
ହାଇଦ୍ରାବାଦ୍(ଓଡ଼ିଶା ରିପୋର୍ଟର): ମାତାଲ୍ ହେଲେ, କଥା ସରିଲା। ମହିଳା ହୁଅନ୍ତୁ କି ପୁରୁଷ ପେଟରେ ନାଲି ପାଣି ପଡ଼ିଲେ ସମ୍ପର୍କ ତୁଚ୍ଛ। ଯାହାର ନଗ୍ନ ଉଦାହରଣ ଦେଖିବାରକୁ ମିଳିଛି ହାଇଦ୍ରାବାଦ୍ରେ। ଯମୁନା(ଛଦ୍ମନାମ) ମାଲ୍ ପିଇ ମାତାଲ ଅବସ୍ଥାରେ ନିଜ ଛୁଆକୁ ଧରି ଘରକୁ ଯାଉଥିଲ। ବାଟ ପାଇଲେନି ବୋଲି ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କୁ ୨ ମାସର କଅଁଳା ଛୁଆକୁ ଧରେଇ ଦେଇ ସେ କେଉଁଆଡେ ଚାଲିଗଲେ। କୁଆଁ କୁଆଁ ହୋଇ କାନ୍ଦିବାକୁ ଲାଗିଲା ଶିଶୁଟି। ରାସ୍ତାରେ ଛୁଆଟିକୁ ଧରି ରହିଥିବା ବ୍ୟକ୍ତି ଜଣକ ଶିଶୁର ମା’କୁ ଖୋଜି ବସିଲେ । ପାଇଲେନି। ଶେଷରେ ଥାନାରେ ନେଇ ଥୋଇଦେଲେ ତାକୁ।
କୁଆଁ କୁଆଁ କାନ୍ଦରେ ଫାଟିପଡିଲା ଅଫ୍ଜଲ୍ଗଞ୍ଜ ପୁଲିସ୍ ଥାନା। କ’ଣ କରିବେ, କେମିତି ଖୋଜିବେ ପିଲାଟିର ମା’କୁ ତାକୁ ନେଇ ଚାରିଆରେ ହଇଚଇ ଖେଳିଗଲା। ଆଉ ତ ପରେ ଯାହା ହେଲେ ଶୁଣିଲେ ଆପଣ ବି ବାହାବା କରିବେ। ଆମେ କହୁଛି ସେଇ ମହିଳା କନେଷ୍ଟେବଳଙ୍କ କଥା ଯିଏ, ମା’ ନ ହୋଇ ଏହି ହତଭାଗା ଶିଶୁଟିର ମା’ ପାଲଟିଗଲେ।
ପୁରା ଘଟଣା ଥିଲା ଏମିତି ।
ଅନେକ ସମୟ ଧରି ଛୁଆଟି ମା’କୁ ନ ପାଇବାରୁ କାନ୍ଦିବାରେ ଲାଗିଥିଲା। ଏହା ଦେଖି ପୁଲିସ୍ ଷ୍ଟେସନ୍ରେ ଥିବା କନେଷ୍ଟବଳ ଏମ୍. ରବିନ୍ଦର୍ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ। ରବିନ୍ଦର୍ଙ୍କ ସ୍ତ୍ରୀ ପ୍ରିୟଙ୍କା ମଧ୍ୟ ଜଣେ ପୁଲିସ୍ କନେଷ୍ଟବଳ। ଯିଏ କି ମ୍ୟାଟର୍ନିଟି ଲିଭ୍ରେ ଥିଲେ।
ଶେଷରେ ପ୍ରିୟଙ୍କା ପୁଲିସ୍ ଷ୍ଟେସନ୍ରେ ପହଞ୍ଚି ଛୁଆଟିକୁ ସ୍ତନ୍ୟପାନ କରାଇ ଚୁପ୍ କରାଇଥିଲେ। ଏହି ବିଷୟରେ ପ୍ରିୟଙ୍କା କୁହନ୍ତି, “ସ୍ୱାମୀଙ୍କର ଫୋନ୍ ପାଇବା ପରେ ମୁଁ ସଙ୍ଗେ ସଙ୍ଗେ ଅଫଜଲ୍ଗଞ୍ଜ୍ ପୁଲିସ୍ ଷ୍ଟେସନ୍ରେ ପହଞ୍ଚିଥିଲି। ମୁଁ ନିଜେ ଏକ ଶିଶୁପୁତ୍ରର ମା’ ହୋଇଥିବାରୁ ଛୁଆଟି ଭୋକ ଲାଗୁଥିବାରୁ କାନ୍ଦୁଥିବା ବୁଝିପାରିଥିଲି।”
ଏହା ପରେ ଛୁଆଟିକୁ ପେଟଲାବୁର୍ଜର ସରକାରୀ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ୍ର ତନାଘନା ପରେ ଛୁଆଟିର ମା’କୁ ଗୋଟିଏ ସ୍ଥାନରୁ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମହିଳା ଜଣକ ଫେରି ପାଇବା ପରେ ଯାହା କହିଥିଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ମହିଳା ଜଣଙ୍କର କହିବା ଅନୁସାରେ, ସେ ନିଶାସକ୍ତ ଅବସ୍ଥାରେ ଥିବାରୁ ବାଟ ଭୁଲି ଯାଇଥିଲେ ଏବଂ ଛୁଆ ପାଖକୁ ଫେରି ପାରି ନ ଥିଲେ। ସମସ୍ତ ପରିଚୟପତ୍ର ଯାଞ୍ଚ କରିବା ପରେ ମହିଳା ଜଣକୁ ପୁଲିସ୍ ଛୁଆଟିକୁ ହସ୍ତାନ୍ତର କରିଥିଲା। ଦୁଇ କନେଷ୍ଟବଳ ଦମ୍ପତିଙ୍କର ସହାୟତା ପାଇଁ ଛୁଆଟି ତାର ମା’ ପାଖକୁ ଫେରି ପାରିଥିଲା। ଦୁହିଁଙ୍କର ଏହି କାର୍ଯ୍ୟ ପାଇଁ ହାଇଦ୍ରାବାଦ୍ର ପୁଲିସ୍ର ବରିଷ୍ଠ ଅଧିକାରୀ ତାଙ୍କୁ ସମ୍ମାନିତ କରିଛନ୍ତି।
ଫଳରେ ଦୀର୍ଘ ୨୪ ଘଣ୍ଟା ପରେ ଛୁଆଟି ତା’ର ମା’ କୋଳକୁ ଫେରିଛି। ହାଇଦ୍ରାବାଦ୍ର ମହିଳା କନେଷ୍ଟବଳ ପ୍ରିୟଙ୍କା ଏପରି କାମ କରି ଦେଖାଇଛନ୍ତି, ଯାହା ସବୁ ମା’ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ମିଳିବାରେ ଲାଗିଛି।
from Odisha Reporter http://bit.ly/2Vk87JC
No comments:
Post a Comment