
କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ମୃତକମାନଙ୍କ ମଧ୍ୟରେ ଅଛନ୍ତି ରାଜେଶ ଜେନା, ଦେବାଶିଷ ସେଠୀ, ଦୀପକ ଧଳ ଓ ତ୍ରିଷୁ ସାହୁ। ଅନ୍ୟ ଜଣେ ମୃତ ବ୍ୟକ୍ତିଙ୍କ ନାଁ ହସ୍ତଗତ ହୋଇନାହିଁ। ସେହିପରି ଗୁରୁତର ଆହତ ବ୍ୟକ୍ତିଙ୍କ ନାଁ ସଂଗ୍ରାମ ମଲ୍ଲିକ। ତାଙ୍କ ଘର ଅନୁଗୋଳରେ।
ରାଜେଶଙ୍କ ଘର ରାଜନଗରର ଗୁପ୍ତିରେ ହୋଇଥିବା ବେଳେ ଦେବାଶିଷଙ୍କ ଘର ପଟ୍ଟାମୁଣ୍ଡାଇର ବେଲତଳରେ। ଦୀପକଙ୍କ ଘର ବି ବେଲତଳରେ। ତ୍ରିଷୁ କାର୍ ଡ୍ରାଇଭର ଥିଲେ।
ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କ ମଧ୍ୟରୁ ରାଜେଶ ଜେନା ଓ ଦେବାଶିଷ ସେଠୀ ହେଉଛନ୍ତି କେନ୍ଦ୍ରାପଡ଼ା ସ୍ଥିତ ରୟାଲ୍ ଡ୍ୟାନ୍ସ ଏକାଡେମୀର ଶିକ୍ଷକ।
ଦେବାଶିଷ ରୟାଲ୍ ଡ୍ୟାନ୍ସ ଏକାଡେମୀର ସ୍ଥାୟୀ ଶିକ୍ଷକ ଥିଲେ। ରାଜେଶ ଜେନା ବି ଏହି ଏକାଡେମୀ ସହିତ ଜଡ଼ିତ। ସେ ଚେନ୍ନାଇରେ ଚାକିରି କରନ୍ତି। ଗତକାଲି ସେ ଚେନ୍ନାଇରୁ ଫେରିଥିଲେ।
ଏମାନେ ସମସ୍ତେ ପାଣିକୋଇଲିକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେମାନଙ୍କୁ ନେଇ ଆସୁଥିବା କାର୍ଟି ରାତି ପ୍ରାୟ ଦେଢ଼ଟା ବେଳେ ଅଳାବାଙ୍କ ଛକରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କୌଣସି ବଡ଼ ଗାଡ଼ି ପଛରେ ପିଟି ହୋଇଥିବା ଅନୁମାନ କରାଯାଉଛି। ଟ୍ରକ୍ କିମ୍ବା ହାଇୱା ପଛରେ ଏହା ଧକ୍କା ଦେଇଥିବା କୁହାଯାଉଛି।
ରୟାଲ୍ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ମହେଶ ପାଢ଼ି କହିଛନ୍ତି ଯେ ଗତକାଲି ତାଙ୍କ ସ୍କୁଲ୍ରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ସରିବା ପରେ ଏମାନେ ସମସ୍ତେ ପାଣିକୋଇଲିକୁ ଯାତ୍ରା ଦେଖିବାକୁ ଯାଇଥିଲେ।
କାର୍ଟି ଏତେ ଜୋରରେ ପିଟି ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଗ ସିଟ୍ରେ ବସିଥିବା ଜଣେ ଯାତ୍ରୀ ଓ ଡ୍ରାଇଭରଙ୍କୁ ବାହାର କରିବା ପାଇଁ କାର୍ର କିଛି ଅଂଶକୁ ଗ୍ୟାସ୍ କଟର୍ରେ କାଟିବାକୁ ପଡ଼ିଥିଲା।
ଗୁରୁତର ଆହତ ହୋଇଥିବା ସଂଗ୍ରାମ ମଲ୍ଲିକଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଡେରାବିଶ ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି ଯେ କେଉଁ ଗାଡ଼ିକୁ କାର୍ଟି ଧକ୍କା ଦେଇଥିଲା, ତାହା ଜଣାପଡ଼ିନାହିଁ।
from Odisha Reporter http://bit.ly/2RcJ64S
No comments:
Post a Comment