ପରବର୍ତ୍ତୀ ରାଜନୀତିକ ପଦକ୍ଷେପ ନେଇ ଏମିତି କହିଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ପରବର୍ତ୍ତୀ ରାଜନୀତିକ ପଦକ୍ଷେପ ନେଇ ଏମିତି କହିଲେ ବୈଜୟନ୍ତ

baijayanta

ବରଗଡ଼ (ଦୀପକ ଶର୍ମା): ବରଗଡ଼ କଟାପାଲି ଘନଶ୍ୟାମ ଦାସ ଆଞ୍ଚଳିକ ମହାବିଦ୍ୟାଳୟ ରଜତ ଜୟନ୍ତୀ ଉତ୍ସବରେ ଯୋଗଦେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ମତ ରଖିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ମୁଁ କେଉଁ ଦଳରେ ଯୋଗ ଦେବି କିମ୍ବା ନୂଆ ଦଳ ଆରମ୍ଭ କରିବି, ତାହା ବଡ଼ ପ୍ରଶ୍ନ ନୁହେଁ। ଓଡ଼ିଶାର ସମସ୍ୟା ହେଉଛି ଦୁର୍ନୀତି ଓ ହିଂସା। ଏହା ବିରୋଧରେ କିଏ ସ୍ୱର ଉତ୍ତୋଳନ କରିବ ସେଇଟା ହେଉଛି ବଡ଼ ପ୍ରଶ୍ନ। ୭ ତାରିଖରେ ମୋ ବହି ‘ଲ୍ୟୁଟେନ୍ସ ମାଭରିକ୍‌’ର ଉନ୍ମୋଚନ ହେବ। ଆଉ ଯାହା ହେବାର ଅଛି, ତା’ ପରେ ହେବ।”

ସେ କହିଛନ୍ତି, “ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ହେଲେ, ଦୁର୍ନୀତି, ଭ୍ରଷ୍ଟାଚାର ଓ ହିଂସାକାଣ୍ଡ ବିରୋଧରେ ଲଢ଼ିବାକୁ ଯେଉଁମାନେ ପ୍ରସ୍ତୁତ ଅଛନ୍ତି ସେମାନଙ୍କ ସହ ମୁଁ ଯୋଗ ଦେବି। ବିଭିନ୍ନ ରାଜନୀତିକ ଦଳଙ୍କ ସହ ଜନସାଧାରଣ ମଧ୍ୟ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ହିଂସାକାଣ୍ଡ କଥା କହିବାକୁ ଆରମ୍ଭ କଲେଣି। ତେବେ ଖାଲି କହିଲେ ହେବନି, ଏଥର କିଛି କରିବାକୁ ପଡ଼ିବ।”

ଚିଟଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କ ବିରୋଧରେ ଯିଏ କାର୍ଯ୍ୟାନୁଷ୍ଠାନ ନେବ, ମୁଁ ତାଙ୍କ ସହ ମିଶି କାମ କରିବି ବୋଲି ବୈଜୟନ୍ତ କହିଛନ୍ତି। ସେ ଆହୁରି କହିଛନ୍ତି, “ଯେଉଁମାନେ ଲକ୍ଷ ଲକ୍ଷ ଓଡ଼ିଆଙ୍କର ସାରା ଜୀବନର ପୁଞ୍ଜି ଚିଟଫଣ୍ଡ ଘୋଟାଲାରେ ବୁଡ଼ାଇ ଦେଇଛନ୍ତି, ସେମାନଙ୍କୁ ଏଯାଏ ଦଣ୍ଡ ଦିଅଗଲା ନାହିଁ। ସେ ଟଙ୍କା ଲୋକଙ୍କୁ ଫେରା ଯାଇନାହିଁ। ଯିଏ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ଅଛନ୍ତି, ମୁଁ ତାଙ୍କ ସହ ମିଶି କାମ କରିବି।”

ଓଡ଼ିଶାରେ ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ବଢ଼ି ଚାଲିଥିବା ହିଂସା ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିବାର ସମୟ ଆସିଯାଇଛି ବୋଲି ବୈଜୟନ୍ତ କହିଛନ୍ତି। ସେ କହିଛନ୍ତି, “ପ୍ରତି ସପ୍ତାହରେ ୩ରୁ ୪ଟି ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଘଟୁଛି। ଏହା ଉପରେ କେବେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଏପରି ଘଟଣାରେ ସମ୍ପୃକ୍ତ ଲୋକ ଛାଡ଼ ପାଇବା ପରେ ରାଜନେତାମାନେ ସେମାନଙ୍କୁ ସ୍ୱାଗତ କରୁଛନ୍ତି। ଏହା ଓଡ଼ିଶା ପାଇଁ ଭଲ ନୁହେଁ। ଏସବୁରେ ପରିବର୍ତ୍ତନ ଅଣାଯିବା ଦରକାର।”

