
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକ ଏହି ଗୁପ୍ତସେବା କରିବେ। ଏହି ସେବାନୀତି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରଦ୍ଧାଳୁ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।
କ’ଣ ଏହି ବନକଲାଗି ନୀତି?
ଶ୍ରୀମନ୍ଦିରରର ଅନେକ ନୀତିକାନ୍ତି ମଧ୍ୟରୁ ବନକଲାଗି ଗୋଟିଏ ନୀତି। ଏହାର ଅର୍ଥ କ’ଣ ଅନେକ ଜାଣି ନ ଥାନ୍ତି। ବନକ ଲାଗିର ଅର୍ଥ ହେଉଛି ଶ୍ରୀବିଗ୍ରହମାନଙ୍କୁ ବର୍ଣ୍ଣ-କରିବା ବା ରଙ୍ଗ କରିବା। ଏହାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ‘ବନକଲାଗି’ ବୋଲି କୁହାଯାଏ। ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି। ରୂପା ପିଙ୍ଗଣ ବା ବଟାରେ ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଏହି ନୀତି ସମ୍ପନ୍ନ ହୋଇଥାଏ। ବନକଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇ ନ ଥାଏ । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନକୁ ମଧ୍ୟ ବନ୍ଦ କରିଦିଆ ଯାଇଥାଏ।
କେମିତି ହୁଏ?
ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଆଦି ଚାରି ବିଗ୍ରହଙ୍କୁ ବନକ ଲାଗି କରାଯାଏ। ଧଳା, କଳା, ନାଲି ଓ ହଳଦିଆ ଭଳି ୪ଟି ରଙ୍ଗ ଏଥିପାଇଁ ବ୍ୟବହୃତ ହୋଇଥାଏ। ଧଳା ପାଇଁ ଶୁଦ୍ଧ ଶଙ୍ଖ ଗୁଣ୍ଡ, କଳାରଙ୍ଗ ପାଇଁ ଦୀପକଳା, ହଳଦିଆ ରଙ୍ଗ ଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଲ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗକୁ ବଟାଯାଇ ରୂପା ପିଙ୍ଗଣରେ ଶୁଦ୍ଧପୁତ ଭାବେ ରଖାଯାଇ କଇଥ ଅଠା ଗୋଳାଇ ଦିଆଯାଏ। ଦତ୍ତମାହାପାତ୍ର ସେବକମାନେ ରତ୍ନସିଂହାସନ ଆରୋହଣ ପୂର୍ବକୁ ମୂଷିକା ତୁଳୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ରଙ୍ଗ ସମୁହକୁ ଲାଗି କରିଥାନ୍ତି। ବନକଲାଗି ନୀତି ସମ୍ପନ୍ନ ହେବା ପରେ ମହାସ୍ନାନ କରାଯାଇ ପୁନଃ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ ଓ ଅନ୍ୟ ନୀତି ବଢିଥାଏ।
from Odisha Reporter http://bit.ly/2AEr8xA
No comments:
Post a Comment