
ଜଳେଶ୍ୱର (ଅଜିତ ଦାସ): ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ ଚାଷୀମାନେ ନିଜ ପଞ୍ଚାୟତରେ ଆବେଦନ କରୁଛନ୍ତି। ଏଥିପାଇଁ ଚାଷୀଙ୍କୁ ନାକେଦମ ହେବାକୁ ପଡୁଛି। କେଉଁଠି ଆବଶ୍ୟକ ମୁତାବକ ଫର୍ମ ମିଳୁନି ତ ଆଉ କେଉଁଠି ଫର୍ମ ଜମା କରିବା ପରେ ରିସିଟ୍ ଦେଉନାହାନ୍ତି ନୋଡ଼ାଲ ଅଫିସର। ଏପରିକି ଗତକାଲି ଫର୍ମ ନେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହା ଭିତରେ ଆଜି ଆଉ ଏକ ଦୁର୍ଭାଗ୍ୟଜନ କଥା ଚାଷୀଙ୍କୁ ବିଚଳିତ କରିଛି।
କାଳିଆ ଫର୍ମ ଜେରେକ୍ସ ଦୋକାନରେ ୫ ଟଙ୍କାରେ ବିକ୍ରି ହେଉଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରୁ ଆସିଛି। ତେବେ ଫର୍ମ ପ୍ରିଣ୍ଟିଂ କରୁଥିବା ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟଚକିତ କଲା ପରି ବୟାନ ଗଣମାଧ୍ୟମକୁ ଦେଇଛନ୍ତି। ସେ କହିଛନ୍ତି, ବ୍ଲକର ସବୁ ପଞ୍ଚାୟତର ସରପଞ୍ଚ ତାଙ୍କ ପାଖରୁ କାଳିଆ ଫର୍ମ ପ୍ରିଣ୍ଟିଂ କରିନେଉଛନ୍ତି।
କାଳିଆ ଫର୍ମ ନେବା ପାଇଁ ଆଜି ବାଲିଆପାଳ ବ୍ଲକ ମଧୁପୁର ପଞ୍ଚାୟତ ଅଫିସରେ ଚାଷୀମାନେ ରୁଣ୍ଡ ହୋଇଥିଲେ। ମାତ୍ର ଫର୍ମ ମିଳୁନବାରୁ ଚାଷୀଙ୍କୁ ଜେରେକ୍ସ ଦୋକାନକୁ ପଠାଯାଉଥିବା ଅଭିଯୋଗ ହେଉଥିଲା। ତେଣୁ ଚାଷୀମାନେ ଜେରେକ୍ସ ଦୋକାନକୁ ଯାଇ ୫ ଟଙ୍କା ଦେଇ ଫର୍ମ କିଣୁଥିଲେ। ବାଲିଆପାଳ ବଜାରରେ ଜଣେ ବ୍ୟକ୍ତି ବେଆଇନ୍ ଭାବେ କାଳିଆ ଫର୍ମ ବିକ୍ରି କରୁଥିଲା। ଉକ୍ତ ପଞ୍ଚାୟତର ସରପଞ୍ଚ ଓ ନୋଡାଲ୍ ଅଧିକାରୀଙ୍କ ପରାମର୍ଶରେ ବିକ୍ରି କରୁଥିବା ଫର୍ମ ପ୍ରିଣ୍ଟଂ କରୁଥିବା ବ୍ୟକ୍ତି ଜଣକ କହିଛନ୍ତି। ମାତ୍ର ଏହି କଥାକୁ ନୋଡ଼ାଲ ଅଧିକାରୀ ଶୁଣିବା ପରେ ବିରକ୍ତି ପ୍ରକାଶ କରିଛନ୍ତି। ଏପରିକି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ୍ ଠେଲି ଦେଇଥିବା ଅଭିଯୋଗ ହୋଇଛି।
ଫର୍ମ ପ୍ରିଣ୍ଟିଂ କରୁଥିବା ବ୍ୟକ୍ତି ସୁଶାନ୍ତ କୁମାର ପରମାଣିକ କହିଛନ୍ତି-“କାଳିଆ ଫର୍ମ ନେଟ୍ରୁ ଡାଉନ୍ଲୋଡ୍ କରି ପ୍ରିଣ୍ଟିଂ କରି ବିକ୍ରି କରିଥିଲି। ଏଥିପାଇଁ କାହାଠାରୁ ଅନୁମତି ନେଇନାହିଁ। ବ୍ଲକର ସବୁ ପଞ୍ଚାୟତର ସରପଞ୍ଚମାନେ ମୋଠାରୁ ଫର୍ମ ପ୍ରିଣ୍ଟିଂ କରି ନେଉଛନ୍ତି। ସେଥିପାଇଁ ମୁଁ ପ୍ରିଣ୍ଟିଂ କରି ବିକ୍ରି କରୁଥିଲି। ବର୍ତ୍ତମାନ ସୁଦ୍ଧା ୫୦୦ ଫର୍ମ ବିକ୍ରି କରିଛି। ଯାହାର ଦାମ ୫ ଟଙ୍କା ରହିଛି।”
ସୂଚନାରୁ ପ୍ରକାଶ, କାଳିଆ ଯୋଜନାରେ ଫର୍ମ ସମ୍ପୂର୍ଣ୍ଣ ମାଗଣା ଥିବା ବେଳେ ଏହାକୁ ରାଜ୍ୟ ସରକାର ଯୋଗାଉଛନ୍ତି। ଏହି ଫର୍ମକୁ କେହି ଜେରେକ୍ସ ବା ବେଆଇନ୍ ଭାବେ ପ୍ରିଣ୍ଟିଂ କରି ବିକ୍ରି କରିପାରିବେ ନାହିଁ। ଏହା ଆଇନ୍ ବିରୋଧୀ। ଏହା ସତ୍ତ୍ୱେ ବାଲିଆପାଳ ବ୍ଲକରେ କାଳିଆ ଫର୍ମ ଡୁପ୍ଲିକେଟ୍ କରାଯାଉଛି। ସମଗ୍ର ବ୍ଲକରେ ସବୁ ପଞ୍ଚାୟତର ସରପଞ୍ଚମାନେ ଡୁପ୍ଲିକେଟ୍ ଫର୍ମ ପ୍ରିଣ୍ଟ କରିନେଇଥିବା ଅଭିଯୋଗ ଆସିବା ପରେ ଏବେ ଚାଷୀଙ୍କ ଭାଗ୍ୟ ଭଗବାନଙ୍କ ହାତରେ। ଡୁପ୍ଲିକେଟ୍ ଫର୍ମରେ ଆବେଦନ କରିଥିବା ଚାଷୀ ସତରେ କଣ ‘କାଳିଆ ଯୋଜନା’ରେ ସାମିଲ ହୋଇପାରିବେ?
from Odisha Reporter http://bit.ly/2AuBOPt
No comments:
Post a Comment