
ଲଣ୍ଡନ୍: ଭାରତୀୟ କମ୍ପାନୀ ଏଚ୍ସିଏଲ୍ (HCL)ର ଏକ ପ୍ରକଳ୍ପରେ କାର୍ଯ୍ୟରତ ବିନୟ ପାଣି ନାମକ ଜଣେ ଓଡ଼ିଆ ସଫ୍ଟୱେର ଇଞ୍ଜିନିୟରଙ୍କୁ ବର୍ଣ୍ଣବୈଷମ୍ୟ କାରଣରୁ ଲଣ୍ଡନ୍ରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏକ ସ୍ଥାନୀୟ ହସ୍ପିଟାଲରେ ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ଏ ବାବଦରେ ନା ଏଚ୍ସିଏଲ୍ କମ୍ପାନୀ ନା ହସ୍ପିଟାଲ, କେହି ମଧ୍ୟ ପରିବାରକୁ ଖବର ଦେଇନଥିଲେ।
ତେବେ ଗତ ୧୪ ତାରିଖରେ ପରିବାର ଲୋକେ ଶେଷଥର ପାଇଁ ତାଙ୍କ ସହିତ କଥା ହୋଇଥିଲେ। ଏହାପରଠାରୁ ହିଁ ତାଙ୍କ ସହିତ ଯୋଗାଯୋଗ ସମ୍ଭପର ହୋଇପାରି ନଥିବାରୁ ତାଙ୍କୁ ସେହିଦିନ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ।
ଓଡ଼ିଶାର ପୁରୀରେ ବିନୟଙ୍କ ଜନ୍ମ ଏବଂ ସେ ଲଣ୍ଡନ୍ ଯିବା ପୂର୍ବରୁ ଏଚ୍ସିଏଲ୍ ପାଇଁ ବେଙ୍ଗାଲୁରୁରେ ରହି କାମ କରୁଥିଲେ। ଏଚସିଏଲ ପାଇଁ ଲଣ୍ଡନରେ କାମ କରୁଥିବା ଜଣେ ବ୍ରିଟିଶ୍ ନାଗରିକଙ୍କ ସ୍ଥାନ ନେବାପାଇଁ ବିନୟଙ୍କୁ ଏଚ୍ସିଏଲ୍ ପକ୍ଷରୁ ୟୁକେ ପଠାଯାଇଥିଲା। ଏଥିରେ ବିନୟ ସନ୍ତୁଷ୍ଟ ନଥିଲେ ଏବଂ ଏକଥା ସେ ପରିବାର ଲୋକଙ୍କୁ ଜଣାଇଥିଲେ। ସେଠାକୁ ଯିବାପରେ ୧୧ ତାରିଖରୁ ୧୩ ତାରିଖ ଯାଏ ସାଙ୍ଗମାନଙ୍କ ସହିତ ଏବଂ ପରିବାରର ଲୋକଙ୍କ ସହିତ କଥା ହୋଇଥିଲେ ମଧ୍ୟ ସେ ଅସୁସ୍ଥ ଥିବା କଥା କେବେ ମଧ୍ୟ କହିନଥିଲେ।
୧୪ ତାରିଖ ଦିନ ସେ ମ୍ୟାନେଜରଙ୍କୁ ରିପୋର୍ଟ କରି ୱାଲଗ୍ରେଭ୍ ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରେ ଆଡମିଟ୍ ହେବାର ଏକ ଘଣ୍ଟାପରେ ସେ ମୃତ୍ୟୁବରଣ କରିଥିଲେ।
ତେବେ ଏହାପରେ ୧୬ ତାରିଖ ଯାଏ ପରିବାର ଲୋକଙ୍କୁ ଏଚ୍ସିଏଲ କିମ୍ବା ଅନ୍ୟ କେଉଁ ସୂତ୍ରରୁ କିଛି ମଧ୍ୟ ସୂଚନା ଦିଆଯାଇନଥିଲା। ଏହି ଦିନ ପରିବାର ପକ୍ଷରୁ ତାଙ୍କର ସ୍ଥିତି ବିଷୟରେ କମ୍ପାନୀକୁ ପଚରାଯିବାରୁ ସେମାନଙ୍କ ପାଖରେ କିଛି ଖବର ନଥିବା କୁହାଯାଇଥିଲା। ୧୬ ତାରିଖ ରାତିରେ ବିନୟଙ୍କ ଲଣ୍ଡନସ୍ଥିତ ଟିସିଏସ୍ରେ କାମ କରୁଥିବା ବନ୍ଧୁମାନେ ପୁଲିସ୍ରେ ଅଭିଯୋଗ କରିଥିଲେ।
ଏହାପରେ ୧୭ ତାରିଖ ସକାଳେ ଏଚ୍ସିଏଲ୍ର ଏଚ୍.ଆର. ମ୍ୟାନେଜର ହସ୍ପିଟାଲ ବାବଦରେ ତଥ୍ୟ ସଂଗ୍ରହ କରିଥିଲେ। ଆଉ ହସ୍ପିଟାଲ ସହିତ ଯୋଗାଯୋଗ ଓ ମର୍ତ୍ୟୁ ଘଟଣାର ତଦନ୍ତ କରିବାକୁ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା ଯାହାଙ୍କ ସ୍ଥାନରେ ବିନୟ ଦାୟିତ୍ୱ ନେବାର ଥିଲା। ତାଙ୍କୁ ବିନୟ ଭୟ କରୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। କେବଳ ସେ ହିଁ ହସ୍ପିଟାଲ ସହିତ ଯୋଗାଯୋଗରେ ଥିଲେ ଏବଂ ସେ ହିଁ ବିନୟଙ୍କ ମୃତଦେହକୁ ଚିହ୍ନଟ କରିଥିଲେ।
ତେବେ କେବଳ ପରିବାର କିମ୍ବା ତାଙ୍କ ସାଙ୍ଗ ନୁହେଁ ସେଠାକାର କର୍ମଚାରୀମାନଙ୍କୁ ମଧ୍ୟ କିଛି ତଥ୍ୟ ଦିଆଯାଇନଥିବା ଏବଂ ପରିବାର ଲୋକଙ୍କୁ ବିନୟ ଭଡ଼ାରେ ରହୁଥିବା ଘର ମାଲିକଙ୍କ ଯୋଗାଯୋଗ ଠିକଣା ବା ଫୋନ ନମ୍ବର ବାବଦରେ ନଜଣାଇବାକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ଘନୀଭୂତ ହୋଇଛି। ଏହା କୌଣସି ରୋଗ ଜନିତ ମୃତ୍ୟୁ ନୁହେଁ, ବରଂ ବିନୟଙ୍କୁ ବର୍ଣ୍ଣବୈଷମ୍ୟ କାରଣରୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ ଆଣି ଏହାର ଅପରାଧିକ ତଦନ୍ତ ହେଉ ବୋଲି ଦାବି କରିଛନ୍ତି। ଉଭୟ ଭାରତ ସରକାର ଏବଂ ବ୍ରିଟେନ୍ ସରକାର ଏହିଁ ଘଟଣାରେ ହସ୍ତକ୍ଷେପ କରି ସତ୍ୟ ଉନ୍ମୋଚନ କରିବାକୁ ସ୍ଵର୍ଗତଃ ବିନୟଙ୍କ ବନ୍ଧୁ ଓ ପରିବାର ଦାବି ଜଣାଇଛନ୍ତି।
from Odisha Reporter http://bit.ly/2CwwlIb
No comments:
Post a Comment