
ନୂଆଦିଲ୍ଲୀ: ଫ୍ରାନ୍ସ ସରକାରଙ୍କ ସହ ରାଫେଲ ଡିଲ୍କୁ ନେଇ ଆଜି ଲୋକସଭାରେ ଘମାଘୋଟ ବିତର୍କ ଦେଖିବାକୁ ମିଳିଛି। ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ବିତର୍କରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ରାଫେଲ ଡିଲ୍ରେ ହୋଇଥିବା ଅନିୟମିତିତାର ତଦନ୍ତ ସଂସଦର ଯୁଗ୍ମ କମିଟି ବା ଜେପିସି ଦ୍ୱାରା କରିବାକୁ ଦାବି କରିଛନ୍ତି।
ତେବେ ବିରୋଧୀଙ୍କ ଏହି ଦାବିର କଡ଼ା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ସେ ରାହୁଲଙ୍କ ସମସ୍ତ ପ୍ରଶ୍ନର ବିସ୍ତୃତ ଉତ୍ତର ତଥ୍ୟ ସହିତ ଉପସ୍ଥାପିତ କରିଛନ୍ତି। ସେ କଂଗ୍ରେସ ଅମଳରେ ହୋଇଥିବା ବୋଫର୍ସ ଦୁର୍ନୀତିକୁ ଉଠାଇ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବୋଫର୍ସ ସ୍କାମ କଂଗ୍ରେସକୁ ଡୁବାଇ ଥିବା ବେଳା ରାଫେଲ ପୁଣିଥରେ ମୋଦି ସରକାରଙ୍କୁ କ୍ଷମତା ଦଖଲ କରିବାର ସୁଯୋଗ ଦେବ।
ବିରୋଧୀଙ୍କ ବିଭିନ୍ନ ଦାବିର ଜବାବ୍ ଶ୍ରୀମତୀ ସୀତାମରଣ ଦୀର୍ଘ ୨ ଘଣ୍ଟା ଧରି ଦେଇଥିଲେ। କଂଗ୍ରେସ ଦେଶବାସୀଙ୍କୁ ମିଛ କହୁଥିବା ବେଳେ ସେ ଡିଲ୍ ସମ୍ପର୍କରେ ପଏଣ୍ଟ ଟୁ ପଏଣ୍ଟ ତଥ୍ୟ ଦେଇଥିଲେ। ଏଥିରେ ରାଫେଲ ଡିଲ୍ର ଦର ଠାରୁ ଆରମ୍ଭ କରି ଏଚ୍ଏଏଲ୍ କାହିଁକି ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରିବ ନାହିଁ ତା’ର ସମସ୍ତ ତଥ୍ୟ ରଖିଥିଲେ।
ସେ କହିଛନ୍ତି, “ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟସ୍ଥି ବା ଦଲାଲଙ୍କ ବିନା ମୋଦି ସରକାରଙ୍କ ଶାସନ କାଳରେ କାର୍ଯ୍ୟ କରୁଛି। ମନ୍ତ୍ରଣାଳୟ କେବଳ ଦେଶର ସ୍ୱାର୍ଥ କଥା ଚିନ୍ତା କରୁଛି। ମୁଁ ଏଠାରେ ବୋଫର୍ସ କଥା କହିବି ନାହିଁ। କାରଣ ବୋଫର୍ସ ଏକ ଦୁର୍ନୀତି ଥିଲା।
ହେଲେ ରାଫେଲ୍ରେ କୌଣସି ଦୁର୍ନୀତି ହୋଇନାହିଁ। ବୋଫର୍ସ ଆପଣଙ୍କୁ(କଂଗ୍ରେସ) ଡୁବାଇଥିଲା। ରାଫେଲ ପୁଣିଥରେ ଏକ ଉନ୍ନତ ଏବଂ ବିକଶିତ ଭାରତ ପାଇଁ ମୋଦି ସରକାରଙ୍କୁ କ୍ଷମତା ଦଖଲ କରିବାକୁ ସୁଯୋଗ ଦେବ। ଏଥିସହ କଂଗ୍ରେସ ସହ ଜଡ଼ିତ ଥିବା ଦୁର୍ନୀତିର ମୂଳପୋଛ କରିବ।”
କଂଗ୍ରେସର ବିଭିନ୍ନ ଅଭିଯୋଗକୁ କାଉଣ୍ଟର କରି ସେ କହିଛନ୍ତି, “ ଭାରତୀୟ ବାୟୁସେନା ହିଁ ୨ଟି ସ୍କ୍ୱାର୍ଡନ କିମ୍ବା ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସରକାରଙ୍କୁ କହିଥିଲା। ଏହା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ସମୟରୁ ଚାଲିଥିଲା। କିନ୍ତୁ କଂଗ୍ରେସ ନିଜ ଦଳର ପାଣ୍ଠି ବୃଦ୍ଧି କରିବା ପାଇଁ ଦେଶର ସୁରକ୍ଷାକୁ ବଳିଦାନ ଦେଇ ବିଦେଶରୁ ସମସ୍ତ ୧୨୬ଟି ଯୁଦ୍ଧ ବିମାନ କିଣିବାକୁ ଚେଷ୍ଟା କରିଥିଲା।