ବେକାରୀ ହେଉଛି ବଡ଼ ସମସ୍ୟା

ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟା ଉପରେ ମଧ୍ୟ ବୈଜୟନ୍ତ ମତ ରଖିଛନ୍ତି। ଦାଦନ ସମସ୍ୟା ରାଜ୍ୟରେ ଜଟିଳ ରୂପ ନେଇଥିବା ସେ ଅଭିଯୋଗ କରିଛନ୍ତି। ଓଡ଼ିଶାର ସବୁଠାରୁ ବଡ଼ ସମସ୍ୟା ‘ବେକାରୀ’ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, “୪୦ ଲକ୍ଷ ଓଡ଼ିଆ ବାଧ୍ୟବାଧକତାରେ ବାହାରେ କାମ କରୁଛନ୍ତି। କିଏ ଦକ୍ଷିଣ ଭାରତରେ ଇଟା ଭାଟିରେ କାମ କରୁଛି ତ ଆଉ କିଏ ମାଲେସିଆ, ସାଉଦୀ ଆରବ, ଆଫଗାନିସ୍ତାନ ଓ ଇରାକରେ କାମ କରୁଛନ୍ତି। ସେଠାରେ ସେମାନେ ନିର୍ଯାତିତ ହେଉଛନ୍ତି ଓ ସେମାନଙ୍କୁ ସେଠାରୁ ଉଦ୍ଧାର କରି ଆଣିବାକୁ ପଡୁଛି। ମୋତେ ବହୁତ ପରିବାର ଅନୁରୋଧ କରିଥାନ୍ତି, ଆଉ ମୁଁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥାଏ। ରାଜ୍ୟର ଯୁବକଯୁବତୀଙ୍କୁ ଓଡ଼ିଶା ଭିତରେ ନିଯୁକ୍ତି ଦିଆଯିବା ଉଚିତ। ଫଳରେ କାହାକୁ ବାଧ୍ୟବାଧକତାରେ ବାହାରକୁ ଯାଇ ଦାଦନ ଖଟିବାକୁ ପଡ଼ିବ ନାହିଁ।”

ମୁଁ ପୂର୍ବରୁ ଥିବା ଦଳ ଭିତରେ ସବୁ ବିଗିଡ଼ି ଯାଇଛି

ବିଜେଡିର ନାଁ ନେଇ ନଥିଲେ ବି ଭ୍ରଷ୍ଟାଚାରକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ବୈଜୟନ୍ତ। ସେ କହିଛନ୍ତି, “୨୦ ବର୍ଷ ପୂର୍ବେ ଯେତେବେଳେ ରାଜନୀତିରେ ସାମିଲ ହୋଇଥିଲି ଗର୍ବ ଅନୁଭବ କରୁଥିଲି। କାରଣ ଦେଶର ଓ ଓଡ଼ିଶାର ପ୍ରଗତି ପାଇଁ କାମ କରି ଆସିଥିଲି। ଭ୍ରଷ୍ଟାଚାର ବିରୋଧରେ ଲଢ଼ୁଥିଲି। ଯେଉଁ ଦଳ ସହ ମିଶିକି ଥିଲି, ମୋ ମତରେ ସେ ବିଗିଡ଼ି  ଗଲା। ୫ ବର୍ଷ ମଧ୍ୟରେ ହିଂସାକାଣ୍ଡ ଓ ଦୁର୍ନୀତି ବଢ଼ିଛି। ଏହାକୁ ପ୍ରଥମେ ମୁଁ ଦଳ ଭିତରେ କହିବାକୁ ଚେଷ୍ଟା କଲି। ପରେ ସାଧାରଣରେ କହିବାକୁ ବାଧ୍ୟ ହେଲି। ସ୍ୱାଭିମାନ ପାଇଁ ମୁଁ ସେ ଦଳ ଛାଡ଼ିଲି। ଏପରି ଦିଗରେ ଓଡ଼ିଶା ଯାଉଥିବାରୁ ମୋତେ ଖରାପ ଲାଗିଲା।”

