
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜକୋଷ ଉପରେ ଅତ୍ୟଧିକ ଚାପ ପକାଇ ପୁଳାପୁଳା ଯୋଜନା କରୁଥିବା ଓ ଅନ୍ୟ ଦଳରୁ ନେତାଙ୍କୁ ଆଣି ସଂଗଠନ ସୁଦୃଢ଼ କରିବା ନିମନ୍ତେ ରଣନୀତି କରିଥିବା ରାଜ୍ୟର କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଲାଗିବାକୁ ଯାଉଛି। ବିଜେଡିର ଭୋଟ୍ ହାର ମଧ୍ୟ ୨୦୧୪ ମସିହା ନିର୍ବାଚନ ତୁଳନାରେ ପ୍ରାୟ ୧୫ ପ୍ରତିଶତ ହ୍ରାସ ପାଇବ। ଏବିପି ନ୍ୟୁଜ୍ ଓ ସି ଭୋଟର ସର୍ଭେ ଫଳାଫଳରୁ ଏଭଳି ଚାଞ୍ଚଲ୍ୟକର ଫଳାଫଳ ପଦାକୁ ଆସିଛି।
୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୀତିକ ଦଳ ଜୋରଦାର ରଣନୀତି ସହ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଯଥାସମ୍ଭବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତେବେ ଏବିପି ନ୍ୟୁଜ-ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ଏବେ ଲୋକସଭା ନିର୍ବାଚନ ହେଲେ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ବହୁ କ୍ଷତି ସହିବାକୁ ପଡ଼ିବ। ରାଜ୍ୟର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୨ଟି ସିଟ୍ ଓ କ୍ଷମତାସୀନ ବିଜେଡିକୁ ୯ଟି ସିଟ୍ ମିଳିବାର ଅନୁମାନ କରାଯାଉଛି। ୨୦୧୪ ସାଧାରଣ ନିର୍ବାଚନ ଭଳି ଏଥର ବି କଂଗ୍ରେସ ରାଜ୍ୟରେ କୌଣସି ଗୋଟିଏ ବି ଲୋକସଭା ଆସନରେ ବିଜୟୀ ହୋଇପାରିବ ନାହିଁ।
ଭୋଟ ଶେୟାର
ଯଦି ସର୍ଭେ ଫଳାଫଳ ଆଧାରରେ ଭୋଟ୍ ଶେୟାର ହିସାବ କରାଯିବ ତା’ହେଲେ ଏନଡିଏ ଅର୍ଥାତ ବିଜେପିକୁ ଓଡ଼ିଶାରେ ୩୩.୨୦ ପ୍ରତିଶତ, ୟୁପିଏ ଅର୍ଥାତ କଂଗ୍ରେସକୁ ୨୬.୨୦ ପ୍ରତିଶତ ଓ ବିଜେଡିକୁ ୩୦.୭ ପ୍ରତିଶତ ଭୋଟ ମିଳିବ। ଅନ୍ୟମାନଙ୍କୁ ୧୦ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି ।
୨୦୧୪ ଲୋକସଭା ନିର୍ବାଚନରେ ବିଜେଡିକୁ ୪୪.୮% ଭୋଟ୍ ମିଳିଥିବାବେଳେ କଂଗ୍ରେସକୁ ୨୬.୪ % ଓ ବିଜେପିକୁ ୨୧.୯% ଭୋଟ୍ ମିଳିଥିଲା। ଅନ୍ୟମାନଙ୍କୁ ପ୍ରାୟ ୭% ଭୋଟ୍ ମିଳିଥିଲା। ସୂଚନାଯୋଗ୍ୟ,୨୦୧୪ ଲୋକସଭା ନିର୍ବାଚନରେ ସମଗ୍ର ଦେଶରେ ମୋଦି ହାୱା ଥିବାବେଳେ ଓଡ଼ିଶାରେ ଏହା ପ୍ରଭାବହୀନ ରହିଥିଲା। ରାଜ୍ୟର ମୋଟ ୨୧ଟି ସିଟରୁ ବିଜେଡିକୁ ୨୦ଟି ଆସନ ମିଳିଥିଲା। ମୋଦି ହାୱା ସତ୍ତ୍ୱେ ବିଜେଡି ରାଜ୍ୟରେ ବାଜିମାତ କରିଥିଲା ।
from Odisha Reporter http://bit.ly/2sLo0vE
No comments:
Post a Comment