
ସିଡ୍ନୀ: ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଇନିଂସ୍ରେ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୩୭୩ଟି ବଲ୍ରେ ମାରାଥନ ଇନିଂସ ଖେଳି ୧୯୩ ରନ୍ ହାସଲ କରିଛନ୍ତି। କେବଳ ଏହି ଇନିଂସ୍ ନୁହେଁ ସିରିଜ୍ର ପ୍ରଥମ ମ୍ୟାଚ୍ରେ ମଧ୍ୟ ପୂଜାରା ନିଜ ଧୈର୍ଯ୍ୟର ପରୀକ୍ଷା ଦେଇ ଶତକ ହାସଲ କରିଥିଲେ।
ଏଥିସହ ସେ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ସିରିଜ୍ରେ ସର୍ବାଧିକ ବଲ୍ ଖେଳିବାର ରେକର୍ଡ କରିଛନ୍ତି। ପୂର୍ବରୁ ରାହୁଲ ଡ୍ରାଭିଡ୍ ୨୦୦୩-୦୪ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତ ପକ୍ଷରୁ ସର୍ବାଧିକ ୧୨୦୩ଟି ବଲ୍ ଖେଳିଥିଲେ। କିନ୍ତୁ ପୂଜାରା ତାଙ୍କୁ ଅତିକ୍ରମ କରିଯାଇଛନ୍ତି।
କିନ୍ତୁ ପୂଜାରାଙ୍କ ଏଭଳି ମାରାଥନ ଇନିଂସ୍ ପଛର ନାୟକ ଜଣଙ୍କ କିଏ ଜାଣିଛନ୍ତି କି? ଦ୍ୱିତୀୟ ଦିନର ଖେଳ ଶେଷ ପରେ ପୂଜାରା ସେହି ବ୍ୟକ୍ତିଙ୍କୁ ସବୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, “ ଟିମ୍ ଇଣ୍ଡିଆର ଫିଜିଓ ପ୍ୟାଟ୍ରିକ୍ ଫରହାର୍ଟଙ୍କ ପାଇଁ ହିଁ ମୁଁ ଏମିତି ବ୍ୟାଟିଂ କରିପାରୁଛି।
ସେ ମୋତେ ଉଭୟ ମାନସିକ ଏବଂ ଶାରିରୀକ ସ୍ତରରେ ଫିଟ୍ ରହିବାକୁ ସାହାଯ୍ୟ କରିଛନ୍ତି। ତାଙ୍କ ପାଇଁ ଆଜି ମୁଁ ଏତେ ବାଟ ପହଞ୍ଚିଥିବାରୁ ତାଙ୍କୁ ଧନ୍ୟବାଦ। ସନ୍ଧ୍ୟା ବେଳର ଫିଜିଓ ସେସନ୍ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

ପୂଜାରା ଟ୍ୱିଟ୍ରରେ ପ୍ୟାଟ୍ରିକ୍ଙ୍କ ଏକ ଫଟୋ ଛାଡ଼ି ଲେଖିଛନ୍ତି, “ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ପରିବାର ଅପେକ୍ଷା ମୋ ସହ ଅଧିକ ସମୟ ରହିଥାଆନ୍ତି। ଏଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ।”
from Odisha Reporter http://bit.ly/2R5aIc1
No comments:
Post a Comment