ଏନ୍ଡିଏ ସରକାର ୨୦୧୯ ଶେଷ ସୁଦ୍ଧା ପ୍ରଥମ ରାଫେଲ ଯୁଦ୍ଧ ବିମାନ ଆଣିବେ। ସେହିପରି ୨୦୨୨ ସୁଦ୍ଧା ଫ୍ରାନ୍ସରେ ନିର୍ମିତ ସମସ୍ତ ୩୬ ରାଫେଲ ଯୁଦ୍ଧ ବିମାନ ସେନା ପାଖରେ ପହଞ୍ଚିବ। ପରବର୍ତ୍ତୀ ଅବଶିଷ୍ଟ ୯୦ଟି ବିମାନକୁ ରାଫେଲ ଭାରତୀୟ ଅଫସେଟ କମ୍ପାନୀଙ୍କ ସହ ମିଶି ଭାରତରେ ନିର୍ମାଣ କରିବ। ”
ୟୁପିଏ ସରକାର ବିମାନ ପିଛା ୫୨୬ କୋଟି ଟଙ୍କାର ଡିଲ୍ କରିଥିବା ବେଳେ ଏବେ ଏହା କାହିଁକି ୧୬୦୦ କୋଟିରେ ପହଞ୍ଚିଲା ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ସୀତାମରଣ କହିଛନ୍ତି, “ ଏଭଳି ତୁଳନା କରିବାର ଅର୍ଥ କମଳା ସାଙ୍ଗେ ସେଓର ତୁଳନା କରିବା ସହ ସମାନ। ୨୦୦୭ରେ ଯେଉଁ ଦର ଥିଲା ୨୦୧୬ରେ ସେହି ଦର ରହିବ ବୋଲି କିଛି ମାନେ ନାହିଁ। କାରଣ ଦର ଓ ୟୁରୋର ଏକ୍ସଚେଞ୍ଜ ରେଟ୍ ଦିନକୁ ଦିନ ବଦଳୁଛି। ଯୁଦ୍ଧ ବିମାନର ମୂଳ ଦର ସହ ଅସ୍ତ୍ରଶସ୍ତ୍ର ଓ ଅତ୍ୟାଧୁନିକ ଇଲେକଟ୍ରନୀକ ବ୍ୟବସ୍ଥା ଖଚିତ ବିମାନର ଦର ତୁଳନା କରାଯାଇ ପାରିବ ନାହିଁ।”
କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି, “ ଏଚ୍ଏଏ ଲ୍ ପାଇଁ କଂଗ୍ରେସ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ଏଚ୍ଏଏଲ୍ ପାଇଁ କଂଗ୍ରେସ କିଛି କରି ନଥିଲା। କିନ୍ତୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଏଚ୍ଏଏଲ୍କୁ ୧ ଲକ୍ଷ କୋଟି ଟଙ୍କାର କଣ୍ଟ୍ରାକ୍ଟ ଦେଇଛନ୍ତି। କଂଗ୍ରେସ ରାଫେଲ ପାଇଁ ଚୁକ୍ତି କରିଥିଲେ ହେଁ ଏହାକୁ ନ କିଣି ବାୟୁସେନାକୁ ଦୁର୍ବଳ କରିଦେଇଥିଲା। ରାଫେଲ୍ ପାଇଁ ଡିଲ୍ କଂଗ୍ରେସକୁ ସୁହାଇ ନଥିବାରୁ ଏହା ଚୂଡ଼ାନ୍ତ ରୂପ ନେଇ ପାରି ନଥିଲା। ଅନ୍ୟପକ୍ଷେ ମୋଦି ସରକାର ଦେଶର ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି।
କଂଗ୍ରେସ କହୁଛି ୧୨୬ଟି ବିମାନ ବଦଳରେ ଏନ୍ଡିଏ ସରକାର ଏହାକୁ ୩୬ଟିକୁ ହ୍ରାସ କରିଦେଲେ। ଏହା ମିଥ୍ୟା ତଥ୍ୟ କଂଗ୍ରେସ ୧୮ଟି ଉଡ଼ିବା ଅବସ୍ଥାରେ ଥିବା ବିମାନ କିଣିବାର ଥିଲା। କିନ୍ତୁ ଏନ୍ଡିଏ ସରକାର ଏହାକୁ ୩୬ରେ ପହଞ୍ଚାଇଛନ୍ତି।
ରାଫେଲ ଯୁଦ୍ଧ ବିମାନର ବେସିକ ବା ମୂଳଦର ଆମ ପାଇଁ ୬୭୦ କୋଟି ଥିବା ବେଳେ କଂଗ୍ରେସ ଅମଳରେ ତାହା ୭୩୭ କୋଟି ଥିଲା। ଅର୍ଥାତ ଆମେ ୯% ଶସ୍ତାରେ ବିମାନ କିଣିବାକୁ ଯାଉଛୁ।”
from Odisha Reporter http://bit.ly/2s8gPNT
No comments:
Post a Comment