ଶନିବାର ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଶନିବାର ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ ଇଣ୍ଡିଆ

ସିଡ୍‌ନୀ: ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ୍‌ ସିରିଜ୍‌ ଜିତି ଗଭୀର ଆତ୍ମବିଶ୍ୱାସ ସହ ଟିମ୍‌ ଇଣ୍ଡିଆ ଆସନ୍ତାକାଲିଠାରୁ ଘରୋଇ ଦଳ ସହ ଦିନିକିଆ ସିରିଜ୍‌ ଖେଳିବ। ସେହିପରି ଗତ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ଜିତି ବ୍ୟାକ୍‌ଫୁଟ୍‌ରେ ଥିବା ଘରୋଇ ଅଷ୍ଟ୍ରେଲିଆ ସବୁ କିଛି ଓଲଟପାଲଟ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ସିଡ୍‌ନୀରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ଭାରତୀୟ ସମୟ ସକାଳ ୭.୫୦ରେ ଆରମ୍ଭ ହେବ।

ମ୍ୟାଚ ରେକର୍ଡ

ଭାରତ ଦୀର୍ଘ ୧୧ ବର୍ଷ ହେଲା ଅଷ୍ଟ୍ରେଲିଆ ମାଟିରେ କୌଣସି ଦିନିକିଆ ସିରିଜ୍‌ ଜିତିନାହିଁ। ତେଣୁ ଇତିହାସ ବଦଳାଇବାର ଲକ୍ଷ୍ୟ ନେଇ ବିରାଟ୍‌ ବାହିନୀ ପଡ଼ିଆକୁ ଓହ୍ଲାଇବ। ତେବେ ଟିମ୍‌ ଇଣ୍ଡିଆର ସବୁଠାରୁ ସଫଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଲମ୍ବିତ ହୋଇଥିବାରୁ ଦଳ ସାମାନ୍ୟ ଚିନ୍ତାରେ ରହିବ।

୨୦୦୮ରେ ଭାରତ ଶେଷଥର ପାଇଁ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିଥିଲା। ସେତେବେଳେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଥିଲେ। ସେହିପରି ଅଷ୍ଟ୍ରେଲିଆ ତା’ର ଷ୍ଟାର ଖେଳାଳି ଷ୍ଟିଭ୍‌ ସ୍ମିଥ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ବିନା ତୃତୀୟ ଦିନିକିଆ ସିରିଜ୍‌ ଖେଳିବ।

ଅଷ୍ଟ୍ରେଲିଆ ଏହାପୂର୍ବରୁ ଇଂଲଣ୍ଡ ସହ ୫ଟି ଓ ଦକ୍ଷିଣ ଆଫ୍ରିକା ସହ ୩ଟିକିଆ ଦିନିକିଆ ସିରିଜ୍‌ ଖେଳିଥିଲା। ତେବେ ଏହା ମଧ୍ୟରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ଦଳ ଜିତିବାକୁ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ଭାରତ ଗତ ୯ ମାସ ମଧ୍ୟରେ ୧୪ଟି ଦିନିକିଆ ଖେଳିଥିବା ବେଳେ ୯ଟିରେ ଜିତିଛି। ସେହିପରି ୨ଟି ମୁକାବିଲା ଟାଇ ରହିଛି। ଭାରତ ଆଜି ଯାଏ ଅଷ୍ଟ୍ରେଲିଆରେ ୪୮ଟି ଦିନିକିଆ ଖେଳିଥିବା ବେଳେ ମାତ୍ର ୧୧ଟିରେ ଜିତି ପାରିଛି।

ପୁନଶ୍ଚ ଭାରତ ଓ ଅଷ୍ଟ୍ରେଲିଆ ୧୨୮ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ମାତ୍ର ୪୫ଟି ମ୍ୟାଚ୍‌ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୭୩ଟି ମ୍ୟାଚ୍‌ ଜିତିଛି। ୧୦ଟି ମ୍ୟାଚ୍‌ର ଫଳାଫଳ ବାହାରିପାରିନାହିଁ। କିନ୍ତୁ ବିରାଟ୍‌ ବାହିନୀ ଏଥର ନିଶ୍ଚିତ ଭାବେ କଙ୍ଗାରୁ ଟିମ୍‌କୁ ମାତ ଦେବାକୁ ଚେଷ୍ଟା କରିବ।