ଚାନ୍ଦା ନଦେଲେ କିଛି ହେଉନି

ଆଜିକାଲି ଚାନ୍ଦା ନଦେଲେ କୌଣସି ସରକାରୀ ଯୋଜନାର ସୁଫଳ ଲୋକଙ୍କୁ ମିଳୁନାହିଁ ବୋଲି ବୈଜୟନ୍ତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି ଚାନ୍ଦା ନଦେଲେ କିଛି ମିଳୁନାହିଁ। ଏହା ସମସ୍ତଙ୍କୁ ଜଣା। ଏଥିରେ ପରିବର୍ତ୍ତନ ଆସିବା ଦରକାର।” ସେ ଆହୁରି କହିଛନ୍ତି, “ଆଜି ଆପଣ କୌଣସି ଗ୍ରାମକୁ ଯାଆନ୍ତୁ। ସେଠିକାର ବାସିନ୍ଦାଙ୍କୁ ପଚାରନ୍ତୁ, ଯେଉଁମାନେ କୌଣସି କାମରେ ବ୍ଲକ୍‌, ତହସିଲ ଓ ଥାନାକୁ ଯାଉଛନ୍ତି, ବିନା ଚାନ୍ଦାରେ କିଛି ହେଉନି। କୌଣସି ସରକାରୀ ଯୋଜନା ଯାହା ସେମାନଙ୍କ ଅଧିକାର, ପାଇବାକୁ ଚେଷ୍ଟା କଳେ କେମିତି ହଇରାଣ ହେଉଛନ୍ତି।”

ନିଜ ବହି ସମ୍ପର୍କରେ ଏମିତି କହିଲେ

ଆସନ୍ତା ୭ ତାରିଖରେ ବୈଜୟନ୍ତଙ୍କ ବହି ‘ଲ୍ୟୁଟେନ୍ସ ମାଭରିକ୍‌’ ଉନ୍ମୋଚିତ ହେବ। ସେ କହିଛନ୍ତି, “୧୫ରୁ ୧୬ ବର୍ଷ ହେଲା ମୁଁ ଜାତୀୟ, ଅନ୍ତର୍ଜାତୀୟ ଓ ଓଡ଼ିଆ ଗଣମାଧ୍ୟମରେ ସ୍ତମ୍ଭ ଲେଖି ଆସୁଛି। ମୋ ସ୍ତମ୍ଭଗୁଡିକୁ ଏକ ବହି ଆକାରରେ ପବ୍ଲିଶ ହେଉଛି। ଯେଉଁମାନେ ଦିଲ୍ଲୀ ଲ୍ୟୁଟେନ ଅଞ୍ଚଳରେ ରୁହନ୍ତି, ସେମାନେ ପ୍ରକୃତ ଭାରତକୁ ଭୁଲି ଯାଇଥାନ୍ତି। ଦିଲ୍ଲୀ ହେଉ କି ଭୁବନେଶ୍ୱର, ଯେଉଁ ନୀତି ନିୟମ କରାଯାଏ ଏଥିରେ ଏସବୁ ସ୍ଥାନ ଓ ଗ୍ରାମାଞ୍ଚଳକୁ ନେଇକି ଆମ ଦେଶକୁ ଆଗେଇ ନେବାକୁ ହେବ। ମୁଁ ଏଥିରେ ସେ ବିଷୟରେ ଲେଖିଛି। ବେଳେ ବେଳେ କଠିନ ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା ରାଜନୀତିକ କ୍ଷେତ୍ରରେ ନିଆଯାଇ ନଥାଏ, ସେପରି କଠିନ ନିଷ୍ପତ୍ତି ନେଇ ଆଗାମୀ ଦିନରେ ଭବିଷ୍ୟତର ଭାରତ କିପରି ଆଗେଇ ପାରିବ ସେ ବିଷୟରେ ବହିରେ ଲେଖିଛି। ଏଥିରେ ରାଜନୀତି, ବୈଦେଶିକ ନୀତି ଓ ଆମ ସମ୍ବିଧାନ ବିଷୟରେ ଲେଖିଛି। ଆଶା କରୁଛି, ଯୁବପିଢ଼ି ଏହାକୁ ପଢ଼ିଲେ, ଏସବୁ ବିଷୟରେ ସେମାନଙ୍କର ଅଭିଜ୍ଞତା ବଢ଼ିବ ଓ ଏହା ହିଁ ମୋ ଉଦ୍ଦେଶ୍ୟ।”



from Odisha Reporter http://bit.ly/2R5jPJA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages