
ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ତାହା ହିଁ ହେଲେ। କଫି ୱିଥ୍ କରନ୍ ଶୋ’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍ କେଏଲ୍ ରାହୁଲଙ୍କୁ ବିସିସିଆଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଯାଏ ନିଲମ୍ବିତ କରିଛି। ଏହି ନିଲମ୍ବନ ପରେ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କୁ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରୁ ବାଦ ପଡ଼ିଛନ୍ତି।
ଏବେ ପାଣ୍ଡ୍ୟାଙ୍କ ସ୍ଥାନରେ ସ୍ପିନିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଅଧିନାୟକ ବିରାଟ୍ କୋହଲି ଏକଥା ସ୍ପଷ୍ଟ କରିଥିଲେ। ସେ କହିଥିଲେ, ଯଦି ପାଣ୍ଡ୍ୟା ନ ଖେଳନ୍ତି ତା’ହେଲେ ଜାଡେଜା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ।
ନିଲମ୍ବନ ସମ୍ପର୍କରେ ସୂଚନା ଦେଇ ବିସିସିଆ ସିଓଏ ଅଧ୍ୟକ୍ଷ ବିନୋଦ ରାୟ କହିଛନ୍ତି, “ଉଭୟ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ନିଲମ୍ବନ କରାଯିବା ସହ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ତଦନ୍ତ ଆରମ୍ଭ ପୂର୍ବରୁ ଉଭୟଙ୍କୁ ପୁଣିଥରେ ନିଜର ମନ୍ତବ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ।”
ଅନ୍ୟପକ୍ଷରେ ଏମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ବିସିସିଆଇର ଆଭ୍ୟନ୍ତରୀଣ କମିଟି କରିବ ନା ସ୍ୱତନ୍ତ୍ର ହୋକ୍ ଓମବଡସୁମାନ୍ କରିବ, ତାହା ସ୍ପଷ୍ଟ ହୋଇନାହିଁ।
ଏଥିସହ ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ଏହା ଅବଗତ କରାଯିବ। ଟିମ୍ ମ୍ୟାନେଜମେଣ୍ଟ ଉଭୟଙ୍କୁ ରଖିବ ନା ସ୍ୱଦେଶ ଫେରାଇ ଦେବ, ତାହା ସେମାନେ ହିଁ ନିଷ୍ପତ୍ତି ନେବେ।
ବିସିସିଆଇର କିଛି ସଦସ୍ୟ ଉଭୟଙ୍କୁ ଅଷ୍ଟ୍ରେଲିଆରେ ଟିମ୍ ସହ ରଖିବାକୁ ଚାହୁଁଛନ୍ତି। କାରଣ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଲେ, ଏହା ଏମାନଙ୍କୁ ଫାଇଦା ଦେବ। କିନ୍ତୁ ବିସିସିଆଇର ଆଉ କିଛି ସଦସ୍ୟ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଯେହେତୁ ଉଭୟ ନିଲମ୍ବନ ହୋଇଛନ୍ତି, ତେଣୁ ସେମାନଙ୍କୁ ସ୍ୱଦେଶ ଫେରିଆସିବାକୁ କୁହାଯିବ।
ପାଣ୍ତ୍ୟା ଓ ରାହୁଲଙ୍କ ବଦଳରେ ଏବେ ବିସିସିଆଇ ରିଷଭ ପନ୍ତ, ମନୀଷ ପାଣ୍ଡେ,ଶ୍ରେୟସ ଆୟର ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଯୋଜନା ଆରମ୍ଭ କରିଛି।
ଏହାପୂର୍ବରୁ ସିଓଏ ସଦସ୍ୟ ଡାଏନା ଇଡୁଲଜି ଉଭୟଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଦେଇଥିଲେ।
from Odisha Reporter http://bit.ly/2RliONz
No comments:
Post a Comment