କେନ୍ଦ୍ରୀୟ ଅର୍ଥ ଯଦି ବକେୟା ଥିବ ମିଳିବାର ବନ୍ଦୋବସ୍ତ କରିବି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

କେନ୍ଦ୍ରୀୟ ଅର୍ଥ ଯଦି ବକେୟା ଥିବ ମିଳିବାର ବନ୍ଦୋବସ୍ତ କରିବି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅର୍ଥ ଓଡ଼ିଶାକୁ ନମିଳିବା ନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇବା ପାଇଁ ଏକ ବାହାନା ଛଡ଼ା ଆଉ କିଛି ନୁହେଁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ, କଳାପାହାଡ଼ଙ୍କ କଥାରେ ପଡ଼ି ରାଜ୍ୟର ଋଣ ଭାର ବଢ଼ାଇଛନ୍ତି। ବିନା ବଜେଟ୍ ଓ ବିନା ବ୍ୟୟବରାଦରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଅପାରଗତାର ଚରମ ନିଦର୍ଶନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସେ ପୂର୍ବରୁ କରିଥିବା ଅନୁରୋଧକୁ ସେ ଦୋହରାଉଛନ୍ତି। ଯଦି କୌଣସି କେନ୍ଦ୍ରୀୟ ଯୋଜନାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କଲା ପରେ ବି କେନ୍ଦ୍ରୀୟ ଅର୍ଥ ମିଳୁନାହିଁ ତାହେଲେ ରାଜ୍ୟର ମୁଖ୍ୟ ସଚିବଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ। ଯଦି ଓଡ଼ିଶାର ଦାବି ଯୁକ୍ତିଯୁକ୍ତ ଏହି ଅର୍ଥକୁ ଓଡ଼ିଶାକୁ ମିଳିବାପାଇଁ ସେ ସବୁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଉଛନ୍ତି। ସେ ୩ ଦିନ ଓଡ଼ିଶାରେ ଅଛନ୍ତି। ଯଦି କୌଣସି ବିଭାଗର ଅର୍ଥ ବକେୟା ଅଛି ତାହେଲେ ମୁଖ୍ୟ ସଚିବ କିମ୍ବା ଅନ୍ୟ ବିଭାଗର ସଚିବ ତାଙ୍କ ସହ କଥାହେଲେ ସେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

ରାଜ୍ୟ ସରକାରଙ୍କ ଅଦୂରଦର୍ଶିତା କାରଣରୁ ଇଣ୍ଡିଆନ୍ ଅଏଲ ରିଫାଇନାରୀରୁ ରାଜ୍ୟ ସରକାରଙ୍କୁ କ୍ଷତି ସହିବାକୁ ପଡୁଥିଲା। ବ୍ୟକ୍ତିଗତ ଭାବରେ ଏହି ପ୍ରସଙ୍ଗରେ ଓଡ଼ିଶାର ହକକୁ ପୁଣି ପ୍ରଦାନ କରିବା ପାଇଁ ସେ କରିଥିବା ସହଯୋଗ ସମ୍ପର୍କରେ ଶ୍ରୀ ପ୍ରଧାନ ଉଲ୍ଲେଖ କରି କହିଛନ୍ତି ଯେ, ଓଡ଼ିଶାର ହକ୍ ଓ ସ୍ୱାର୍ଥ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ତିଳେମାତ୍ର ଅବହେଳା କରିନାହାନ୍ତି। ପୂର୍ବ ଭାରତର ଓଡ଼ିଶା ଏକ ପ୍ରମୁଖ ଅଙ୍ଗ। ଭାରତର ଏହି ପଛୁଆ ଭୂଭାଗର ଦ୍ରୁତ ବିକାଶ ମୋଦି ସରକାରଙ୍କ ପ୍ରାଥମିକତା। ପୂର୍ବୋଦୟରୁ ହିଁ ଭାରତ ଉଦୟ ହେବ ମୋଦି ସରକାରଙ୍କର ସ୍ଲୋଗାନ୍ ନୁହେଁ ବରଂ ପ୍ରତିବଦ୍ଧତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରୀୟ ଯୋଜନାର କେନ୍ଦ୍ରୀୟ ଅଂଶ ବିନା ବିନିଯୋଗ ପ୍ରମାଣପତ୍ରରେ ମିଳିପାରିବ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରି କହିଛନ୍ତି ଯେ, କେନ୍ଦ୍ରରେ ସରକାର ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାରମାନଙ୍କୁ ଅର୍ଥ ହସ୍ତାନ୍ତରଣ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଏକ ତୋଗଲକୀ ଭାବନାରେ ଓଡ଼ିଶାରେ ସରକାର ଓ ପ୍ରଶାସନ ଚଲାଉଛନ୍ତି। ବିନା ବଜେଟରେ ଯୋଜନାର ଘୋଷଣା ଓ କାଗଜପତ୍ରରେ କ୍ରିୟାନ୍ୱୟନ କରିବାରେ ଓଡ଼ିଶା ସରକାର ସିଦ୍ଧହସ୍ତ।

୨୦୧୪ ମସିହାରେ ମୋଦି ସରକାର ଆସିବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶକୁ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଗଲା। ଏହାଦ୍ୱାରା ତ୍ରୟୋଦଶ ଅର୍ଥ କମିଶନ ତୁଳନାରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ରାଜ୍ୟ ସରକାରଙ୍କର ୧୬୫ ପ୍ରତିଶତ ଅର୍ଥ ବୃଦ୍ଧି ଘଟିଛି। ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ତ୍ରୟୋଦଶ ଅର୍ଥ କମିଶନର ସୁପାରିଶ ତୁଳନାରେ ଅଧିକ ୬୯,୩୧୬ କୋଟି ଟଙ୍କା ମିଳିବାର ବ୍ୟବସ୍ଥା କରାଯିବା ରାଜ୍ୟ ସରକାରଙ୍କୁ ଜଣା।

ୟୁସି ନଦେଇ ଟଙ୍କା କାହିଁକି ମିଳିଲାନାହିଁ ମୁଖ୍ୟମନ୍ତ୍ରୀ ତର୍କ ବାଢ଼ିଛନ୍ତି। ମାତ୍ର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍)ରେ କାହିଁକି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି, ଏହି ତଥ୍ୟକୁ ମୁଖ୍ୟମନ୍ତ୍ରୀ କାହିଁକି ଲୁଚାଇ ରଖିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଭାରତ ସରକାରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଦତ୍ତ ପାଣ୍ଠି କେତେ ଖର୍ଚ୍ଚ ନହୋଇ ପଡ଼ିରହିଛି ? ସବୁ ଗରିବ ଘରେ ପାଇଖାନା ଲଗାଇବା ପାଇଁ କେନ୍ଦ୍ରୀୟ ଅର୍ଥ ଉପଲବ୍ଧ ଥିବା ସତ୍ୱେ ରାଜ୍ୟର ୨୫ ପ୍ରତିଶତ ଗରିବ ପରିବାରକୁ ପାଇଖାନା ପରିବର୍ତ୍ତେ ଖୋଲା ଆକାଶ ତଳେ ଶୌଚ ହେବାକୁ ଯିବାକୁ ପଡୁଛି କାହିଁକି ? ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଂଜାମରେ ତ୍ରୟୋଦଶ ଅର୍ଥ କମିଶନ ଅନୁଦାନରେ ବିଦ୍ୟୁତ୍ ଭିତିଭୂମି ବିକାଶ କାମ ଅଗ୍ରଗତି ନହେବା ପଛରେ କାରଣ କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ନଦେବା କାରଣରୁ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା ୯୩.୭୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ୨୦୧୪ ମସିହା ଶେଷ ସୁଦ୍ଧା ହାତଛଡ଼ା କରିବାକୁ ପଡିଲା। ଆଇସିଡିଏସ୍ କାର୍ଯ୍ୟକ୍ରମରେ ୨୦୧୧-୧୬ ମଧ୍ୟରେ ବ୍ୟୟ ବରାଦ୍ ଅନୁସାରେ ୧,୨୩୯.୨୩ କୋଟି ଟଙ୍କା ଖର୍ଚ୍ଚ କମ୍ ହେଲା। ରାଜ୍ୟରେ ଯୋଗ୍ୟ ବିବେଚିତ ୩୮.୩୯ ଲକ୍ଷ ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୩.୫୮ ଲକ୍ଷ ଅର୍ଥାତ୍ ମୋଟ୍ ସଂଖ୍ୟାର ୯ ପ୍ରତିଶତ ପିଲାମାନଙ୍କୁ ଯୋଗାଇ ଦିଆଗଲାନାହିଁ। ଏପରି ସଙ୍ଗୀନ ଘଟଣା ମୁଖ୍ୟମନ୍ତ୍ରୀ କାହିଁକି ଭୁଲି ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2RYQoJW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages