
କୁଚିଣ୍ଡା (ଦେବେନ୍ଦ୍ର ବେହେରା): ନିଜ ବାହାଘର ପାଇଁ ପାଖରେ ଟଙ୍କା ନ ଥିଲା। ସେଥିପାଇଁ ସେ ଚିନ୍ତାରେ ପଡ଼ି ଯାଇଥିଲେ। ତେଣୁ ଜଣେ ୧୦ ବର୍ଷର ନାବାଳକକୁ ଅପହରଣ କଲେ। ହାତ ଓ ଗୋଡ଼ ବାନ୍ଧି ଜଙ୍ଗଲରେ ରଖି ଲକ୍ଷେ ଟଙ୍କା ଦାବି କରୁଥିଲେ। ତେବେ କୌଶଳକ୍ରମେ ନାବାଳକ ମୁକୁଳି ଆସିଥିଲେ। ନାବାଳକଙ୍କ ଅଭିଯୋଗ କ୍ରମେ ପୁଲିସ୍ ଆଜି ତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ହେଲେ ନିରଞ୍ଜନ ସୁନାମୀ।
ଗତ ରବିବାର ସନ୍ଧ୍ୟାରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଗାଁର ଅଜିତ ନାଏକଙ୍କ ୧୦ ବର୍ଷର ଭଣଜା ସାହିଲ ନାଏକ ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିଲେ। ଏହି ସମୟରେ ନିରଞ୍ଜନ ସୁନାମୀ ଏକ ବାଇକରେ ଆସି ସାଥୀରେ ଆଣିଥିବା ବ୍ୟାଗକୁ ଧରିବା ପାଇଁ ସାହିଲଙ୍କୁ କହିଥିଲେ। ଏଥିରେ ସାହିଲ୍ ରାଜି ହୋଇ ତାଙ୍କ ବାଇକ୍ରେ ବସି ଥିଲେ। ପରେ ନିରଞ୍ଜନ ତାଙ୍କୁ ନେଇଯାଇ ଏକ ପରିତ୍ୟକ୍ତ ଘରେ ଅଟକ ରଖିଥିଲେ।
ସୋମବାର ସାହିଲ୍ଙ୍କ ହାତଗୋଡ଼ ବାନ୍ଧି ମହାଲିଂକୁଦର ଜଙ୍ଗଲକୁ ନେଇ ଯାଇଥିଲେ ନିରଞ୍ଜନ। ତା’ପରେ ସାହିଲଙ୍କ ଘରକୁ ଫୋନ୍ କରି ଲକ୍ଷେ ଟଙ୍କା ଦେଲେ ତାକୁ ଛାଡ଼ିବି ବୋଲି ସେ (ନିରଞ୍ଜନ) ଧମକ ଦେଇଥିଲେ। ଏହି କଥା ଶୁଣିବା ପରେ ସାହିଲଙ୍କ ପରିବାର ଲୋକଙ୍କ ହାଲତ ଶୁଖି ଯାଇଥିଲା। ସେମାନେ ଏନେଇ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନଥିଲା।
ଗତକାଲି ସକାଳେ ସାହିଲ କୌଶଳ କ୍ରମେ ଜଙ୍ଗଲରୁ ଖସିଆସି ଆସି ନିକଟସ୍ଥ ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ସାହିଲ୍ଙ୍କୁ ଆଣି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସାହିଲଙ୍କ ଅଭିଯୋଗ କ୍ରମେ ପୁଲିସ୍ ନିରଞ୍ଜନଙ୍କୁ ଅଟକ ଗିରଫ କରି ପଚରାଉଚରା କରୁଛି।
ପଚରାଉଚରା ବେଳେ ହୋସ୍ ଉଡ଼ାଇଲା ଭଳି କଥା କହିଛନ୍ତି ନିରଞ୍ଜନ। ନିଜ ବାହାଘର ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଇ ସେ ଅପହରଣ କରିଥିଲେ ବୋଲି କହିଛନ୍ତି।
ସୂଚନାରୁ ପ୍ରକାଶ, ନିରଞ୍ଜନଙ୍କର ବାହାଘର ପାଇଁ ଝିଆ ଦେଖା ସରିଛି। ଏପରିକି ମାର୍ଚ୍ଚ ୩୧ ତାରିଖରେ ନିର୍ବନ୍ଧ ହେବ ବୋଲି ସ୍ଥିର ହୋଇଛି। ମାତ୍ର ବାହାଘର ପାଇଁ ନିରଞ୍ଜନଙ୍କୁ ଘାରିଥିଲା ଅର୍ଥ ଚିନ୍ତା। ସେଥିପାଇଁ ସେ ଅପହରଣ କରିଥିବା ପୁଲିସ୍ ପାଖରେ କହିଛନ୍ତି।
from Odisha Reporter http://bit.ly/2AMqFK7
No comments:
Post a Comment