
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୂଲ୍ୟାୟନ ତ୍ରୁଟିକୁ ନେଇ ସିବିଏସ୍ଇ ଜିରୋ ଟଲରାନ୍ସ ପଲିସି ଆପଣାଇବାକୁ ଯାଉଛି। ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନରେ ତ୍ରୁଟି ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମୂଲ୍ୟାୟନରେ ତ୍ରୁଟି କରୁଥିବା ଶିକ୍ଷକଙ୍କୁ ବହିଷ୍କାର କରାଯିବ ବୋଲି ସିବିଏସ୍ଇ ସଚିବ ଅନୁରାଗ ତ୍ରିପାଠୀ କହିଛନ୍ତି। ଏହାସହ ଗଣିତରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଲାଗି ୨୦୨୦ରୁ ସହଜ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ଯୋଜନା ରଖାଯାଇଥିବା ସେ କହିଛନ୍ତି।
ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଲାଗି ସିବିଏସ୍ଇ ଆପଣାଇଛି ଏପରି ବ୍ଲୁ ପ୍ରିଣ୍ଟ। ଏନେଇ ସ୍କୁଲ୍ ଅଧ୍ୟକ୍ଷମାନଙ୍କୁ ଆଜି ଅନୁଷ୍ଠିତ ଭୁବନେଶ୍ୱର ରିଜିଅନ୍ ସିବିଏସ୍ଇ ସ୍କୁଲ୍ ଅଧ୍ୟକ୍ଷ ବୈଠକରେ ତାଗିଦ୍ କରିଛନ୍ତି ସିବିଏସ୍ଇ କର୍ତ୍ତୃପକ୍ଷ।
ଆସନ୍ତା ବୋର୍ଡ ପରୀକ୍ଷାର ଶୃଙ୍ଖଳିତ ପରିଚାଳନା ଓ ମୂଲ୍ୟାୟନ ନେଇ ପ୍ରଶିକ୍ଷଣ ଦିଆଯାଇଛି। ତ୍ରିସ୍ତରୀୟ ମୂଲ୍ୟାୟନ ଲାଗି ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। କେବଳ ଦକ୍ଷ ଶିକ୍ଷକମାନଙ୍କୁ ମୂଲ୍ୟାୟନରେ ନିୟୋଜିତ କରାଯିବ। କେଉଁମାନେ ମୂଲ୍ୟାୟନ କରିବେ ତା’ର ତାଲିକା ପ୍ରସ୍ତୁତ ଲାଗି ଆଞ୍ଚଳିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆଉ ମୂଲ୍ୟାୟନରେ ତ୍ରୁଟି ପରିଲକ୍ଷିତ ହେଲେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ ଓ ଆବଶ୍ୟକ ସ୍ଥଳେ ବହିଷ୍କାର କରାଯିବ। ଏହାସହ ଆସନ୍ତା ବର୍ଷରୁ ସିବିଏସ୍ଇ ଦଶମରେ ଗଣିତର ଦୁଇଟି ପ୍ରଶ୍ନପତ୍ର କରିବାକୁ ଯୋଜନା ରହିଛି। ଦୁର୍ବଳ ପିଲାଙ୍କ ଲାଗି ସହଜ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ଏହି ପରୀକ୍ଷଣ ସଫଳ ହେଲେ ଅନ୍ୟ ବିଷୟ ଲାଗି ମଧ୍ୟ ଦୁଇଟି ପ୍ରଶ୍ନପତ୍ର କରିବାକୁ ସିବିଏସଇ ବିଚାର କରୁଛି।
ରାଜ୍ୟରେ ଜାଲ୍ ସିବିଏସ୍ଇ ସ୍କୁଲ୍ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସିବିଏସ୍ଇ ନିର୍ଦ୍ଦେଶକ ବିଶ୍ୱଜିତ ଶାହା ଚେତାବନୀ ଦେଇଛନ୍ତି।
ଦୁଇ ବର୍ଷର ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସାଙ୍ଗକୁ ତ୍ରୁଟି ପୂର୍ଣ୍ଣ ମୂଲ୍ୟାୟନ ଅଭିଯୋଗ ଆସିଥିଲା। ସିବିଏସ୍ଇର ପରୀକ୍ଷା ପରିଚାଳନା ଉପରେ ଏହା ପ୍ରଶ୍ନବାଚୀ ଲଗାଇଥିଲା। ତେଣୁ ଏଥର ଆଗୁଆ ସତର୍କ ହୋଇଛି ସିବିଏସଇ। ବୋର୍ଡର ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ସ୍କୁଲ ଅଧ୍ୟକ୍ଷମାନେ ସ୍ୱାଗତ କରିଛନ୍ତି।
ଗତବର୍ଷ କର୍ତ୍ତବ୍ୟରେ ଅବହେଳା ପାଇଁ ୧୩୦ ମୂଲ୍ୟାୟନକାରୀଙ୍କୁ ନିଲମ୍ବନ କରିଥିଲା ସିବିଏସ୍ଇ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବୋର୍ଡ ଏଥର ଜିରୋ ଟଲରାନ୍ସ ନୀତି ଗ୍ରହଣ କରିବାକୁ ସ୍ଥିର କରିଛି।
from Odisha Reporter http://bit.ly/2RLMbIg
No comments:
Post a Comment