ବିରାଟ ବାହିନୀରେ ରହିବେ କିଏ

ଆସନ୍ତାକାଲିର ମ୍ୟାଚ୍‌ରେ ଭାରତର ପେସ୍‌ ବାହିନୀର ନେତୃତ୍ୱ ଭୁବନେଶ୍ୱର କୁମାର ନେବେ। କାରଣ ଯଶପ୍ରୀତ ବୁମ୍ରାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛି। ତାଙ୍କୁ ସହଯୋଗ କରିବାକୁ ମହମ୍ମଦ ଶାମି ଓ ଖଲୀଲ ଅହମ୍ମଦ ରହିଛନ୍ତି। ଭାରତ ଆସନ୍ତାକାଲି ୩ ଜଣ ପେସ୍‌ ବୋଲରଙ୍କୁ ଖେଳାଇବାର ସମ୍ଭାବନା ରହିଛି। ସେହିପରି ସ୍ପିନ୍‌ ବାହିନୀର ମଙ୍ଗ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ/ୟୁଜବେନ୍ଦର ଚହଲଙ୍କ ହାତରେ ରହିବ। ଭାରତ ପାଖରେ କେଦାର ଯାଦବଙ୍କ ଭଳି ପାର୍ଟଟାଇମ୍‌ ସ୍ପିନରଙ୍କ ବିକଳ୍ପ ମଧ୍ୟ ରହିଛି। ବ୍ୟାଟିଂ କଥା ଦେଖିବାକୁ ଗଲେ ରୋହିତ ଶର୍ମା ଓ ଶିଖର ଧୱନଙ୍କ ଠାରୁ ଭାରତ ଭଲ ଆରମ୍ଭ ଚାହିଁବ। ମଧ୍ୟକ୍ରମର ଦାୟିତ୍ୱ ଅଧିନାୟକ ବିରାଟ୍‌ କୋହଲି, ଅମ୍ବାତି ରାୟୁଡୁ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ରହିବ। ଅଲରାଉଣ୍ଡ ଭାବେ କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।

ଅଷ୍ଟ୍ରେଲିଆ ଏକାଦଶ

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟିମ୍‌ ଆସନ୍ତାକାଲି ପାଇଁ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ଏଥିରେ ନେଥନ ଲାୟନ ଏକମାତ୍ର ସ୍ପିନର ରହିଥିବା ବେଳେ ଭେଟରାନ୍‌ ଦ୍ରୁତ ବୋଲର ପିଟର ସିଡଲ୍‌ଙ୍କୁ ସ୍ଥାନ ଦିଆଯାଇଛି। ପ୍ରଥମଥର ପାଇଁ ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ଆଲେକ୍ସ କେରୀ ଦଳ ପାଇଁ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କ ସହ ଓପନ୍‌ କରିବେ। ମଧ୍ୟକ୍ରମରେ ଶନ୍‌ ମାର୍ଶ, ଉସମାନ ଖ୍ୱାଜା ଓ ପିଟର୍‌ ହ୍ୟାଣ୍ଡସ୍କମ୍ବ ରହିବେ। ନଂ ୬ ଓ ୭ରେ ମାର୍କସ୍‌ ଷ୍ଟୋଇନିସ୍‌ ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ ରହିବେ। ବୋଲିଂରେ ଆସନ୍ତାକାଲି ବାମହାତୀ ଦ୍ରୁତ ବୋଲର ଜେସ୍‌ନ ବେହେରନ୍‌ଡ୍ରଫ୍‌ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିବେ। ତାଙ୍କ ସହ ଜେ ରିଚାର୍ଡସନ୍‌ ଓ ପିଟର ସିଡଲ୍‌ ରହିବେ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧୱନ,ବିରାଟ କୋହଲି, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(ୱି), କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ/ ୟୁଜବେନ୍ଦର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ଖଲୀଲ ଅହମ୍ମଦ।

ଅଷ୍ଟ୍ରେଲିୟ ଦଳ: ଆରୋନ୍‌ ଫିଞ୍ଚ, ଆଲେକ୍ସ କେରୀ, ଉସମାନ ଖ୍ୱାଜା, ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ୱ, ଗ୍ଲେନ୍‌ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍‌, ନେଥନ ଲାୟନ, ପିଟର ସିଡଲ୍‌, ଜେ ରିଚାର୍ଡସନ୍‌, ଜେସନ୍‌ ବେହେରନ୍‌ଡ୍ରୋଫ୍‌।



from Odisha Reporter http://bit.ly/2smxUnb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages