିବା ଅଲୋଚନା ହେଉଛି।
ଆଜି ପୁରୀ ମାଳତିପାଟପୁରଠାରୁ ୨ରୁ ୩ କିମି ଦୂରରେ ମୁଖ୍ୟମନ୍ତ୍ରୀଙ୍କ ସଭା ହେଉଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ସମାବେଶରେ ମାଳ ମାଳ ନେତା ଓ କର୍ମୀଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ ହଜାର ଚାଷୀ ସାମିଲ ହୋଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି କରାଯାଇଥିଲା। ପୁଲିସଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସମାବେଶ ସ୍ଥଳରେ ପହଞ୍ଚିଥିଲା। ଠିକ୍ ସେତିକିବେଳେ ଏନ୍ଏଚ୍ର ମାଳତିପାଟପୁରଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବେପରୁଆ ଟ୍ରାଫିକ୍ ପରିଚାଳନା ଯୋଗୁ ଗାଡ଼ି ଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତାରେ ଛିଡ଼ା ହୋଇଥିଲା। ଏଥିରୁ ବର୍ତ୍ତି ନଥିଲା ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ୱୁଲାନ୍ସ। ସାଇରନ୍ ବାଜୁଥିଲେ ମଧ୍ୟ ଆମ୍ୱୁଲାନ୍ସକୁ ଛାଡ଼ି ନଥିଲେ ଲୋକେ। କିଛି ସମୟ ପୁଲିସ ଅଧିକାରୀମାନେ ଆସି ଆମ୍ୱୁଲାନ୍ସକୁ ଯିବାକୁ ଦେଇଥିଲେ।
from Odisha Reporter http://bit.ly/2B34Iq6
No comments:
Post a Comment