
ନୂଆଦିଲ୍ଲୀ: ଅସୁସ୍ଥ ଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବଦଳରେ ଆଜି ଅନ୍ତରୀଣ ବା ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଥିଲେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ। କିନ୍ତୁ ଗୃହ ଆଜି କମ୍ପୁଥିଲା ‘ମୋଦି’ ‘ମୋଦି’ ନାରାରେ। କୃଷକ ଏବଂ ମଧ୍ୟବିତ୍ତଙ୍କ ପାଇଁ ଲୋକାଭିମୁଖୀ ଯୋଜନାରେ ଉତ୍ଫୁଲ୍ଲିତ ସାଂସଦମାନଙ୍କ ହର୍ଷୋଲ୍ଲାସ ଏକ ନିର୍ବାଚନୀ ଶୋଭାଯାତ୍ରାର ଭ୍ରମ ସୃଷ୍ଟି କରୁଥିଲା।
ଗୋୟଲଙ୍କ ଘୋଷଣା ପରେ ଘୋଷଣା ସହିତ ତାଳଦେଇ ଟେବଲ ବାଡ଼ଉଥିବା ଏବଂ ୱାଃ ୱାଃ କରୁଥିବା ଭାରତୀୟ ଜନତା ପାର୍ଟିର ସାଂସଦମାନଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଜେଟ୍ ଅଭିଭାଷଣ ସମୟରେ ଏପରି ଲାଗୁଥିଲା ମୋଦି ସେନାପତି ଏବଂ ତାଙ୍କ ପଛରେ ଶତାଧିକ ସେନା ରଣହୁଙ୍କାର ଦେଉଛନ୍ତି।
କିନ୍ତୁ ଏତେସବୁ ହସ ଓ ବାହାସ୍ପୋଟ ଭିତରେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଥିଲା କଂଗ୍ରେସ ମହଲରେ ଉଦାସର ଛାଇ ଖେଳିଯାଇଛି। କେନ୍ଦ୍ର ସରକାର ସବୁ ବର୍ଗକୁ ସନ୍ତୁଷ୍ଟ କରିବା ଭଳି ଘୋଷଣା କରିଥିବାରୁ ଏହାକୁ କାଉଣ୍ଟର କରିବା ସତେ ଯେପରି ବିରୋଧୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଇଣ୍ଟରନେଟ୍ରେ ରାହୁଲଙ୍କ ଆଖି ମରା ଏବଂ ମୋଦିଙ୍କୁ କୁଣ୍ଢାଇବାର ଭିଡିଓ ପୂର୍ବରୁ ଭାଇରାଲ ହେଉଥିଲା। କିନ୍ତୁ ଆଜି ଉଦାସ ରାହୁଲ ହତାଶ ହୋଇ ଘୁମେଇ ପଡ଼ିଥିବାର ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।
ପରୀକ୍ଷା ଗୃହରେ ବସି ଉତ୍ତର ନ ଆସୁଥିବା ପରୀକ୍ଷାର୍ଥୀଙ୍କ ଭଳି ହାଲ ଆଜି ରାହୁଲଙ୍କ ମୁଖମଣ୍ଡଳରେ ଦେଖିବାକୁ ମିଳୁଥିଲା। ସେ କେତେବେଳେ ମୁହଁ ପୋତିଦେଉଥିଲେ ତ କେତେବେଳେ ନିଦୁଆ ଆଖିରେ ବସିରହୁଥିଲେ। ବୋଧହୁଏ ଏହି ଘୋଷଣା ସବୁ ତାଙ୍କ ଉପରେ କିଛି ମଧ୍ୟ ପ୍ରଭାବ ପକାଉନି ବୋଲି ସେ ଦେଖାଇବାକୁ ଚାହୁଁଥିଲେ। ଶେଷରେ ସେ ଗଣମାଧ୍ୟମରେ କିଛି ଉତ୍ତର ନରଖିବା ଆହୁରି ସ୍ପଷ୍ଟ କରିଦେଇଛି ଯେ, ସେ ଏପରି ଘୋଷଣା ସବୁ ପାଇଁ ପ୍ରସ୍ତୁତ ନଥିଲେ ବା କାହା ସହିତ ଆଲୋଚନା କରିବାପରେ ଯାଇ ଯାହା କିଛି କହିବେ।
from Odisha Reporter http://bit.ly/2RYvASJ
No comments:
Post a Comment