
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚଳିତ ମାସ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।
ରାହୁଲ ଗାନ୍ଧି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା। ଏକ ଶୋଭାଯାତ୍ରାରେ ତାଙ୍କୁ ସେଠାରୁ ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ନିଆଯିବ। ସେଠାରେ ସେ ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବି, ସାମାଜିକ ଅନୁଷ୍ଠାନଗୁଡ଼ିକର ନେତୃବୃନ୍ଦ, ବିଭିନ୍ନ ଆନ୍ଦୋଳନ ଚଳାଇଥିବା କର୍ମୀ ଓ ଚାଷୀ ନେତାମାନଙ୍କୁ ଭେଟି ଆଲୋଚନା କରିବେ।
ଏହାପରେ ତାଙ୍କୁ ଏକ ରୋଡ୍ ଶୋ’ ମାଧ୍ୟମରେ କଟକ ପର୍ଯ୍ୟନ୍ତ ନିଆଯିବ। କଟକ ବାଲିଯାତ୍ରା ପଡ଼ିଆରେ ରାହୁଲ ପ୍ରଥମେ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ। ଏହାପରେ ଏକ ବିଶାଳ ଜନସଭାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ। କଟକରୁ ଫେରିବା ପରେ ରାହୁଲ ଗାନ୍ଧି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ ବୋଲି ନିରଞ୍ଜନ ପଟ୍ଟନାୟକ ଜଣାଇଛନ୍ତି।
ଗତକାଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପିସିସି ସଭାପତିଙ୍କ ସହିତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ଏଆଇସିସି ସମ୍ପାଦକ ରୁଦ୍ରରାଜୁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର ଓ ଯାଜପୁର ପ୍ରମୁଖ ଉପକୂଳ ଜିଲ୍ଲାର ଦଳୀୟ ସଭାପତି ଏବଂ ଛାମୁଆ ସଂଗଠନର ମୁଖ୍ୟମାନେ ଯୋଗ ଦେଇଥିଲେ।
from Odisha Reporter http://bit.ly/2VLCQzE
No comments:
Post a Comment