ଆଉ ଶୁଭୁନି ହରଙ୍କ ସେହି ଛାତି ଥରା ସଂଳାପ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଆଉ ଶୁଭୁନି ହରଙ୍କ ସେହି ଛାତି ଥରା ସଂଳାପ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଓଲିଉଡ ଜଗତର ଜଣେ ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ଥିଲେ ହର ପଟ୍ଟନାୟକ। ସେ ଥିଲେ ଏକାଧାରରେ ଜଣେ ନାୟକ, ନିର୍ଦେଶକ ଓ ଲେଖକ । ସେ ପରଦା ଉପରେ ଯେମିତ ଦମଦାର୍‌ ଅଭିନୟ କରୁଥିଲେ ଠିକ୍‌ ସେମିତି ପରଦା ପଛରେ ନିର୍ଦ୍ଦେଶନା ଦେଉଥିଲେ। ନିଜର ବଳିଷ୍ଠ ଅଭିନୟ ପାଇଁ ଓଡ଼ିଆ ସିନେମା ଜଗତରେ ନିଜର ଅଲିଭା ଛାପ ଛାଡ଼ି ଯାଇଛନ୍ତି। ଆଜି ହେଉଛି ତାଙ୍କ ତିରୋଧାନ ଦିବସ। ଆଜିର ଦିନରେ, ୨୦୧୫ ଜାନୁଆରୀ ୧୩ ତାରିଖରେ ନିଜର ଅଗଣିତ ପ୍ରଶଂସକଙ୍କୁ ପର କରି ଇହଧାମକୁ ଗମନ କରିଥିଲେ ହର ପଟ୍ଟନାୟକ। ଉଭୟ ଓଲିଉଡ ଓ ଯଲିଉଡରେ ସେ ବେଶ୍ ପ୍ରିୟ ବ୍ୟକ୍ତିତ୍ୱ ଥିଲେ।

୧୯୫୮ ମସିହା ଅକ୍ଟୋବର ୧୨ତାରିଖରେ ସେ କଟକର ତୁଳସୀପୁରରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି ପିଲାଦିନରୁ ତାଙ୍କର ଆଗ୍ରହ ଥିଲା। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସେ ଥିଲେ ଜଣେ ସଫଳ ଛାତ୍ର। ନାଟକ ଏବଂ ଅଭିନୟକୁ ନିଜ ଜୀବନର ଏକମାତ୍ର ବ୍ରତ ଭାବେ ଭାବରେ ଗ୍ରହଣ କରି ଆଗକୁ ବଢ଼ିଥିଲେ ହର। ଆଉ ସେଇ ଇଚ୍ଛା ଓ ଅଭିଳାଷ ତାଙ୍କୁ ଟାଣି ନେଇଥିଲା ରଙ୍ଗମଞ୍ଚର ଦୁନିଆକୁ। ଅନ୍ନପୂର୍ଣ୍ଣା ବି’ଗ୍ରୁପ ସହିତ ସଂଶ୍ଳିଷ୍ଟ ଥିବା ହର ପଟ୍ଟନାୟକ ସିନେମା ଜଗତରେ ପ୍ରବେଶ କରିଥିଲେ। ଆଉ ଓଡ଼ିଆ ସିନେମା ଜଗତର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିଲେ।

ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନାସଂସାର’ରୁ ସିନେ ଜଗତରେ ପ୍ରବେଶ କରିଥିବା ହର ପଟ୍ଟନାୟକ ନବେ ଦଶକର ଓଡିଆ ସିନେମାରେ ଚର୍ଚ୍ଚିତ ଚେହେରା ଥିଲେ। ଜଣେ ଅଭିନେତା, ନିର୍ଦ୍ଦେଶକ, କାହାଣୀ ଓ ଚିତ୍ରନାଟ୍ୟ ଲେଖକ ଭାବେ ତାଙ୍କର ଥିଲା ସୁଖ୍ୟାତି। ସେ ଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଟ୍ରେଣ୍ଡ ସେଟର୍। ଦମଦାର ଡାଇଲଗ୍ ଆଉ ଜମାଣିଆ ଅଭିନୟ ଥିଲା ହର ପଟ୍ଟାନାୟକଙ୍କ ୟୁଏସଏପି। ସବୁ ଚରିତ୍ରକୁ ସେ ଜୀବନ୍ତ ଭାବେ ଅଭିନୟ କରିପାରୁଥିଲେ। ପୁଅ ମୋର କଳାଠାକୁର (୧୯୮୮), ଆସୁଛି ମୋ କାଳିଆସୁନା (୧୯୮୯),ଦଇବ ଦଉଡ଼ି (୧୯୯୦),କପାଳ ଲିଖନ (୧୯୯୧), ଘର ମୋର ସ୍ୱର୍ଗ, ଅଣ୍ଟିଛୁରୀ ତଣ୍ଟିକାଟେ (୧୯୯୨), ବାଦ୍‌ଶାହ (୧୯୯୨) ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ। ସେହିପରି ପାଗଳ ପ୍ରେମୀ (୨୦୦୭), କଳକୀ ଅବତାର (୧୯୯୯), ପୁଅ ମୋର ଭୋଳାଶଙ୍କର (୧୯୯୬), ସୁହାଗ ସିନ୍ଦୂର (୧୯୯୬) ଭଳି ଚଳଚ୍ଚିତ୍ରରେ ତାଙ୍କର ନିର୍ଦ୍ଦେଶନାରେ ବେଶ ହିଟ୍‌ ହୋଇଥିଲା।

ତେବେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ମା’ ରାଣ, ନାଇଁ ନାଇଁ ମ’, ଫୁଲ୍ ବୋବାଲ୍, ଚକ୍‌ମା ଚୁର୍ ଏମିତି କେତେ କଣ ଛାତି ଥରା ସଂଳାପ ଆଜି ବି ଦର୍ଶକଙ୍କ ହୃଦୟରେ ଓଲଡ୍‌ ଇଜ୍‌ ଗୋଲଡ୍‌ ହୋଇ ରହିଛି। ଓଲିଉଡ୍ ଇଣ୍ଡଷ୍ଟ୍ରି ମାନ୍ଦା ଅବସ୍ଥା ଥିବା ବେଳେ ନୂଆ ଚିନ୍ତାଧାରା ଓ ନୂଆ ପିଢ଼ିଙ୍କୁ ସୁଯୋଗ ଦେଇ ପୁଣିଥରେ ସିନେମା ଜଗତକୁ ଏକ ନୂଆ ଚମକ ଦେଇଥିଲେ ହର। ଅନେକ ମନଲୋଭା ଫିଲ୍ମରେ ସେ ଦେଇଥିଲେ ନିର୍ଦ୍ଦେଶନା। ହର ପଟ୍ଟନାୟକ ଓଲିଉଡ୍ ଇଣ୍ଡଷ୍ଟ୍ରିର ଅନେକ ନାମକରା ହିରୋଙ୍କୁ ତିଆରି କରିଛନ୍ତି। ଫିଲ୍ମ ‘ଆଇ ଲଭୟୁ’ରେ ଅନୁଭବ, ବାବୁସାନଙ୍କୁ ‘ରୋମିଓ ଦି ଲଭର ବୟ’ ଏବଂ ସବ୍ୟସାଚୀଙ୍କୁ ‘ପାଗଳପ୍ରେମୀରେ’ ସେ ବ୍ରେକ ଦେଇଥିଲେ।

୨୦୦୮ରେ ହର ପଟ୍ଟନାୟକ ବ୍ଲଡ୍ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେ ଭେଲୋରରେ ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ପୁଣି ୨୦୧୨ରେ ଓଲିଉଡକୁ ଫେରିଥିଲେ। ସୁସ୍ଥ ହୋଇ ଫେରିଲା ପରେ ସେ ‘ଓଁ ସାଇ ରାମ’ ଫିଲ୍ମରେ ଅଭିନୟ କରିଥିଲେ। ସେ ପ୍ରାୟତଃ ୭୦ ଟି ଓଡିଆ ସିନେମାରେ ଅଭିନୟ କରିବା ସହ ୧୯ ଟି ଫିଲ୍ମରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି। ହର ଦୀର୍ଘ ଦୁଇ ଦଶନ୍ଧି ଧରି ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଓଡ଼ିଆ ଦର୍ଶକଙ୍କୁ ନିଜର ଦକ୍ଷତା ବଳରେ ବାନ୍ଧି ରଖିପାରି ଥିଲେ। ଓଡ଼ିଶାବାସୀଙ୍କର ଅତି ପ୍ରିୟ କଳାକାର ‘ହର ପଟ୍ଟନାୟକ’ ଜାନୁଆରୀ ୧୩ତାରିଖ ୨୦୧୫ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ହୋଇଥିଲା। ଆଜି ସେ ନାହାନ୍ତି ସତ ହେଲେ ଏବେବି ତାଙ୍କ ଦମଦାର ଅଭିନୟ ବହୁ ଓଡ଼ିଆଙ୍କ ମନରେ ଅଭୁଲା ସ୍ମୁତି ହୋଇ ସାଇତା ରହିଛି। ଆଉ ରହିଥିବ ମଧ୍ୟ।



from Odisha Reporter http://bit.ly/2HbdnfP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages