
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ‘ତେଲୁଗୁ ଦେଶମ୍ ପାର୍ଟି’ ନିଜର ପ୍ରାର୍ଥୀ ଦେବ ବୋଲି ଘୋଷଣା କରିବା ପରେ, ରାଜ୍ୟରେ କ୍ଷମତାସୀନ ବିଜେଡି ଚିନ୍ତାରେ ପଡ଼ିଛି। ଅଣକଂଗ୍ରେସ ଓ ଅଣବିଜେପି ଭୋଟ୍ ହାତଛଡ଼ା ହେବା ଭୟରେ, ବିଜେଡି ଦକ୍ଷିଣ ଓଡ଼ିଶାରେ ନିଜର ତେଲୁଗୁ ଭାଷାଭାଷୀ ଭୋଟକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଆରମ୍ଭ କରିଛି।
ଆସନ୍ତା ଫେବୃୟାରୀ ୧୩ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେଲୁଗୁ ଭାଷାଭାଷୀ ଭୋଟରଙ୍କର ଏକ ବିଶାଳ ସମାବେଶ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିଜେଡି ସମର୍ଥିତ ତେଲୁଗୁ ଭାଷାଭାଷୀ ନେତୃସ୍ଥାନୀୟ ଲୋକଙ୍କୁ ନେଇ ଜୟପୁରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁସାରେ, ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓଙ୍କ ନେତୃତ୍ୱରେ ଏବେ ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷାଭାଷୀ ଭୋଟରଙ୍କୁ ଏକଜୁଟ କରିବାକୁ ବିଜେଡି ଉଦ୍ୟମ ଆରମ୍ଭ କରିଛି। ଚନ୍ଦ୍ରବାବୁ ନାଇଡୁଙ୍କ ‘ତେଲୁଗୁ ଦେଶମ୍ ପାର୍ଟି’ ଆଗାମୀ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ପ୍ରାର୍ଥୀ ଦେଲେ, ବିଜେଡିର ‘ତେଲୁଗୁ ଭୋଟ୍ବ୍ୟାଙ୍କ’ରେ ଛିଦ୍ର ହେବାର ଆଶଙ୍କା ଥିବାରୁ ଦଳ ଏବେ ଏଭଳି ରଣନୀତି ପ୍ରସ୍ତୁତ କରିଛି।
ତେଣୁ ଖୁବଶୀଘ୍ର ଦଳ ପକ୍ଷରୁ ଏକ ‘ତେଲୁଗୁ ସେଲ୍’ ଗଠନ କରାଯିବ ବୋଲି ଜଣାପଡ଼ିଛି। ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ତେଲୁଗୁ ଭାଷାଭାଷୀ ଭୋଟରଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ଦିଗରେ ପଦକ୍ଷେପ ନେଉଥିବା ଜଣାପଡ଼ିଛି।
from Odisha Reporter http://bit.ly/2HELbBX
No comments:
Post a Comment