
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ଚେକ୍ ଦେବାକୁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାଟି(ବିଏସ୍ପି) ମେଣ୍ଟ କରିଛନ୍ତି। ଏହି ମେଣ୍ଟରେ ମିଶିବାକୁ କଂଗ୍ରେସ ଚାହୁଁଥିଲେ ହେଁ ଅଖିଲେଶ ଓ ମାୟାବତୀ ଏଥିରେ ଏକମତ ହୋଇ ନଥିଲେ।
ତେବେ ଆଜି ଅଖିଲେଶ ଯାଦବ କଂଗ୍ରେସକୁ ଏକ ଆହ୍ୱାନ ଦେଇଛନ୍ତି। ଯଦି କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ଅଟକାଇବାକୁ ଚାହେଁ, ତା’ହେଲେ ଦଳ ସପା-ବିଏସ୍ପି ମେଣ୍ଟକୁ ସମର୍ଥନ କରିବା ଦରକାର। ଏଥିସହ ସେ ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିକୁ ଆସିଥିବା ଘଟଣାକୁ ସ୍ୱାଗତ ମଧ୍ୟ କରିଛନ୍ତି।
ଲକ୍ଷ୍ନୌଠାରେ ଏକ ସାକ୍ଷାତକାର କାଳରେ ଅଖିଲେଶଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ରାଜନୀତିକ ଭବିଷ୍ୟତ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ଅଖିଲେଶ କହିଛନ୍ତି, “ସର୍ବଦା ମିଛର ପ୍ରଚାର କରୁଥିବା ବିଜେପିକୁ ଆସନ୍ତା ନିର୍ବାଚନରେ ଅଟକାଇବାକୁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି।
ତେଣୁ ବିଜେପି ବିରୋଧରେ ଲଢ଼େଇ କରିବାକୁ ହେଲେ କଂଗ୍ରେସକୁ ବିଏସ୍ପି ଓ ସପା ମେଣ୍ଟକୁ ସମର୍ଥନ କରିବାକୁ ପଡ଼ିବ। ଆମେ ଇତି ମଧ୍ୟରେ ରାଏବରେଲୀ ଓ ଆମେଥି ସିଟ୍କୁ କଂଗ୍ରେସ ପାଇଁ ଛାଡ଼ି ଦେଇଛୁ। ପ୍ରିୟଙ୍କା ଗାନ୍ଧି ରାଜନୀତିରେ ପାଦ ଦେଇଥିବାରୁ ଆମେ ତାଙ୍କୁ ସ୍ୱାଗତ କରୁଛୁ। ଯୁବ ଗୋଷ୍ଠୀ ରାଜନୀତିରେ ଯୋଗଦେଇ ନୂଆ ଭାରତ ଗଠନରେ ସାମିଲ ହେବା ଦରକାର।”
from Odisha Reporter http://bit.ly/2sS5qSu
No comments:
Post a Comment